୨୫ରେ ଫିକ୍କି ମହିଳା ସଂଗଠନ ପକ୍ଷରୁ ଉତ୍ପାଦନ ଉଦ୍ୟୋଗ ସଂପର୍କିତ ୱେବିନାର୍

ଭୁବନେଶ୍ୱର : କରୋନା ମହାମାରୀ ଦ୍ୱାରା ଆମ ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଛି । ସାରା ବିଶ୍ୱରେ ଅନେକ ଲୋକ ନିଜର କର୍ମସଂସ୍ଥାନ ହରାଉଛନ୍ତି । ଲକ୍ଷ ଲକ୍ଷ ପ୍ରବାସୀ ରୋଜଗାର ହରାଇ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ଏପରି ସ୍ଥିତିରେ ଯଦି ଏହି ପ୍ରବାସୀ ଓ ବେରୋଜଗାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେଲେ କିପରି ହୁଅନ୍ତା ? କିପରି ହୁଅନ୍ତା ଯଦି ଆମେ ଏହି ଶ୍ରମଶକ୍ତିକୁ ଆହୁରି ଦକ୍ଷ ଓ କୁଶଳୀ କରିପାରନ୍ତେ?

ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଫିକ୍କି ମହିଳା ସଂଗଠନ, ଭୁବନେଶ୍ୱର ଚାପ୍ଟର ପକ୍ଷରୁ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓ ଗ୍ରାମ ତରଙ୍ଗ ସହଯୋଗିତାରେ କୋଭିଡ-୧୯ ପରର କ୍ୟାରିୟର ସମ୍ଭାବନା ଓ ସୁଯୋଗ ସଂପର୍କରେ ପରାମର୍ଶ ଦେବା ପାଇଁ ଏକ ୱେବିନାର୍ ସିରିଜ ଆରମ୍ଭ କରାଯାଇଛି । ଏସବୁ ୱେବିନାରରେ ଶିଳ୍ପଜଗତର ବିଶେଷଜ୍ଞମାନେ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିବା ସହ ପରାମର୍ଶ ଦେଉଛନ୍ତି । ମୁଖ୍ୟତଃ ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଲକ୍ଷ୍ୟରେ ରଖି ଏହି କାର୍ଯ୍ୟକ୍ରମ କରାଯାଉଛି। ଏହା ମାଧ୍ୟମରେ କୋଭିଡ-୧୯ ପରର କ୍ୟାରିୟର ସମ୍ଭାବନା ଓ ସୁଯୋଗ ସଂପର୍କରେ ବିଭିନ୍ନ ଜରୁରୀ କଥା ଜାଣିବାକୁ ଛାତ୍ରଛାତ୍ରୀମାନଙ୍କୁ ଫିକ୍କି ମହିଳା ସଂଗଠନ, ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ଏହି ସିରିଜର ୩ୟ ୱେବିନାର୍ ଆସନ୍ତାକାଲି ଅର୍ଥାତ ୨୫ ଜୁନ ୨୦୨୦, ଗୁରୁବାର ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଏଥରର ବିଷୟ ରହିଛି ‘ମାନୁଫାକଚରିଂ’ ବା ଉତ୍ପାଦନ ଉଦ୍ୟୋଗ । ବିଶ୍ୱର ଜଣାଶୁଣା ଆର୍ଥିକ ପରାମର୍ଶଦାତା ଓ ଆକାଉଣ୍ଟିଂ ସଂସ୍ଥା ଏର୍ନଷ୍ଟ ଏଣ୍ଡ୍ ୟଙ୍ଗର ପାର୍ଟନର ଓ ଇଣ୍ଡିଆ ଗ୍ରୋଥ ମାର୍କେଟ ଲିଡର ରାଜୁ ଲାଲ ଏହି ୱେବିନାରରେ ଯୋଗ ଦେଇ ମାନୁଫାକଚରିଂ କ୍ଷେତ୍ରରେ ଥିବା କ୍ୟାରିୟର ସମ୍ଭାବନା ଉପରେ ଆଲୋକପାତ କରିବେ ।

ଏହି କ୍ଷେତ୍ର ଉପରେ କ୍ୟାରିୟର ସଚେତନତା ସୃଷ୍ଟି କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଫିକ୍କି ମହିଳା ସଂଗଠନ ସହାୟକ ହୋଇପାରିବ ଆୟୋଜକଙ୍କ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ୨୫ ଜୁନ, ଗୁରୁବାର ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ୟୁଟ୍ୟୁବରେ ଗ୍ରାମ ତରଙ୍ଗ ପେଜ ଖୋଲିବାକୁ ଭୁଲନ୍ତୁ ନାହିଁ ।

ସମ୍ବନ୍ଧିତ ଖବର