ଖୋର୍ଧା, ନୟାଗଡ଼ ବିଧାୟକଙ୍କୁ ନେଇ ଭର୍ଚୁଆଲ ବୈଠକ : ପ୍ଲାଜ୍‌ମା ଦାନ ପାଇଁ ଉତ୍ସାହିତ କରନ୍ତୁ

ଭୁବନେଶ୍ୱର : ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ‘ପ୍ଲାଜ୍‌ମା ଦାନ’ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଏକ ଭର୍ଚୁଆଲ ମିଟିଂ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଧା ଓ ନୟାଗଡ଼ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ।

ମନ୍ତ୍ରୀ ଅଶୋକ ପଣ୍ଡା କହିଥି‌ଲେ ଯେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଭୁବନେଶ୍ୱରରେ କୋଭିଡ୍‌ କେୟାର ସେଣ୍ଟର୍‌ ପ୍ରସ୍ତୁତ ହେଉଛି। ଯେଉଁମାନେ ୨୮ଦିନ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବେ ଏବଂ ସେମାନଙ୍କର ମଧୁମେହ କିମ୍ବା ରକ୍ତଚାପ ନଥିବ, ସେମାନେ ପ୍ଲାଜ୍‌ମା ଦେଇପାରିବେ। ଯେହେତୁ କରୋନା ଟିକା ଏ ପର୍ଯ୍ୟନ୍ତ ବାହାରି ନାହିଁ, ତେଣୁ ପ୍ଲାଜ୍‌ମା ଥେରାପି ମାଧ୍ୟମରେ କରୋନା ରୋଗୀମାନଙ୍କୁ ଚିକିତ୍ସା କରାଯିବ ବୋଲି ସେ କହିଥିଲେ।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଯେପର୍ଯ୍ୟନ୍ତ ଟିକା ଆସିନି ଆମକୁ କରୋନା ସହିତ ବଞ୍ଚିବାକୁ ହେବ। ଏଭଳି ସମୟରେ ପ୍ଲାଜ୍‌ମା ଥେରାପି ମାଧ୍ୟମରେ ଚିକିତ୍ସା ପଦ୍ଧତି ଏକ ସୁଯୋଗ ଆଣିଛି। କରୋନା ଆକ୍ରାନ୍ତମାନେ ଆରୋଗ୍ୟ ଲାଭ କରିବାର ୨୮ଦିନ ପରେ ପ୍ଲାଜ୍‌ମା ଦାନ କରିପାରିବେ ଏବଂ ରୋଗୀମାନେ ଏହାକୁ ବ୍ୟବହାର କଲେ ସୁସ୍ଥ ହୋଇପାରିବେ। ମୁଁ ଦୀର୍ଘ ଦିନ ଧରି ରକ୍ତଦାନ କାର୍ଯ୍ୟକ୍ରମ କରିଆସୁଛି। ଯଦି କେହି ରକ୍ତଦାତା କୋଭିଡ୍‌ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବେ, ସେମାନଙ୍କ ସହ ଯୋଗାଯୋଗ କରି ପ୍ଲାଜ୍‌ମା ଦାନ କରିବା ପାଇଁ ଉତ୍ସାହିତ କରିବି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଡ. ସାହୁ କହିଥିଲେ, ସମସ୍ତ କରେନା ଯୋଦ୍ଧା ଯଥା ଡାକ୍ତର, ପୁଲିସ, ନର୍ସ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସାମ୍ବାଦିକ ଏବଂ ଜନପ୍ରତିନିଧିମାନଙ୍କୁ ସମ୍ମାନିତ କରାଯିବ। ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ସମସ୍ତ ବିଧାୟକ ନେତୃତ୍ୱ ନେଇ ନିଜ ନିଜ ନିର୍ବାଚନମଣ୍ଡଳୀ‌ରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ୨୦ରୁ ୫୫ବର୍ଷ ବୟସ ମଧ୍ୟରେ ବ୍ୟକ୍ତିମାନଙ୍କୁ ପ୍ଲାଜ୍‌ମା ଦାନ କରିବା ପାଇଁ ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଅନନ୍ତ ନାରାୟଣ ଜେନା, ରାଜକିଶୋର ସାହୁ, ପ୍ରଶାନ୍ତ ଜଗଦେବ, ସତ୍ୟନାରାୟଣ ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ଅରବିନ୍ଦ ଢାଲି ଏବଂ ସୁଶାନ୍ତ ରାଉତ ପ୍ରମୁଖ ଗଠନମୂଳକ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର