ଧାମନଗର ଉପନିର୍ବାଚନ ପାଇଁ ୧୧ ଶହ ପୋଲିଙ୍ଗ ଅଧିକାରୀ, ୫୦% ବୁଥରେ ୱେବ୍‌କାଷ୍ଟିଂ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ରାଜନୈତିକ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେଡି ବିରୋଧରେ ବିଜେପି ଓ ଅନ୍ୟ ରାଜନୈତିକ ଦଳ ଅଭିଯୋଗ ଆଣିଛନ୍ତି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଟଙ୍କା ବଣ୍ଟା ଭାଇରାଲ ପ୍ରସଙ୍ଗରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବିଜେଡ଼ି ନେତା କୋଟିଏ ଟଙ୍କା ଅଫର ଦେବା ପ୍ରସଙ୍ଗରେ ବି ଏଫଆଇଆର ପଞ୍ଜିକୃତ ହୋଇଛି।

ଧାମନଗର ଉପନିର୍ବାଚନରେ ୧୧ଶହ ପୋଲିଙ୍ଗ୍‌ ଅଧିକାରୀ ରହିବେ। ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ ହେବ। ଉପନିର୍ବାଚନ ପାଇଁ ୨ ଜଣ ସେଣ୍ଟ୍ରାଲ ଅବଜରଭର ଆସି ସାରିଛନ୍ତି। ପୁଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୦୬ ସମ୍ବେଦନଶୀଳ ବୁଥ ରହିଛି। ନଭେମ୍ବର  ୧ ତାରିଖରେ ପୋଲିଂ ପାର୍ଟିଗୁଡ଼ିକ ବୁଥରେ ପହଞ୍ଚିବେ।

ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନ ଉପରେ ସାରା ଓଡ଼ିଶା ନଜର ରଖିଛି। ସବୁଠି ଚାଲିଛି ଧାମନଗରକୁ ନେଇ ଚର୍ଚ୍ଚା। କିଏ ଜିତିବ। ଆଉ କିଏ ହାରିବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତ କିଛି ଦିନ ହେଲା ରାଜ୍ୟର ତିନି ପ୍ରମୁଖ ଦଳର ନେତା ଭଦ୍ରକର ଧାମନଗର ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି। ପଞ୍ଚାୟତରୁ ପଞ୍ଚାୟତ ଏପରିକି ଗାଁ ଗାଁରେ ନେତା, ବିଧାୟକମାନେ ଡେରା ପକାଇ ପ୍ରଚାର ଚଳାଇଛନ୍ତି।
ଗତ ଦୁଇ ଦିନ ଦୀପାବଳି ଓ  ମଙ୍ଗଳବାର (ସୂର୍ଯ୍ୟୋପରାଗ) ପାଇଁ ନିର୍ବାଚନ ପ୍ରଚାର ବନ୍ଦ୍ ରହିଥିବା ବେଳେ ଆଜି (ବୁଧବାର) ପୁଣି ପ୍ରଚାର ଆରମ୍ଭ ହେଉଛି। କିନ୍ତୁ ୨୭ ତାରିଖ ଠାରୁ ତିନି ପ୍ରମୁଖ ଦଳ ବିଜେଡ଼ି ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର ଜୋରଦାର ହେବାକୁ ଯାଉଛି।

 

ସମ୍ବନ୍ଧିତ ଖବର