ଭୁବନେଶ୍ବର : ରାଜ୍ୟରେ ୩ ଲକ୍ଷ ବୁଣାକାରଙ୍କ ସହିତ ସେମାନଙ୍କ ସହଯୋଗୀଙ୍କୁ ଲାଗିଛି ଶକ୍ତ ଧକ୍କା। ସୂତା, ରଙ୍ଗର ମୂଲ୍ୟ ବଢିଛି। ସେଥିରେ ପୁଣି ଜିଏସ୍‌ଟି ୩ ପ୍ରତିଶତ ବୃଦ୍ଧି ନେଇ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶିତ ହେଉଛି। ଏଭଳି ସ୍ଥିତିରେ ବୁଣାକାରଙ୍କ ଅବସ୍ଥା କ’ଣ ହେବ ସହଜରେ ଅନୁମାନ କରାଯାଇପାରେ। ତେଣୁ ଜିଏସ୍‌ଟି ବୃଦ୍ଧି ନୁହେଁ, ହସ୍ତତନ୍ତ ଉପରୁ ଜିଏସଟି ପ୍ରତ୍ୟାହାର ପାଇଁ ଓଡ଼ିଶା ବୁଣାକାର ମହାସଂଘ ପକ୍ଷରୁ ଦାବି କରାଯାଇଛି।

Advertisment

ସଂଘ କହିଛି, ସ୍ବାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ହସ୍ତତନ୍ତ କରମୁକ୍ତ ହୋଇ ରହିଥିଲା। ଏଥିଯୋଗୁଁ ଅନେକ ସଂଖ୍ୟାରେ ବୁଣାକାର ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦୀ ସରକାର ଏଥିରେ ଜିଏସ୍‌ଟି ଲାଗୁ କଲେ। ବର୍ତ୍ତମାନ ଏହାକୁ ବୃଦ୍ଧିର ଯୋଜନା କରୁଛନ୍ତି। ଚଳିତ ବର୍ଷ ଦେଶରେ ଉଭୟ ସୂତା, ସିଲ୍କ ଏବଂ ରଙ୍ଗର ମୂଲ୍ୟ ବୃଦ୍ଧି ପାଇଛି। କେଜି ହିସାବରେ ସୂତା ୨୭୦୦ରୁ ୩୨୦୦, ସିଲ୍କ ୧୪୦୦ରୁ ୧୯୦୦, ୪ ହଜାରରୁ ୫୨୦୦, ୨୩୦୦ରୁ ୨୮୦୦, ରଙ୍ଗ କେଜି ହିସାବରେ ୫୦୦ରୁ୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିଯୋଗୁଁ ଶାଢି ନିର୍ମାଣର ଖର୍ଚ ମଧ୍ୟ ବୃଦ୍ଧି ପାଇ ବୁଣାକାରଙ୍କୁ ଭାରାକ୍ରାନ୍ତ କରୁଛି।

ପୂର୍ବରୁ ଓଡ଼ିଶାରେ ବରଗଡ଼, ଜଗତସିଂହପୁର, ବାଲେଶ୍ବର, କଟକ, କଳାହାଣ୍ଡି ସମେତ ୧୦ଟି ସ୍ଥାନରେ ସୂତାକଳ ଥିଲା। ଯେଉଁଠି ଗୋଟିଏ-ଗୋଟିଏ ମିଲରେ ୨ରୁ୩ ହଜାର ସୂତା ଉତ୍ପାଦିତ ହେଉଥିଲା। ବର୍ତ୍ତମାନ ୧୦ଟି ଯାକ ସୂତାକଳ ବନ୍ଦ ହେବା ଯୋଗୁଁ ରାଜ୍ୟର ବୁଣାକାରମାନେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶସ୍ଥିତ ସୂତାକଳ ଉପରେ ନିର୍ଭର କରୁଛନ୍ତି। ଏଥିଯୋଗୁଁ ଖର୍ଚ ବୃଦ୍ଧି ପାଉଛି। ଅନ୍ୟଦିଗରେ ମହାମାରୀ ଯୋଗୁଁ ହସ୍ତତନ୍ତର ଚାହିଦା ହ୍ରାସ ପାଇଛି। ପୂର୍ବଭଳି ପୋଷାକ ବିକ୍ରି ହେଉ ନାହିଁ। ଏଥିଯୋଗୁଁ ବୁଣାକାରଙ୍କ ପ୍ରସ୍ତୁତ ହସ୍ତତନ୍ତ ବିକ୍ରି ନହୋଇ ହୋଇ ପଡ଼ିଛି। ବରଗଡ଼ ଜିଲ୍ଲା ବାଲିଜୋରିରେ ବିକ୍ରି ହ୍ରାସ ବୁଣାକାରଙ୍କ ବେପାର ମାଡ଼ର ବଡ଼ ଉଦାହରଣ। ରାଜ୍ୟର ବିଭିନ୍ନ ଜିଲ୍ଲା ବରଗଡ଼, ସମ୍ବଲପୁରର ସମ୍ବଲପୁରୀ ଶାଢ଼ି, ଡ୍ରେସ, ଚାଦର, କୂର୍ତ୍ତି, ସୋନପୁରର ବଙ୍କେଇ ସିଲ୍କ, କଟନ ବଙ୍କେଇ, କଳାହାଣ୍ଡିର ୧୧ ହାତର ଶାଢ଼ି, କଟକ ଜିଲ୍ଲା ମାଣିଆବନ୍ଧରେ କଟନ ଶାଢ଼ି, ନୂଆପାଟଣାରେ ଖଣ୍ଡୁଆ ପାଟ, ଖଣ୍ଡୁଆ ସିଲ୍କ, ଗଞ୍ଜାମ ଜିଲ୍ଲାର ପିତଳରେ ସିଙ୍ଗଲ କଟନ, ଖୋର୍ଧା, ପୁରୀ ଜିଲ୍ଲାରେ ଲୁଙ୍ଗି, ଗାମୁଛା, ଚାଦର, କଟନ ଜୋଡ଼, ଜଗତସିଂହପୁରରେ ସିଙ୍ଗଲ କାଉଣ୍ଟ ସୂତାରେ ବୁଟି ଶାଢ଼ି, କେନ୍ଦ୍ରାପଡ଼ାରେ ଶରୀର ବାନ୍ଧ ଶାଢ଼ି, ଯାଜପୁର ଜିଲ୍ଲା ଗୋପାଳପୁରରେ ହାତକଟା ଟସର ଶାଢି, ବାଲେଶ୍ବରରେ ମାଙ୍କିଡ଼ିଆରେ କଟନ ଚାଦର, ଗାମୁଛା, ଲୁଙ୍ଗି, କେନ୍ଦୁଝର ଜିଲ୍ଲାର ଫକୀରପୁରରେ ହାତକଟା ଟସର, ମୟୂରଭଞ୍ଜରେ ଟସର, ଆଦିବାସୀ ଶାଢ଼ି, ଗାମୁଛା, କୋରାପୁଟ କୋଟପାଡ଼ରେ ପ୍ରାକୃତିକ ପୋଷାକ ତିଆରି ହୁଏ। ଯାହା ଓଡ଼ିଶା ହସ୍ତତନ୍ତକୁ ସମୃଦ୍ଧ କରିଛି। ଜିଏସଟି ମାଡ଼ ସେମାନଙ୍କୁ ବରବାଦ କରିବ ବୋଲି ମହାସଂଘର ଶ୍ରୀଧର ବେହେରା, ସୁକାନ୍ତି ମେହେର, ଶ୍ରୀକାନ୍ତ ନାୟକ, ପ୍ରତାପ ଦାସ, ବିଜୟ କୁଣ୍ଡୁ, ବିଶ୍ବନାଥ ଦାସ, ଅଯୋଧ୍ୟା ମେହେର, ବିଜୟ ନନ୍ଦୀ, ଶ୍ୟାମ ମେହେର ପ୍ରମୁଖ କହିଛନ୍ତି।