ପିପିଲି : ‘କରୋନା’ ମାଡ଼ରେ ବନ୍ଦ ହୋଇ ଯାଇଛି ବୁଣାକାରମାନଙ୍କର ତନ୍ତ, ଅରଟ। ସ୍ଥାନୀୟ ଅଞ୍ଚଳର ବୁଣାକାରମାନଙ୍କ ଆଉ ତନ୍ତ ଚାଲୁନି। ଓଡ଼ିଶାର ପ୍ରମୁଖ କୁଟୀରଶିଳ୍ପ ତନ୍ତ ଓ ବୟନଶିଳ୍ପ ଉପରେ ବଡ଼ ପ୍ରଭାବ ପକାଇଛି ‘କରୋନା’। ଫନି ଦାଉରୁ ନିଜ ଶିଳ୍ପକୁ ସମ୍ଭାଳିବାକୁ ଚେଷ୍ଟା କରି ଆସୁଥିବା ବୁଣାକାରଙ୍କ ଅଣ୍ଟା ଭାଙ୍ଗି ଦେଇଛି ‘କରୋନା’ ମହାମାରୀ। ଫଳରେ କାମ ହରାଇ ଗତ ଦେଢ଼ ବର୍ଷ ହେବ ହାତ ବାନ୍ଧି ବସିଛନ୍ତି ଶହ ଶହ ବୁଣାକାର ପରିବାର।

Advertisment

ପିପିଲି ନିକଟବର୍ତ୍ତୀ ମୌଜିବେଗ, ନୂଆହାଟ, ସାହାଡ଼ାପଡ଼ା, ନାହାମଙ୍ଗପାଟଣା, ଖଣ୍ତାୟତପାଟଣା, ତେରହଳ, ଗୋପୀନାଥପୁର, ବାଙ୍ଗୁରୁଷ ପାଟଣା, ଖିରିଖିଆ ଭଳି ଗାଁରେ ବୁଣାକାରମାନେ ଏହି ତନ୍ତ ଶିଳ୍ପ ଉପରେ ନିର୍ଭରଶୀଳ। ତନ୍ତରେ ଲୁଗା, ଲୁଙ୍ଗି ଓ ଗାମୁଛା ଆଦି ବୁଣି ଓ ଏହାକୁ ବଜାରରେ ବିକ୍ରି କରି ଏମାନେ ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ‘କରୋନା’ ଏମାନଙ୍କ ପାଇଁ ଆର୍ଥିକ ବିପତ୍ତି ଛିଡ଼ା କରିଛି। ଅରଟର ଚକ ବୁଲିଲେ ଏମାନଙ୍କ ଘରେ ଚୁଲି ଜଳେ। କିନ୍ତୁ ସଙ୍ଗିନ ସ୍ଥିତିରେ ଏବେ ସ୍ଥାନୀୟ ଅଞ୍ଚଳର ଶହ ଶହ ବୁଣାକାର। ଅଖଚକ ସବୁ ବନ୍ଦ ହୋଇଯିବା ପରେ ସେମାନେ ହାତ ବାନ୍ଧି ବସିଛନ୍ତି।

ବଜାର ବନ୍ଦର ପ୍ରଭାବରେ ଏମାନଙ୍କ ପାଖରେ ନା ସୂତା ପହଞ୍ଚି ପାରୁଛି, ନା ଏମାନେ ବୁଣିଥିବା ଲୁଗା, ଗାମୁଛା ବଜାରକୁ ଯାଇପାରୁଛି। ଯାହାକୁ ନେଇ ବୁଣାକାରମାନେ ବିରାଟ ଆର୍ଥିକ କ୍ଷତିର ସାମ୍ନା କରିଛନ୍ତି। ଲୁଗା ଗାମୁଛା ଓ ପାଟ୍ଟ ଶାଢ଼ି ବୁଣିବା ଏମାନଙ୍କ ମୁଖ୍ୟ ବେଉସା। ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି ରାସନକାର୍ଡଧାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସରକାର ପ୍ୟାକେଜ୍ ଘୋଷଣା କରିଥିବା ବେଳେ ଏଥିରୁ ବୁଣାକାରମାନେ ବାଦ ପଡ଼ିଛନ୍ତି।। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରକାଶ ପାଇଛି। ଲକ୍‌ଡାଉନ୍‌ ସମ୍ପୂର୍ଣ୍ଣ ଉଠିବା ପରେ ବୟନଶିଳ୍ପ ଏକ ବିରାଟ ଆର୍ଥିକ କ୍ଷତି ଆଡ଼କୁ ମୁହାଁଇବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଏମିତି ସ୍ଥିତିରେ ସରକାର ବୁଣାକାରଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ଦେଇ ପ୍ୟାକେଜ୍ ଘୋଷଣା କରିବାକୁ ଅଞ୍ଚଳର ବୁଣାକାରମାନେ ଦାବି କରିଛନ୍ତି।