ଭୁବନେଶ୍ବର : ଫନି ମହାବାତ୍ୟା ଓଡ଼ିଶାର ଅପୂରଣୀୟ କ୍ଷତି ଘଟାଇଥିବା ବେଳେ, ରାଜ୍ୟର ହଜାର ହଜାର ଶିଳ୍ପୀ ଓ ବୁଣାକାରଙ୍କ ଜୀବନ ଜୀବିକା, ଘର ଓ କର୍ମଶାଳା ମାଟିରେ ମିଶି ଯାଇଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବହୁ କାରିଗର ସରକାରଙ୍କ ଅନେକ ଯୋଜନା ସତ୍ତ୍ବେ ଆଜି ବି ଝାଟିମାଟିର ଚାଳ ଓ ଆଜ୍‌ବେଷ୍ଟସ ଘରେ ବସବାସ କରୁଛନ୍ତି। ଫନି ଦ୍ବାରା ଏସବୁ ଘର ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଖାଲି ସେତିକି ନୁହେଁ, ଉତ୍ପାଦିତ କଳାକୃତି, ତନ୍ତରେ ଲାଗିଥିବା ବସ୍ତ୍ର ଓ କଞ୍ଚାମାଲ୍‌ ବର୍ଷାରେ ଭିଜିଯାଇଛି। ଲକ୍ଷ ଲକ୍ଷ ଟଙ୍କାର ତାଳପତ୍ର ଖୋଦେଇ ଚିତ୍ର, ପଟ୍ଟଚିତ୍ର, ପଥର ମୂର୍ତ୍ତି, ମାଟି କାମ, ଚାନ୍ଦୁଆ ଓ ଲୁଗା ନଷ୍ଟ ହୋଇଛି। ଭଂଗା କାନ୍ଥ ତଳେ ପୋତି ହୋଇ ପଡ଼ିଛି ଅନେକ ବୁଣାକାରଙ୍କ ତନ୍ତ, ଶିଳ୍ପୀଙ୍କ କଳାକୃତି, ପ୍ରସ୍ତୁତି ଉପକରଣ। ଏ ପଟେ ଫନି ପାଇଁ ରାଜ୍ୟକୁ ପର୍ଯ୍ୟଟକଙ୍କ ଆସିବା କମିଯାଇଥିବାରୁ କଳାକୃତି ବିକ୍ରବଟା ଏକରକମ ବନ୍ଦ ହୋଇଯାଇଥିବାରୁ ଅନେକ ଶିଳ୍ପୀ ଓ ବୁଣାକାର ଅତ୍ୟନ୍ତ ଦୁଃଖରେ କାଳ କାଟୁଛନ୍ତି। ଫନି ପାଇଁ ରାଜ୍ୟର ଦେଢ଼ ଲକ୍ଷ ଶିଳ୍ପୀ ଓ ବୁଣାକାର ପ୍ରଭାବିତ ହୋଇଛନ୍ତି।

Advertisment

publive-image

ବିଶେଷ କରି ରାଜ୍ୟର ୧୪ଟି ଜିଲ୍ଲା ଫନି ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଶିଳ୍ପୀ ଜିଲ୍ଲା ଭାବେ ପରିଗଣିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ପୁରୀ ଜିଲ୍ଲାର ଶିଳ୍ପୀ ଗ୍ରାମ ରଘୁରାଜପୁର, ଦାଣ୍ଡସାହି, ନାୟକପାଟଣା, ଖାସାପୋଷାକ, ପିପିଲି, ସାତଶଂଖ, ସାକ୍ଷୀଗୋପାଳ, ବଳଂଗା, ମୁକୁନ୍ଦପୁର, ମଂଗଳପୁର, ଗୋପ, ବାଲିକନ୍ଦଳ, ରୁପଦେଇପୁର, ଝିମ୍ପିରିଆ, ଗଣେଶ୍ୱରପୁର, କୋଣାର୍କ, ନିମାପଡ଼ା, ବେଗୁନିଆ, ବାଲିଘାଇ, କାକଟପୁର, ଗୋପୀନାଥପୁର ଓ ମୌଜିବେଗ ଆଦି ୪୫ରୁ ଊର୍ଦ୍ଧ୍ବ କାରିଗର ରହୁଥିବା ଗାଁ ଓ ପୁରୀ ସହରର ଶିଳ୍ପୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଠିକ୍‌ ସେହିଭଳି ଖୋର୍ଦ୍ଧା ଜିଲ୍ଲାର ଚାନ୍ଦୁଆ କାରିଗରଙ୍କ ଗାଁ ଭାକରସାହି, ହଳଦୀବସନ୍ତ, ରାଜସ, ଖଇରିପୁର, ଗଡ଼ିଆ; ତାଳପତ୍ର ଓ ପଟ୍ଟଚିତ୍ର କାରିଗରଙ୍କ ଗାଁ ଗଣ୍ଡିଲୋ, କାକରୁଦ୍ରପୁର, ଖମଂଗ, ପ୍ରତାପରୁଦ୍ରପୁର, ବାଦଛେଲି ପାଟଣା; କଂସାପିତଳ କାରିଗରଙ୍କ ଗାଁ ବାଳକାଟି ଓ ରଥିଜେମା ସହ ବୁଣାକାରଙ୍କ ଗାଁ ମୁଣ୍ଡହଣାପାଟଣା, ପ୍ରଧାନ ପାଟଣା, ନୂଆପାଟଣା, ବନମାଳୀପୁର, ଗୁଲା ମହମ୍ମଦ ପାଟଣା, ପତିତପାବନ ପାଟଣା, ଅମୃତ ମଣୋହୀ ପାଟଣା, ଅଠାନ୍ତର, ହୀରାପୁର, ଭିଂଗାରପୁର, ବଇଁଚୁଆ, ଖୋର୍ଦ୍ଧା, ଜଙ୍କିଆ, ଗୁରୁଜଂଗ, ରାଁସୋଳ ଆଦି ୫୦ ରୁ ଊର୍ଦ୍ଧ୍ବ ଗ୍ରାମ ଏବଂ ଭୁବନେଶ୍ୱରରେ ରହୁଥିବା ବହୁ ଶିଳ୍ପୀଙ୍କର ବ୍ୟାପକ କ୍ଷୟକ୍ଷତି ଘଟିଛି।

ଇତିମଧ୍ୟରେ ଓଡ଼ିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଓ ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ସୁଦର୍ଶନ ସାହୁ ଏବଂ ସଂଗଠନ ସଂପାଦକ ପ୍ରିୟରଞ୍ଜନ କରଙ୍କ ନେତୃତ୍ୱରେ ମହାସଂଘର ଏକ ପ୍ରତିନିଧି ଦଳ ଫନି ଦ୍ୱାରା ପ୍ରଭାବିତ ଶିଳ୍ପୀ ଓ ବୁଣାକାରଙ୍କ ଗାଁଗୁଡ଼ିକୁ ଗସ୍ତ କରି କାରିଗରଙ୍କ କ୍ଷୟକ୍ଷତି ସଂପର୍କରେ ଏକ ପ୍ରାଥମିକ ଆକଳନ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏଭଳି ଏକ ଦୁଃଖଦ ସମୟରେ ରାଜ୍ୟ ଶିଳ୍ପୀ ବୁଣାକାରଙ୍କ କ୍ଷୟକ୍ଷତିର ସଠିକ ଆକଳନପୂର୍ବକ ଉପଯୁକ୍ତ ସହାୟତା ରାଶି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଶିଳ୍ପୀ ମହାସଂଘ ଦାବି କରିଛି।