ଦୂତିଙ୍କ ଚରିତ୍ର ସଂହାର କରିବା ମହଙ୍ଗା ପଡ଼ିଲା: ୱେବ୍‌ଚ୍ୟାନେଲ୍‌ର ସଂପାଦକ ଗିରଫ

ଅନ୍ୟମାନେ ବି ବନ୍ଧା ହେବେ : ଡିସିପି

ଭୁବନେଶ୍ବର : ୱେବ୍‌ ଚ୍ୟାନେଲ୍‌ ଓ ସାମାଜିକ ଗଣମାଧ୍ୟମରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଧାବିକା ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଚରିତ୍ର ସଂହାର କରିବା ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବାରମ୍ବାର କଟାକ୍ଷ କରିବା ମହଙ୍ଗା ପଡ଼ିଛି। ଏ ନେଇ ଦୂତି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିବା ସହ ମହିଳା ଥାନାରେ ଅଭିଯୋଗ କରିବାର ୨୪ ଘଣ୍ଟା ଭିତରେ ମହିଳା ଥାନା ପୁଲିସ କେସ୍‌ ନଂ-୧୦୬ ଆଇପିସିର ଦଫା ୩୫୪(ଏ), ୧୨୦(ବି), ୫୦୯ରେ ମାମଲା ରୁଜୁକରି ୱେବ୍‌ଚ୍ୟାନେଲ୍‌ ସଂପାଦକ ସୁଧାଂଶୁ ରାଉତଙ୍କୁ ଗିରଫ କରିଛି। ପୁଲିସ ଏବେ ତାଙ୍କୁ ଥାନାରେ ରଖି ପଚରାଉଚରା କରୁଥିବାବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି।

ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ମହିଳା ଥାନା ପୁଲିସର ଏକ ଟିମ୍‌ ଲକ୍ଷ୍ମୀସାଗର ସ୍ଥିତ ସୁଧାଂଶୁଙ୍କ ଅଫିସରେ ଚଢ଼ଉ କରି ତାଙ୍କୁ କାବୁ କରିଥିଲା। ସେହିପରି ଅନ୍ୟ ଯେଉଁମାନେ ଦୂତିଙ୍କୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା ତଥା ଅପମାନ କରିଥିଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି। ଏଥିପାଇଁ ଦୁଇଟି ଟିମ୍‌କୁ ନିୟୋଜିତ କରାଯାଇଛି। ସେମାନେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ‌ଗୋଟିଏ ଟିମ୍‌କୁ ଜିଲ୍ଲା ବାହାରକୁ ପଠାଯାଇଥିବା ସେ କହିଛନ୍ତି।

ଦୂତି ଅଭିଯୋଗ କରିଥିଲେ ଯେ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସ ଚାଲିଥିବା ସମୟରେ ୱେବ୍‌ଚ୍ୟାନେଲ୍‌ ସଂପାଦକ ସୁଧାଂଶୁ ରାଉତ ତାଙ୍କ ବିରୋଧରେ ଲଗାତାର ଭିତ୍ତିହୀନ ଓ କପୋଳକଳ୍ପିତ ଖବର ପରିବେଷଣ ସହ ନକାରାତ୍ମକ ଓ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ। ସେହିଭଳି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମଧ୍ୟ ଦୂତିଙ୍କ ପରିବାର, ବ୍ୟକ୍ତିଗତ ଜୀବନକୁ ନେଇ ସାମାଜିକ ଗଣମାଧ୍ୟମରେ କିଛି ଆକ୍ଷେପମୂଳକ ଲେଖା ପୋଷ୍ଟ କରିଥିଲେ। ଖାଲି ଏତିକି ନୁହେଁ; ତାଙ୍କୁ ନିୟମିତ ବ୍ଲାକ୍‌ମେଲ୍ ମଧ୍ୟ କରାଯାଇଛି ବୋଲି ଦୂତି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏହାଦ୍ବାରା ତାଙ୍କ ସମ୍ମାନହାନି ହେଉଛି ଏବଂ ଖେଳ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ୁଛି। ତାଙ୍କ ପ୍ରଶିକ୍ଷକ ଓ ପୃଷ୍ଠପୋଷକଙ୍କୁ ବି ବଦନାମ କରାଯାଉଛି ବୋଲି କହି ଦୂତି କାନ୍ଦି ପକାଇବା ସହ ଏମିତି ମାନସିକ ନିର୍ଯାତନା ଜାରି ରହିଲେ ଓଡ଼ିଶା ଛାଡ଼ି ଚାଲିଯିବେ ବୋଲି କୋହଭରା କଣ୍ଠରେ କହିଥିଲେ।

ପୂର୍ବରୁ ଏ ନେଇ ଦୂତି ସିନିୟର ସିଭିଲ ଜଜ୍, ଭୁବନେଶ୍ବରଙ୍କ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିବା ସହ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିବାବେଳେ ଉଭୟଙ୍କ ବିରୋଧରେ ମହିଳା ଥାନାରେ ଏତଲା କରିଥିଲେ। ତାଙ୍କ ଅଭିଯୋଗ ପରେ କମିସନରେଟ୍‌ ପୁଲିସ ତତ୍ପରତା ପ୍ରକାଶ କରି ଆଜି ସୁଧାଂଶୁଙ୍କୁ ଭିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର