ତନ୍ତ ଛାଡ଼ି ମୂଲ ଲାଗିଲେଣି ବୁଣାକାର, ବଜାର ଚାହିଦା ଅଭାବରୁ ଘରେ ପଡ଼ିଛି ପାଟ ଶାଢ଼ି
କଟକ : ଆସନ୍ତାକାଲି ଜାତୀୟ ହସ୍ତତନ୍ତ ଦିବସ। ହସ୍ତତନ୍ତ ବୁଣାକାରଙ୍କ କଳାକୀର୍ତ୍ତିକୁ ସ୍ବୀକୃତି ଦେବାର ଦିନ। ହସ୍ତତନ୍ତ ଶାଢିର ଚାହିଦା ଦେଶ, ବିଦେଶରେ ବଢିବାରେ ଲାଗିଥିବାବେଳେ ଏବେ କିନ୍ତୁ କରୋନା ମାଡ଼ରେ ସବୁ ଓଲଟପାଲଟ। ପାଖାପାଖି ସାଢେ ଚାରି ଚାରି ମାସ ହେଲା ଯେଉଁ ସ୍ଥିତି ଲାଗି ରହିଛି, ସେଥିରେ ବୁଣାକାର ନିଜ ପେଟପାଟଣା ପାଇଁ ତନ୍ତ ଛାଡି ମୂଲ ମଜୁରି ଖୋଜିଲେଣି। ଆଗକୁ ସ୍ଥିତି କଣ ହେବ, ତାହାର ବି ଥଳକୂଳ ପାଉନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କଟକ ଜିଲ୍ଲାର ନୂଆପାଟଣା, ମାଣିଆବନ୍ଧ ଅଞ୍ଚଳରୁ ଖଣ୍ଡୁଆ ପାଟ, ତାରାବଳୀ ଆଦି ବିଭିନ୍ନ ପାଟ କେଉଁ କାଳରୁ ଯାଉଛି। ମାଣିଆବନ୍ଧ, ନୂଆପାଟଣା ତଥା ପାଖାଆଖ ଅଞ୍ଚଳର ୨୦ରୁ ଅଧିକ ତନ୍ତ ବନ୍ଦ ହୋଇ ପଡିଛି। ଏମାନଙ୍କ ସହିତ ରାଜ୍ୟରେ ପାଖାପାଖି ୨ଲକ୍ଷରୁ ଅଧିକ ବୁଣାକାର ଏବେ ପେଟ ଚିନ୍ତାରେ। ଲକ୍ଡାଉନ୍ ପରଠାରୁ ବେପାର ଠପ୍। ଯାହା କିଛି ବି କଂଚାମାଲ ବୁଣାକାରଙ୍କ ପାଖରେ ଥିଲା ସେ ସବୁରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ରଖିଛନ୍ତି। ବର୍ଷ ବର୍ଷ ହେଲା ଯେଉଁ ବ୍ୟବସାୟୀ ବୁଣାକାରଙ୍କୁ ରଙ୍ଗ, ସୂତା ସହାୟତା ସହିତ ଟଙ୍କା ଦେଇ ଶାଢି ନେଉଥିଲେ, ଏବେ ସେମାନେ ବି ଆଉ ବୁଣାକାରଙ୍କୁ ଟଙ୍କା ଦେଇପାରୁନାହାନ୍ତି।
ରାଜ୍ୟରେ ବାର୍ଷିକ ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କାରବାର ୨୫୦ କୋଟି ଟଙ୍କାରୁ ଅଧିକ ରୁହେ। ବୟନଶିଳ୍ପ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ ୪୦ ହଜାର ୬୮୩ ବୁଣାକାର ପରିବାର ରହିଥିବା ବେଳେ ବୁଣାକାରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୯୨ ହଜାର ୩୩୯। ସେଥିରୁ ସର୍ବାଧିକ ବରଗଡର ୬୦ ହଜାର ୩୭୪ ବୁଣାକାର ରହିଥିବାବେଳେ ସୋନପୁରର ୨୭ହଜାର ୧୩୪, କଟକର ୨୪ ହଜାର ୩୧୩, ପାଟଣାଗଡର ୧୫ହଜାର ୫୨୭, ବୌଦ୍ଧର ୧୩ ହଜାର ୭୮୩, ଖୋର୍ଦ୍ଧାର ୯୬୬୩, ଗଞ୍ଜାମର ୬୩୩୬, ନୟାଗଡର ୭୦୫୪ ବୁଣାକାର ରହିଛନ୍ତି।
ଏହା ବାହାରରେ ମଧ୍ୟ ଅନେକ ବୁଣାକାର ଓ ତନ୍ତ ରହିଛି ଯାହା ଆଜି ପର୍ଯ୍ୟନ୍ତ ସରକାରୀ ରେକର୍ଡକୁ ଆସିପାରିନି। ମାଣିଆବନ୍ଧର ଜଣେ ବୁଣାକାର ଶ୍ରୀନିବାସ ପତି କହିବା ଅନୁଯାୟୀ ଶାଢୀ ଓ ପାଟ ଷ୍ଟକ୍ ଅଛି, ହେଲେ ବିକ୍ରି ହୋଇପାରୁନି।
ଓଡିଶା ରାଜ୍ୟ ଟସର୍ ଓ ସିଲକ୍ସ ଫେଡେରେସନ୍ ପୂର୍ବତନ ଅଧ୍ୟକ୍ଷ ଭାଗିରଥୀ ନନ୍ଦଙ୍କ କହିବା କଥା ହେଲା ପାଟ ଶାଢୀ ପାଇଁ ବଜାର ମିଳୁନି। ବୁଣାକାରଙ୍କ ପାଖରେ ଷ୍ଟକ୍ ଅଛି, ହେଲେ ବିକ୍ରି କରିପାରୁନାହାନ୍ତି। ସମ୍ବଲପୁରୀ ବସ୍ତ୍ରାଳୟ ସହଯୋଗ ସମିତିର ପୂର୍ବତନ ସଭାପତି ସମ୍ବିତ୍ କୁମାର ଆଚାର୍ଯ୍ୟଙ୍କ କହିବା କଥା ହେଲା କରୋନା ପାଇଁ ୫ମାସ ବଜାର ବ୍ୟବସ୍ଥା ଏମିତି ଖସିଯାଇଛି ଯେ, ସେଥିରେ ସୁଧାର ଆସିବା କଷ୍ଟକର।