କୋଟପାଡ଼ର ବୁଣାକାରଙ୍କୁ ଯୋଗାଇ ଦିଆଯିବ କଞ୍ଚାମାଲ: ମନ୍ତ୍ରୀ

ଖାଦ୍ୟ ପାର୍କ ପ୍ରତିଷ୍ଠା ଦିଗରେ ପ‌ଦକ୍ଷେପ ନେବାକୁ ନିର୍ଦେଶ

ଭୁବନେଶ୍ବର : ନୂଆ ସରକାର ଗଠନ ପରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ତତ୍ପରତା ପ୍ରକାଶ କରିଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟ ସଚିବାଳୟରେ ମନ୍ତ୍ରୀମାନଙ୍କ ପ୍ରକୋଷ୍ଠ ଚିହ୍ନଟ ହୋଇ ନଥିଲେ ମଧ୍ୟ ସେମାନେ ନିଜ ନିଜ ବିଭାଗର ସମୀକ୍ଷା ଆରମ୍ଭ କରିଦେଇଛନ୍ତି। ଗତକାଲି ଅଳ୍ପ କିଛି ବିଭାଗର ମନ୍ତ୍ରୀ ସମୀକ୍ଷା କରିଥିବା ବେଳେ ଆଜି ଅଧିକାଂଶ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫ ଟି’ ମଧ୍ୟରେ ସମୟ(ଟାଇମ୍‌) ରହିଥିବାରୁ ସେଥିପ୍ରତି ମନ୍ତ୍ରୀମାନେ ଅଧିକ ସଚେତନ ହୋଇଥିବା ପ୍ରଥମ ଦିନରୁ ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମନ୍ତ୍ରୀମାନେ ସମୀକ୍ଷା କରିବା ସହ କାର୍ଯ୍ୟଗୁଡ଼ିକ କିଭଳି ଶୀଘ୍ର ଶେଷ ହେବ ସେଥିପ୍ରତି ଗୁରୁତ୍ବ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଉଛନ୍ତି।

ଏମ୍‌ଏସ୍‌ଏମ୍‌ଇ, ଶିଳ୍ପ, ଶକ୍ତି ଓ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବିଭାଗ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କଠାରୁ କାର୍ଯ୍ୟାବଳୀ, ନୀତି ଓ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ। ବିଭାଗୀୟ ଅଧିକାରୀ ଓ ବ୍ୟାଙ୍କଗୁଡ଼ିକ ମିଳିତ ଭାବେ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ସମୀକ୍ଷା ବେଳେ ମନ୍ତ୍ରୀ ଶ୍ରୀ ମିଶ୍ର ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦେଶାଳୟ ଓ ରାଜ୍ୟ ଖାଦ୍ୟ ପାର୍କ ପ୍ରତିଷ୍ଠା ଦିଗରେ ତ୍ବରିତ ପ‌ଦକ୍ଷେପ ଗ୍ରହଣ କରିବା, ପ୍ରତି ବ୍ଲକ ଓ ପୌରାଞ୍ଚଳରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ଶିଳ୍ପୋଦ୍ୟୋଗ ବିକାଶ ପ୍ରତିଷ୍ଠାନ, ଓଡ଼ିଶା ରାଜ୍ୟ ଅର୍ଥ ନିଗମ ଦ୍ବାରା ଔଦ୍ୟୋଗିକ ବିକାଶ କାର୍ଯ୍ୟକ୍ରମ ଉପରେ ପ୍ରାଧାନ୍ୟ ଦେଇଥିଲେ। ଷ୍ଟାର୍ଟଅପ୍‌ ଓଡ଼ିଶା ଦ୍ବାରା ରାଜ୍ୟର ପ୍ରଗତି ହୋଇଛି। ୪୨୩ଟି ଷ୍ଟାର୍ଟଅପ୍‌, ୧୨ଟି ଇନ୍‌କ୍ୟୁବେଟର ଓ ୧୨ଟି ନୋଡାଲ ସଂସ୍ଥା ଏବେ ସୁଦ୍ଧା ପଞ୍ଜୀକୃତ ହୋଇଛନ୍ତି। ରାଜ୍ୟର ପ୍ରମୁଖ ଜିଲ୍ଲାଗୁଡ଼ିକରେ ଷ୍ଟାର୍ଟଅପ୍‌ ଡେଭଲପ୍‌ମେଣ୍ଟ ସେଲ୍ସ ସ୍ଥାପନ ପାଇଁ ବିଭାଗ କାର୍ଯ୍ୟ କରିବା ଉଚିତ। ହାଇଦ୍ରାବାଦର ଟି-ହବ୍‌ କିମ୍ବା କେରଳର ମେକର୍ସ ଭିଲେଜ୍‌ ଢାଞ୍ଚାରେ ଏକ ଇନୋଭେସନ୍‌/ଷ୍ଟାର୍ଟଅପ୍‌ ପାର୍କ ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ସେହିପରି ମନ୍ତ୍ରୀ ଶ୍ରୀ ମିଶ୍ର ଶିଳ୍ପ ବିଭାଗ ପରିଦର୍ଶନ କରିବା ସହ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ଶିଳ୍ପ ବିଭାଗର କାର୍ଯ୍ୟକ୍ରମ ତଥା ବିଭିନ୍ନ ଯୋଜନା ବାବଦରେ ସମୀକ୍ଷା କରିଥିଲେ। ରାଜ୍ୟ ସରକାରଙ୍କ ନୂତନ ଶିଳ୍ପ ନୀତି ଅଧିକ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବ। ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଶିଳ୍ପ ଭିତ୍ତିଭୂମିର ବ୍ୟାପକ ଅଭିବୃଦ୍ଧି ଆବଶ୍ୟକ ବୋଲି ସେ କହିଥିଲେ। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଗତ ୫ ବର୍ଷରେ ଶିଳ୍ପ ବିଭାଗର ବିଭିନ୍ନ ସଫଳତା ସମେତ ବିଭାଗର ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌, ଦକ୍ଷତା ବିକାଶ, ପୁଞ୍ଜିନିବେଶରେ ଅଭିବୃଦ୍ଧି ଓ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ଉପରେ ସୂଚନା ଦେଇଥିଲେ।

ଅପରାହ୍‌ଣରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ବିଭାଗ ପରିଦର୍ଶନ କରିବା ସହ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଭାଗୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ। ବାତ୍ୟାରେ କ୍ଷତିଗ୍ରସ୍ତ ବୁଣାକାର ଓ କାରିଗରମାନଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ତ୍ବରିତ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। କୋଟପାଡ଼ ହସ୍ତତନ୍ତ ବସ୍ତ୍ରର ଦେଶରେ ଚାହିଦା ଓ ଆକର୍ଷଣ ଥିବାରୁ ଏହି ଅଞ୍ଚଳର ବିକାଶ ଉପରେ ଧ୍ୟାନ ଦିଆଯିବା ସହ କୋଟପାଡ଼ର ବୁଣାକାରଙ୍କ ନିକଟରେ କଞ୍ଚାମାଲ ଉପଲବ୍ଧ କରାଇବା ଉପରେ ସ୍ବତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ବୁଣାକାର ଓ କାରିଗରମାନଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ସହ ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରଚେଷ୍ଟା କରିବାକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।

ଅନୁସୂଚିତ ଜନଜାତି ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଦର୍ଶନ କରି ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ବିଭାଗୀୟ ସଚିବ ଆର୍‌. ରଘୁପ୍ରସାଦ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ନିମନ୍ତେ କରାଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର