ବାତ୍ୟା ସତ୍ତ୍ବେ ସୁରକ୍ଷିତ ବାଇଚଢ଼େଇ : ୧୮ ଜିଲ୍ଲାରେ ୧୭୨୨୮ ବାଇଚଢ଼େଇ ଚିହ୍ନଟ

ଭୁବନେଶ୍ବର : ବାତ୍ୟା ଫନିର ପ୍ରଳୟ ସତ୍ତ୍ବେ ସୁରକ୍ଷିତ ଅଛନ୍ତି ବାଇଚଢ଼େଇ। ପୁରୀ, ଜଗତସିଂହପୁର, କଟକ, ଖୋର୍ଧା ଭଳି ଜିଲ୍ଲା ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ବାଇଚଢ଼େଇଙ୍କ ସଂଖ୍ୟା କମିନାହିଁ। ବନ୍ୟଜନ୍ତୁ ସଂରକ୍ଷଣ ଦିଗରେ କାମ କରୁଥିବା ‘ୱାଇଲ୍‌ଡ ଓଡ଼ିଶା’ ଏବଂ ଭାରତୀୟ ପକ୍ଷୀ ସଂରକ୍ଷଣ ନେଟ୍‌ୱର୍କ (ଆଇବିସିଏନ୍‌) ଓଡ଼ିଶା ଶାଖାର ସଦ୍ୟ ଗଣନା ପରେ ରାଜ୍ୟର ୧୮ଟି ଜିଲ୍ଲାରେ ୧୭ ହଜାର ୨୨୮ ବାଇ ଚଢ଼େଇଙ୍କୁ ଚିହ୍ନଟ କରାଯାଇଛି। ବାତ୍ୟାର ପ୍ରଳୟ ପରେ ୮୬୬୫ ବସାକୁ ଚିହ୍ନଟ କରାଯିବା ମଧ୍ୟ ଏକ ଶୁଭ ସୂଚନା। ସଂପ୍ରତି ସହରୀକରଣ, ତାଳଗଛଗୁଡ଼ିକର ହ୍ରାସ, କଳକାରଖାନା ବୃଦ୍ଧି ଯୋଗୁଁ ଏମାନଙ୍କ ସଂଖ୍ୟାରେ ହ୍ରାସ ଘଟୁଥିବା ବେଳେ ଚଳିତବର୍ଷ ବାଇଚଢ଼େଇଙ୍କ ସଂଖ୍ୟା ସନ୍ତୋଷଜନକ ରହିଛି।

୨୦୧୬ ମସିହାରୁ ଆଇବିସିଏନ୍‌ ପକ୍ଷରୁ ହୋଇ ଆସୁଥିବା ବାଇଚଢ଼େଇ ଗଣା ଅଭିଯାନରେ ୩ କିସମର ବାଇଚଢ଼େଇଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଚଳିତ ବର୍ଷ ଜୁନ୍‌ ୧ରୁ ଜୁଲାଇ ୧୫ ମଧ୍ୟରେ ଏହି ଗଣନା କରାଯାଇଥିଲା। ସେମାନଙ୍କ ମଧ୍ୟରେ ବାୟା ୱିଭରଙ୍କ ସଂଖ୍ୟା ୧୪୧୯୩, ଷ୍ଟ୍ରିକ୍‌ଡ ୱିଭରଙ୍କ ସଂଖ୍ୟା ୩୦୦୦ ଏବଂ ବ୍ଲାକ୍‌ ବ୍ରେଷ୍ଟେଡ୍‌ ୱିଭରଙ୍କ ସଂଖ୍ୟା ୩୫। ଅନୁଗୁଳ, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଧା, ମୟୂରଭଂଜ, ନବରଙ୍ଗପୁର, ନୟା‌ଗଡ଼, ଫୁଲବାଣୀ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ହୋଇଥିବା ଏହି ବାଇ ଚଢ଼େଇ ଗଣନାରେ ୫୬୦ଜଣ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ୍‌ ହୋଇଥିଲେ।

ବସା ବୁଣିବାର ଦକ୍ଷତା ପାଇଁ ଅନେକଙ୍କ ପାଇଁ ଉଦାହରଣ ସାଜିଥିବା ବାଇଚଢ଼େଇ ମୁଖ୍ୟତଃ ନଡ଼ିଆ ଓ ତାଳଗଛରେ ବସା ବାନ୍ଧିବାକୁ ପସନ୍ଦ କରନ୍ତି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ମୁତାବକ ବାଇଚଢ଼େଇ ସିଡ୍ୟୁଲ୍‌-୪ ଶ୍ରେଣୀରେ ତାଲିକାଭୁକ୍ତ ହୋଇଛି। ଯଦିଓ ଚଳିତବର୍ଷ ବାୟା ୱିଭର୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଛି, ତେବେ ଘାସ ଓ ସନ୍ତସନ୍ତିଆ ଜାଗାରେ ବସା ବାନ୍ଧି ରହୁଥିବା ଷ୍ଟ୍ରିକ୍‌ଡ ୱିଭରଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି। ୨୦୧୮ ମସିହାରେ ୧୦ଟି ଜିଲ୍ଲାରେ ୭୨୦୦ ଷ୍ଟ୍ରିକ୍‌ଡ ୱିଭର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ତାହା ୧୮ ଜିଲ୍ଲାରେ ୩ହଜାରରେ ସୀମିତ ରହିଛି। ସେହିଭଳି ଗତବର୍ଷ ୧୧୦୦ ବ୍ଲାକ୍‌ ବ୍ରେଷ୍ଟେଡ୍‌ ୱିଭର୍‌ଙ୍କୁ ଦେଖିବାକୁ ମିଳିଥିବା ବେଳେ ଚଳିତବର୍ଷ ମାତ୍ର ୩୫ଟି ଗଣନା କରାଯାଇଛି। ବଡ଼ କଥା ହେଉଛି, ଚଳିତ ବର୍ଷ ଗଂଜାମରେ ଗୋଟେ ତାଳଗଛରେ ୬୭ଟି ବାଇଚଢ଼େଇ ବସା ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରେ ଗୋଟେ ତାଳ ଗଛରେ ୮୮ଟି ବସା ଚିହ୍ନଟ ହୋଇଛି। ଯାହାକି ସମଗ୍ର ଦେଶରେ ଏକ ରେକର୍ଡ ବୋଲି ୱାଇଲଡ୍‌ ଓଡ଼ିଶାର ନନ୍ଦକିଶୋର ଭୁଜବଳ କହିଛନ୍ତି।

ସର୍ବେକ୍ଷଣ ମୁତାବକ ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର ଭଳି ସହରରେ ବସା କରିବା ପାଇଁ ଆବଶ୍ୟକୀୟ ଗଛର ଅଭାବ ଯୋଗୁଁ ବାଇଚଢ଼େଇଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବୋଲି ୱାଇଲ୍‌ଡ ଓଡ଼ିଶାର ସମ୍ପାଦିକା ମୋନାଲିସା ଭୁଜବଳ କହିଛନ୍ତି। ସୁଲଭ ସେଠୀ, ମୋହନ ରାଓ ଜୀ, ଆଦିତ୍ୟ ଦାଶ, ଗଣନାଥ ନାୟକ, ଗୋବର୍ଧନ ସାହୁ, ରାମହରି ବେହେରା, ଶ୍ୟାମ ସୁନ୍ଦର ‌ଭୋଇ, ରବୀନ୍ଦ୍ରନାଥ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ସୁଧନ୍‌ୱା ଦାଶ, ଏସ୍‌ ପାଇକରାୟ ପ୍ରମୁଖଙ୍କ ତତ୍ତ୍ବାବଧାନରେ ବାଇଚଢ଼େଇ ଗଣନା କରାଯାଇଥିଲା।

ସମ୍ବନ୍ଧିତ ଖବର