ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା, ଘୁର୍ଣ୍ଣିଝଡ଼ ଆଶଙ୍କା, ବୁଧବାରଠାରୁ ତାପମାତ୍ରା ବଢିବ

ଭୁବନେଶ୍ୱର : ଆଜିଠାରୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଓ କେତେକ ଜିଲ୍ଲାରେ କୁଆପଥର ସହ ବର୍ଷା ହୋଇପାରେ ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଶନିବାର ଦିନ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ମୟୁରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର,କଳାହାଣ୍ଡି ଆଦି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏସବୁ ଜିଲ୍ଲାଗୁଡ଼ିକୁ ଛାଡ଼ି ଅନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ ।
ରବିବାର ଓ ସୋମବାରଦିନ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଓ କେତେକ ସ୍ଥାନରେ କୁଆପଥର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ମଧ୍ୟରେ ରହିଛନ୍ତି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ମାଲକାନଗିରି, ଗଜପତି ଓ ଗଞ୍ଜାମ । କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି । ଏଥିପାଇଁ ୟେଲୋ  ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
ସୋମବାର ବେଳକୁ ଓଡ଼ିଶାର କେତେକ ଉପକୂଳବର୍ତ୍ତି ଜିଲ୍ଲା, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ଢେଙ୍କାନାଳ,ମୟୁରଭଞ୍ଜ ଆଦି ଜିଲ୍ଲାରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଆହୁରି ମଧ୍ୟ ଉପକୂଳ ଓଡ଼ିଶା, କନ୍ଧମାଳ, ଢେଙ୍କାନାଳ,ବୌଦ୍ଧ,ମୟୁରଭଞ୍ଜ ଆଦି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବୋହିବା ସହ ବଜ୍ରପାତ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ  ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ମଙ୍ଗଳବାରଦିନ ରାଜ୍ୟର କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ଗଜପତି, କନ୍ଧମାଳ,ଗଞ୍ଜାମ, ମୟୁରଭଞ୍ଜ, ମାଲକାନଗିରି ଓ କେନ୍ଦୁଝର ଆଦି ଜିଲ୍ଲାରେ କୁଆପଥର ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବୁଧବାରଠାରୁ ରାଜ୍ୟରେ ଗ୍ରୀଷ୍ଣପ୍ରବାହ ଲାଗି ରହିବ ।

ସମ୍ବନ୍ଧିତ ଖବର