ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ଶେଷ ସପ୍ତାହରେ ଲଘୁଚାପ

ଭୁବନେଶ୍ବର : ରାଜ୍ୟରେ ଆଉ କାଳବୈଶାଖୀର ବିଶେଷ ସମ୍ଭାବନା ନାହିଁ। ଆଜି ମାତ୍ର ୩ଟି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ପରେ ୪ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଏହା ମଧ୍ୟରେ ରାଜ୍ୟର ତାମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

ତେବେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତ ମାସ ଶେଷ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ସମ୍ଭବତଃ ଏହା ୨୪ ତାରିଖ ବେଳକୁ ଆଣ୍ଡାମାନସାଗରରେ ସୃଷ୍ଟି ହେବ ଏବଂ ଘନୀଭୂତ ହୋଇ ଅବପାତରେ ପରିଣତ ହେବାକୁ ପରିସ୍ଥିତି ଅନୁକୂଳ ରହିବ। ଆକଳନ କହୁଛି, ଏହା ମିଆଁମାର୍‌ ଓ ବାଂଲାଦେଶ ଉପକୂଳରେ ଭୀ‌ଷଣ ବର୍ଷା କରାଇବ। ଓଡ଼ିଶାରେ ଏହାର କି ପ୍ରଭାବ ରହିବ, ତାହା ୨୨ ତାରିଖ ବେଳକୁ ଅଧିକ ସ୍ପଷ୍ଟ ହେବ।

ଆହୁରି ମଧ୍ୟ ଜଣାପଡ଼ୁଛି, ଉତ୍ତର ଭାରତ ମହାସାଗରରେ ମୌସୁମୀ ବର୍ଷା ପାଇଁ ପାଗ ଅନୁଗୁଳ ହେବାରେ ଲାଗିଛି। ଚଳିତ ମାସ ଚତୁର୍ଥ ସପ୍ତାହରେ କେରଳରେ ଭାରି ବର୍ଷାର ସମ୍ଭାବନା ରହିଛି। ସମ୍ଭବତଃ ତାହା ମୌସୁମୀ ବର୍ଷା ଏବଂ ୨୭ ବା ୨୮ତାରିଖରେ କେରଳ ଛୁଇଁପାରେ, ଯାହାକି ସ୍ବାଭାବିକଠାରୁ ୪ଦିନ ଆଗରୁ। ତେବେ ଓଡ଼ିଶାରେ ମୌସୁମୀ କେବେ ଛୁଇଁବ, ତାହା ଜୁନ୍‌ ୧ତାରିଖ ପରେ ଅଧିକ ସ୍ପଷ୍ଟ ହେବ।

କେତେକ ମଡେଲର ଦୀର୍ଘ ଅବଧି ଆକଳନ କରିଛି ଯେ ଓଡ଼ିଶାରେ ଜୁନ୍‌ଠାରୁ ସେପ୍ଟେମ୍ବର ମଧ୍ୟରେ ସମୁଦାୟ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ଜୁନ୍‌ ମାସରେ ଉପକୂଳର କିଛି ଅଞ୍ଚଳରେ ବର୍ଷା କିଛି କମିଲେ ମଧ୍ୟ ଚାଷ କାମ ଆରମ୍ଭ କରିବା ପାଇଁ କମିବ ନାହିଁ। ସେପ୍ଟେମ୍ବରରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଜୁଲାଇ ଓ ଅଗଷ୍ଟରେ ସ୍ବାଭାବିକଠାରୁ କମିବାର ସମ୍ଭାବନା ନାହିଁ।

ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳରେ ୧୭ତାରିଖଠାରୁ ସର୍ବାଧିକ ତାପମାତ୍ରା କ୍ରମଶଃ ବଢ଼ିବା ବେଳେ କାଳବୈଶାଖୀର ସମ୍ଭାବନା କମିବ। ୧୮ରୁ ୨୩ ତାରିଖ ମଧ୍ୟରେ ୪ ଡିଗ୍ରିରୁ ଅଧିକ ବଢ଼ିପାରେ। ବର୍ତ୍ତମାନ ବାୟୁ ଦକ୍ଷିଣ ଦିଗରୁ ବହୁଛି ସାମୁଦ୍ରିକ ପବନ। ଆକଳନ କରାଯାଉଛି ଯେ ୧୭ ପରେ ପଶ୍ଚିମା ପବନ ପୁଣି ଫେରିବ। ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୧୮ରୁ ୨୨ତାରିଖ ଭିତରେ ଦିନ ବେଳା ସାମୟିକ ମେଘୁଆ ହେତୁ ସର୍ବାଧିକ ତାପମାତ୍ରା ଉପକୂଳ ଅପେକ୍ଷା କମ୍‌ ବଢ଼ିବ। ଏହା ସହ ୧୮ରୁ ୨୨ତାରିଖ ଭିତରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର