ସାମ୍ବାଦିକଙ୍କ ନାଁରେ କଳଙ୍କ: ଗଞ୍ଜେଇ ଚାଲାଣରେ ‌ୱେବ୍‌ ଚାନେଲ୍‌ ସାମ୍ବାଦିକ

ସାମ୍ବାଦିକଙ୍କ ସମେତ ୫ ଗିରଫ, ୧୫ କ୍ବିଣ୍ଟାଲ ଜବତ

ମାଲକାନଗିରି : ଭୁବନେଶ୍ବରଠାରେ ୱେବ୍‌ଚାନେଲ୍‌ ସାମ୍ବାଦିକଙ୍କ ଅପକୀର୍ତ୍ତି ଜଣାପଡ଼ିବା ପରେ ଆଉ ଏକ ଘଟଣା ସାମ୍‌ନାକୁ ଆସିଛି। ମାଲକାନଗିରିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ୱେବ୍‌ଚାନେଲ୍‌ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ତାଙ୍କ ସହ ଆଉ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ସୋମବାର ଦିନ ମାଲକାନଗିରି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀ କହିଛନ୍ତି , ମୁଦୁଲିପଡ଼ା ଥାନା ପକ୍ଷରୁ ଦୋରା ମଣାଣି ଅଞ୍ଚଳରେ ଗତକାଲି ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ ଯାଉଥିଲା। ଯାହାକୁ ପୁଲିସ ଅଟକାଇ ଯାଞ୍ଚ କରିବାରୁ ୭୧ବସ୍ତା ଗଞ୍ଜେଇ ବାହାରିଥିଲା। ଘଟଣାସ୍ଥଳରୁ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଝଡିଆଗୁଡା ଗ୍ରାମର ହେମନ୍ତ ଟାକ୍ରି, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସି-୧୪ ଗାଁର ସାଇବାନ ଖରା, ମାଥିଲି ଥାନା ଅନ୍ତର୍ଗତ ଧୁଙ୍ଗିଆପୁଟ ଗ୍ରାମର ମହେନ୍ଦ୍ର ଦଳେଇ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଳ ଗ୍ରାମର ଗୋବର୍ଦ୍ଧନ ଦଳେଇ ଏବଂ ହନୁମାଳ ଗ୍ରାମର ମହେନ୍ଦ୍ର ଦଳେଇଙ୍କୁ ଗିରଫ କରାଯାଇଥିଲା। ଜବତ କରିଥିବା ଗଞ୍ଜେଇକୁ ଓଜନ କରିବାରୁ ୧୫କ୍ବିଣ୍ଟାଲ ୨୦କେଜି ବୋଲି ପୁଲିସ ଜାଣିବାକୁ ପାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି।

ତେବେ ବୈପାରିଗୁଡା ଥାନା ଅନ୍ତର୍ଗତ ଝଡିଆଗୁଡା ଗ୍ରାମର ହେମନ୍ତ ଜଣେ ସାମ୍ବାଦିକ ବୋଲି ଜଣାପଡ଼ିଛି। ୱେବ୍‌ଚାନେଲ ‘ବିଶ୍ବ ବିଜୟୀ’ ପାଇଁ ସେ ସାମ୍ବାଦିକତା କରୁଥିଲା ବୋଲି ପୁଲିସ ପ୍ରକାଶ କରିଛି। ପୂର୍ବରୁ ବି କିଛି ଯୁବକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଗଞ୍ଜେଇ ବ୍ୟବସାୟରେ ଲିପ୍ତ ରହିଥିବା ପୁଲିସ କହିଛି। ଏମାନେ ବ୍ୟବହାର କରୁଥିବା ଗୋଟିଏ ଆଲଟୋ କାର୍‌ ସହ ନଗଦ ୨ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ପଚରାଉଚୁରା ପରେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର