ଉତ୍କେଲା, ଜୟପୁରକୁ ଖୁବ ଶୀଘ୍ର ୨ସି ଲାଇସେନ୍ସ
ପରିବହନ କ୍ଷେତ୍ରର ବିକାଶ ପାଇଁ ପିପିପି ମୋଡ଼କୁ ଗୁରୁତ୍ବ

Advertisment

ଭୁବନେଶ୍ୱର : ଅପ୍‌ଗ୍ରେଡ ହେବ ରାଉରକେଲା ଏୟାରପୋର୍ଟ। ବର୍ତ୍ତମାନ ଏହା ପାଖରେ ସ୍ମଲ ଏୟାରକ୍ରାଫ୍ଟ ଲାଇସେନ୍ସ(୧୯ ସିଟର ୨ବି ଲାଇସେନ୍ସ) ରହିଛି। ୬ ମାସରେ ବିଗ ଏୟାରକ୍ରାଫ୍ଟ ଲାଇସେନ୍ସ(୭୨ ସିଟର ୩ସି ଲାଇସେନ୍ସ) ଦିଆଯିବ। ୨୦୨୩ ହକି ବିଶ୍ବକପ୍‌ ରାଉରକେଲାରେ ହେବାକୁ ଯାଉଥିବାରୁ, ଅନେକ ଏୟାରପୋର୍ଟ ରାଉରକେଲାକୁ ସଂଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ରାଉରକେଲାର ଭିତ୍ତିଭୂମିର ବିକାଶ କରିବାକୁ ପଡ଼ିବ। ଜୟପୁର ଏବଂ ଉତକେଲା ଏୟାରପୋର୍ଟ ପାଇଁ ୨୦ ସିଟ୍‌ ବିଶିଷ୍ଟ ୨ସି ବା ୨ବି ଲାଇସେନ୍ସ ଖୁବଶୀଘ୍ର ପ୍ରଦାନ କରାଯିବ। ମୟୂରଭଞ୍ଜ ଜିଲ୍ଲାର ରୋଡ ଏୟାରଷ୍ଟ୍ରିପ ଅମରଦା, ଗଞ୍ଜାମ ଜିଲ୍ଲାର ରେଙ୍ଗେଇଲୁଣ୍ଡା ଏୟାରପୋର୍ଟକୁ ବିକଶିତ କରାଯିବ। ଫିକି ଓଡ଼ିଶା ପକ୍ଷରୁ ଆୟୋଜିତ ଓଡ଼ିଶାରେ ପରିବହନ ଭିତ୍ତିଭୂମିର ବିକାଶ ତ୍ବରାନ୍ବିତ କରାଯିବା ନେଇ ଆୟୋଜିତ ୱେବିନାରରେ ଏହି ସୂଚନା ଦେଇଛନ୍ତି ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ।

ଫିକି ଓଡ଼ିଶା ଅଧ୍ୟକ୍ଷା ତଥା ସମ୍ବାଦର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମତୀ ପାଢ଼ୀ କହିଛନ୍ତି, ଏୟାରଇଣ୍ଡିଆ ବର୍ତ୍ତମାନ ଘରୋଇକରଣ ହୋଇ ସାରିଛି। ସରକାର ଏବଂ କମ୍ପାନିଙ୍କ ସହଭାଗିତାରେ ବିମାନସେବାକୁ ବିକଶିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଚାହିଦା ଥିବା ବିମାନ ଏବଂ ବିମାନବନ୍ଦର ଘରୋଇ ପୁଞ୍ଜିନିବେଶ ହେବ। ଯେଉଁଠି କମ୍ପାନି ଆଗ୍ରହ କରୁନଥିବେ କିନ୍ତୁ ଲୋକଙ୍କ ଆବଶ୍ୟକତା ଥିବ ସେଠି ସରକାର ପୁଞ୍ଜି ଲଗାଇବେ। ଓଡ଼ିଶା ସମେତ ଶହେଟି ସହର ଅନ୍ତର୍ଜାତୀୟ ବିମାନଚଳାଚଳ ପାଇଁ ଯୋଗ୍ୟ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ।

publive-image

ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର କହିଛନ୍ତି ଯେ ଯେଉଁଠି ପରିବହନ ରହିଯାଏ, ସେଠାରେ ବିକାଶ ଝୁଣ୍ଟି ପଡ଼େ। ଦେଶର ପ୍ରମୁଖ ପ୍ରାକୃତିକ ସମ୍ପଦ କୋଇଲା, ଲୁହାପଥର, ମାଙ୍ଗାନିଜ ଭଳି ପ୍ରାକୃତିକ ସମ୍ପଦ ଓଡ଼ିଶାରେ ଗଚ୍ଛିତ ହୋଇ ରହିଛି। ତେଣୁ ଏହାର ଉପଯୁକ୍ତ ବିନିଯୋଗ ପାଇଁ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓଡ଼ିଶାର ଦାୟିତ୍ବ। ୟୁରୋପ, ଆମେରିକା ଭଳି ପାଶ୍ଚ୍ୟାତ ଦେଶରେ ପରିବହନ ଖର୍ଚ୍ଚ ମାତ୍ର ୪ ପ୍ରତିଶତ ରହିଥାଏ, ଆମ ଦେଶରେ ଏହା ୫ ଗୁଣ ଅଧିକ। ଏହାର ସମାଧାନ ପାଇଁ କେବଳ ଗୋଟିଏ କ୍ଷେତ୍ର ନୁହେଁ ରାସ୍ତା, ରେଳ, ବିମାନ ଠାରୁ ଜଳ ସେବା ପ୍ରତ୍ୟେକ କ୍ଷେତ୍ରରେ ପରିବହନକୁ ଉନ୍ନତ କରିବାକୁ ହେବ। ଏହି ସବୁ କ୍ଷେତ୍ରରେ ଓଡ଼ିଶା ଖର୍ଚ୍ଚ କରୁଛି। ରାଜ୍ୟ ସରକାର ମଧ୍ୟ ପିପିପି ମୋଡରେ ୩ଟି ସ୍ଥାନରେ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଛନ୍ତି। ଏହା ମିଳିଗଲେ, ଅନେକ ସମସ୍ୟାର ସମାଧାନ ହୋଇ ପାରିବ। ଅନୁଗୁଳ-ସୁକିନ୍ଦା ରେଲଓ୍ବେ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦେଶକ ଦିଲ୍ଲୀପ ସାମନ୍ତରାୟ କହିଛନ୍ତି, ରେଳପଥ ନିର୍ମାଣ ବେଳେ ମଧ୍ୟ ୬ ପ୍ରତିଶତ ବଦଳରେ ୯ ପ୍ରତିଶତ ସୁଧରେ ବ୍ୟାଙ୍କରୁ ଋଣ କରିବାକୁ ପଡ଼ୁଛି, ଉଚ୍ଚ ଦରରେ ଜିଏସଟି ଦେବାକୁ ପଡ଼ୁଛି। କିଛି ବର୍ଷ ପୂର୍ବରୁ ଜଙ୍ଗଲ କିମ୍ବା ପରିବେଶ ବିଭାଗର ଏନଓସିର ବିଶେଷ ଗୁରୁତ୍ବ ନଥିଲା। ଆଜି ଏଥିଯୋଗୁଁ କାର୍ଯ୍ୟ ବିଳମ୍ବିତ ହେଉଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ଡ. ପ୍ରଭାତ ରଞ୍ଜନ ବେଉରା କହିଛନ୍ତି, ଅନେକ ପ୍ରକଳ୍ପର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇନଥିଲେ ମଧ୍ୟ ୭ ବର୍ଷ ମଧ୍ୟରେ ବିଜୁ ପଟ୍ଟନାୟକ ବିମାନବନ୍ଦରର ଭିତ୍ତିଭୂମି ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ ହୋଇଛି। ୨୦୩୫ ସୁଦ୍ଧା ଯାତ୍ରୀ ସଂଖ୍ୟା ୨ କୋଟିକୁ ପହଞ୍ଚିଯିବ। ତେଣୁ ସେହି ଅନୁଯାୟୀ ନୂତନ ଡୋମେଷ୍ଟିକ ଟର୍ମିନାଲ ବିଲ୍ଡିଂ ନେଇ ଯୋଜନା ରହିଛି। ଅଦାନୀ ବନ୍ଦର ସିଇଓ ସୁବ୍ରତ ତ୍ରିପାଠୀ କହିଛନ୍ତି, ଧାମରା ବନ୍ଦରର ପରିବହନ ବ୍ୟବସ୍ଥା ଅତି ଶୋଚନୀୟ ରହିଛି। ଧାମରା କିମ୍ବା ଉତ୍ତର ଓଡ଼ିଶାରେ ବିମାନବନ୍ଦରର ଆବଶ୍ୟକତା ରହିଛି। ଏଥିପାଇଁ ସେ ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ଓଡ଼ିଶା ରେଳ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ଲିମିଟେଡର ପରିଚାଳନା ନିର୍ଦେଶକ ଶିବ ପ୍ରସାଦ ସାମନ୍ତରାୟ କହିଛନ୍ତି, ରେଳରେ ଯାତ୍ରୀ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଏହା ଚରମରେ ପହଞ୍ଚି ସାରିଛି। ରାଜ୍ୟ ସରକାରଙ୍କ ସହଯୋଗରେ ରେଳ ନେଟଓ୍ବର୍କ ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି।

ଏହି ଅବସରରେ ଫିକି ଓଡ଼ିଶା ଅଧ୍ୟକ୍ଷା ମୋନିକା ନୈୟର ପଟ୍ଟନାୟକ ପରିବହନର ବିକାଶ ପାଇଁ ବ୍ୟାପକ ପୁଞ୍ଜିନିବେଶର ଆବଶ୍ୟକତାକୁ ଗୁରୁତ୍ବ ଦେଇ ନିଜ ପ୍ରାରମ୍ଭିକ ବକ୍ତବ୍ୟ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଫିକି ଏମଏସଏମଇ କମିଟି ଅଧ୍ୟକ୍ଷ ଜେକେ ରଥ, ଫିକିର ରପ୍ତାନି କମିଟି ଅଧ୍ୟକ୍ଷ ରାଜେନ ପାଢ଼ୀ ବ୍ୟବସାୟ ବେଳେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଫିକି ଓଡ଼ିଶା ରାଜ୍ୟ କାଉନ୍‌ସିଲ ମୁଖ୍ୟ ସଂଜୀବ ମହାନ୍ତି ଧନ୍ୟବାଦ ଦେଇଥିଲେ।