ଥିଙ୍କର୍ସ କ୍ଲବ୍‌ ପକ୍ଷରୁ ୱେବିନାର୍‌: ଫଳିତ୍‌ ଜ୍ୟୋତିଷ ଓ ବାସ୍ତୁ ଗଣନା ମିଥ୍ୟା

ଭୂତ, ପ୍ରେତ, ଡାହାଣୀ ଆଦି ମଣିଷର ମାନସିକ ଦୁର୍ବଳତା

ଭୁବନେଶ୍ବର : ଥିଙ୍କର୍ସ କ୍ଲବ୍‌ ପକ୍ଷରୁ ୩୮ତମ ୱେବିନାର୍‌ ‘ଫଳିତ୍‌ ଜ୍ୟୋତିଷ ଓ ବାସ୍ତୁ ଗଣନା ମିଥ୍ୟା’ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ବରଦା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଦେଶ, ବିଦେଶରୁ ବହୁ ବୁଦ୍ଧିଜୀବୀ ଯୋଗଦେଇ ମତ ରଖିଥିଲେ। ଅତିଥିମାନେ କହିଥିଲେ ଯେ ବେଦ, ବାଇବେଲ କିମ୍ବା କୋରାନ୍‌ରେ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ରକୁ ସ୍ବୀକାର କରାଯାଇନାହିଁ। ଜାତକ ଗଣନା ମଧ୍ୟ ଠିକ୍‌ ନୁହେଁ। ସେମାନେ ଯୁକ୍ତି ବାଢ଼ିଥିଲେ ଯେ ବିଶ୍ବର ବହୁ ବିକଶିତ ଦେଶର ବଡ଼ ବଡ଼ ସହରରେ ନିର୍ମିତ ଗଗନଶ୍ଚୁମ୍ବୀ ଅଟ୍ଟାଳିକାଗୁଡ଼ିକ ବିନା ବାସ୍ତୁରେ ନିର୍ମିତ ହୋଇଥାଏ। କିନ୍ତୁ ଏହାଦ୍ବାରା ସେଠାକାର ଲୋକମାନଙ୍କ ଦ୍ବାରା କିଛି କ୍ଷତି ହୋଇନଥାଏ। ତେଣୁ ଏଭଳି ଅନ୍ଧବିଶ୍ବାସରୁ ଦୂରେଇ ରହିବା ପାଇଁ ସେମାନେ ମତ ଦେଇଥିଲେ।

ତେବେ ଗାଣିତିକ ଜ୍ୟୋତିଷ ଗଣନା ଦ୍ବାରା ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ବିଜ୍ଞାନ ସମ୍ମତ ହୋଇଥିବାରୁ ତାହା ଗ୍ରହଣଯୋଗ୍ୟ। ଏହି ୱେବିନାର୍‌ରେ ନନ୍ଦନନ୍ଦନ ଦାସ, ନରୱେରୁ ଶେଷଦେବ ମିଶ୍ର, ବାହାରିନରୁ ସୁବାସ ସାହୁ, ମଧ୍ୟପ୍ରଦେଶରୁ ଆଇନ କଲେଜ ଅଧ୍ୟକ୍ଷ ରଜତ ଶତପଥୀ, ବ୍ରଜ ନାୟକ, ପ୍ରଫେସର ଉମାଶଙ୍କର ମିଶ୍ର, ବାଲ୍ମିକୀ ନାୟକ ଓ ନିମାଇଁ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବେଙ୍ଗାଲୁରୁରୁ ବିଭୂଦତ୍ତ ମହାନ୍ତି ବୈଷୟିକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶପ ଡି ବି ହୃଦୟ, ଅନନ୍ତ ପଣ୍ଡା, ଅନୁପମ ବୋଷ, ବାମନ ବେହେରା, ବି.ବି ପଣ୍ଡା, ଚିତ୍ତ ବେହେରା, ଶରତ ଦାସ, ହରମୋହନ ପାତ୍ର, କାର୍ତ୍ତିକେଶ୍ବର ନାଏକ, ମନୋଜ ଜେନା, ନଗେନ୍ଦ୍ର ମିଶ୍ର, ପ୍ରଦୀପ କୁମାର, ପୁଲିନ ମହାପାତ୍ର, ରବୀନ୍ଦ୍ର ଦାସ, ରୋଜାଲିନ୍‌ ପାତ୍ର, ପୂର୍ଣ୍ଣିମା ମିତ୍ର, ଏସ୍‌.କେ ଦାସ, ସୁଧାଂଶୁ ଦଙ୍ଗା, ତ୍ରିଲୋଚନ ତାଣ୍ଡିଆ, କାଶୀନାଥ ହାତୀ ଓ ସୁରେଶ ଚନ୍ଦ୍ର ରାଜହଂସ ଉପସ୍ଥିତ ଥିଲେ।

‌ସେହିପରି ଗତ ଶନିବାର ଦିନ ଅନୁଷ୍ଠାନ ପକ୍ଷରୁ ‘ଭୂତ, ପ୍ରେତ, ଡାହାଣୀ ଓ ଚିରୁଗୁଣି ଆଦି ମାନସିକ ଦୁର୍ବଳତା’ ଉପରେ ଏକ ୱେବିନାର୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନାଗରିକ ସଂଘର ସଭାପତି କୃପାସିନ୍ଧୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଅତୃପ୍ତ, ଅମୋକ୍ଷ ଆତ୍ମା ଦୃଶ୍ୟମାନ ହେବା, ସ୍ଥୂଳ ଜଗତ ଭଳି ଅଶରୀରିମାନଙ୍କ ଏକ ସୂକ୍ଷ୍ମ ଜଗତ ଥିବା, ଭୂତପ୍ରେତ, ଡାହାଣୀ ଚିରିଗୁଣି ଆଦି ମଣିଷମାନଙ୍କୁ ଲାଗିବା, ଗୁଣିଆର ସାହାଯ୍ୟ ନିଆଯିବା ଆଦି ମଣିଷର ମାନସିକ ଦୁର୍ବଳତାରୁ ଜାତ ହୋଇଥାଏ। କାର୍ଯ୍ୟକ୍ରମରେ କ୍ଲବ୍‌ ସଭାପତି ବରଦା ଦାସ ଅଧ୍ୟକ୍ଷତା କରିଥିବା ବେଳେ ଦେଶ ବିଦେଶରୁ ବହୁ ଅତିଥି ଏଥିରେ ଯୋଗଦେଇ ମତ ରଖିଥିଲେ। ଆଗ୍ରହୀ ବ୍ୟକ୍ତି ଥିଙ୍କର୍ସ କ୍ଲବ୍‌ର ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌‌ରେ ଏହି ୨ ୱେବିନାର୍‌ର ଆଲୋଚନା ଦେଖିପାରିବେ।

ସମ୍ବନ୍ଧିତ ଖବର