ଗଞ୍ଜାମରେ ବଢ଼ୁୂଛି ବାଇ ଚଢ଼େଇ ବଂଶ!, ଗୋଟିଏ ତାଳଗଛରେ ୬୨ ବସା

ବ୍ରହ୍ମପୁର : ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ଼ ବଡ଼ ଗଛ ଉଜୁଡ଼ିଯିବା ପରେ ଗଞ୍ଜାମ ଜିଲ୍ଲାରେ ବାୟା ଚଢ଼େଇ ବିଶେଷ ଭାବେ ଦେଖିବାକୁ ମିଳୁ ନ ଥିଲା। ପରିବେଶଗତ ଅସନ୍ତୁଳନ ସତ୍ତ୍ବେ ଫେରିଲେଣି ବିଲୁପ୍ତ ପ୍ରାୟ ବାଇ ଚଢ଼େଇ। ଖୁସିର କଥା, ଚଳିତ ବର୍ଷ ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି ବାୟା ଚଢ଼େଇ ବସା। ଏମିତିକି ଗଞ୍ଜାମ ବ୍ଲକ କରପଡ଼ା ପଞ୍ଚାୟତ ଅନ୍ତର୍ଗତ ନିଳାଦ୍ରୀପୁର ସ୍ଥିତ ଏକ ତାଳ ଗଛରେ ୬୨ଟି ବାୟା ବସା ରହିଥିବା ଦେଖିବାକୁ ମିଳିଛି।

ଦିନଥିଲା ବଡ଼ ବଡ଼ ତାଳଗଛ, ଖଜୁରୀ ଗଛ ଏବଂ କଣ୍ଟା ଜାତୀୟ ଗଛଗୁଡ଼ିକରେ ବାୟା ଚ‌ଢ଼େଇ ବସା ଦେଖିବାକୁ ମିଳୁଥିଲା। ଖଜୁରୀ, ନଡ଼ିଆ ଓ ତାଳ ଗଛର ବେହେଙ୍ଗା (ପତ୍ର)ରୁ ଛୋଟ ଛୋଟ କେରା ବାହାର କରି ବସା ତିଆରି କରନ୍ତି। ବାୟା ଚଢ଼େଇମାନେ ମାଈ ଏବଂ ଅଣ୍ଡିରା ମିଶି କରି ଗୋଟିଏ ଗଛ ପାଖାପାଖି ବସା କରି ରହନ୍ତି। ଏମାନେ ସାଧାରଣତଃ ଜଳାଶୟ ନିକଟରେ କଣ୍ଟା ଜାତୀୟ ଗଛରେ ବସା ବାନ୍ଧନ୍ତି। ପୁରୁଷ ବାୟା ପ୍ରଥମେ ବସା ତିଆରି କରେ। ମାଈ ଚଢ଼େଇ ଉକ୍ତ ବସାକୁ ଦେଖି ଆକୃଷ୍ଟ ହେବା ପରେ ଦୁଇ ଜଣ ମିଶି ଆଉ ଏକ ବସା ତିଆରି କରନ୍ତି। ବସା ତିଆରି ପରେ ଜଳାଶୟରୁ ପଙ୍କ ଆଣି ବସା ଭିତରେ ଲେପ ଦିଅନ୍ତି। ମାଈ ଚ‌ଢ଼େଇର ବସା ଅଣ୍ଡିରା ବାୟା ଚ‌ଢ଼େଇ ବସା ଶୈଳୀଠାରୁ ଟିକେ ଭିନ୍ନ। ମାଈ ଚଢ଼େଇ ତା’ ବସାରେ ଗୋଟିଏ ପାର୍ଶ୍ବରେ ଯିବା ଆସିବା ରାସ୍ତା ଏବଂ ଅନ୍ୟ ଏକ ପାର୍ଶ୍ବରେ ଅଣ୍ଡା ଦେବା ପାଇଁ ପ୍ରକୋଷ୍ଠ ରଖିଥାଏ। ସେମାନେ ପ୍ରତିବର୍ଷ ଖରାଦିନ ବସା ତିଆରି କରିଥାନ୍ତି। ସେହି ବସାରେ ଅଣ୍ଡା ଦେଇଥାନ୍ତି। ମେ’ରୁ ଅଗଷ୍ଟ ମାସ ମଧ୍ୟରେ ମାଈ ଚଢେଇ ଅଣ୍ଡା ଦେଇଥାଏ। ଗୋଟିଏ ମାଈ ଚଢେଇ ୨ ରୁ ୪ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ।

ଗଞ୍ଜାମ ଜିଲ୍ଲାରେ ପୂର୍ବ ତୁଳନାରେ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଧିକ ସଂଖ୍ୟାରେ ବାୟା ଚଢ଼େଇ ବସା ଦେଖିବାକୁ ମିଳିଛି। ଋଷିକୂଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମ୍ପାଦକ ରବୀନ୍ଦ୍ର ନାଥ ସାହୁ କହିଛନ୍ତି ଯେ, ଚଳିତ ବର୍ଷ ଆମ ଅନୁଷ୍ଠାନ ପକ୍ଷରୁ ପ୍ରଥମ ଥର ପାଇଁ ବାୟା ଚଢ଼େଇଙ୍କ ଉପରେ ଏକ ସର୍ଭେ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ, ଛତ୍ରପୁର, ପରୁଷୋତ୍ତମ, ଖଲ୍ଲିକୋଟ, କବିସୂର୍ଯ୍ୟନଗର ଓ ବେଗୁନିଆପଡ଼ା ବ୍ଲକ୍‌ ଅଞ୍ଚଳରେ ସର୍ଭେ କରାଯାଇ ପ୍ରାୟ ୮ଶହ ବସା ଚିହ୍ନଟ ହୋଇଛି। ଗଞ୍ଜାମ ବ୍ଲକରେ ସର୍ବାଧିକ ବାୟା‌ ବସା ଦେଖିବାକୁ ମିଳିଛି। ଗଞ୍ଜାମ ସହରର ଗଞ୍ଜାମ ରେଳ ଷ୍ଟେସନ, ଦାମୋଦରପୁର ଅଞ୍ଚଳରେ ଥିବା ଗଛଗୁଡ଼ିକରେ ପ୍ରାୟ ୧୫୦ ବସା ଠାବ ହୋଇଥିବାବେଳେ ଗଞ୍ଜାମ ବ୍ଲକ୍‌ର ମଲାଡ ପଞ୍ଚାୟତର କୁସପଲ୍ଲୀ ଗାଁ ଏକ ଗଛରେ ୪୨ଟି ବସା ଏବଂ ଛତ୍ରପୁର ବ୍ଲକର ପୋଟଲାମପୁର ପଞ୍ଚାୟତର ଗାଙ୍ଗପୁର ଗ୍ରାମର ବିଭିନ୍ନ ଗଛରେ ୭୭ଟି ବସା ରହିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର