ସାମୁଦ୍ରିକ ବାଣିଜ୍ୟ ବିକାଶ ପରିଷଦର ୱେବିନାର୍: ବନ୍ଦର ପାଇଁ ରାସ୍ତା, ରେଳ ସଂଯୋଗୀକରଣକୁ ଗୁରୁତ୍ବ

ଭୁବନେଶ୍ବର : ଓଡ଼ିଶାରେ ଧାମରା ଓ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି ଦୁଇଟି ବନ୍ଦର ସମ୍ପୂର୍ଣ୍ଣ କ୍ଷମତାସମ୍ପନ୍ନ ହେବା ପାଇଁ ସଡ଼କ ଓ ରେଳ ସଂଯୋଗୀକରଣ ଉପରେ ଓଡ଼ିଶା ପକ୍ଷରୁ ଗୁରୁତ୍ବାରୋପ କରାଯାଇଛି। ଗୁରୁବାର କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ମନ୍ସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ସାମୁଦ୍ରିକ ବାଣିଜ୍ୟ ବିକାଶ ପରିଷଦର ଏକ ବୈଠକରେ ଅଂଶଗ୍ରହଣ କରି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଧାମରା ବନ୍ଦର ପାଇଁ ଥିବା ରାସ୍ତାକୁ ରାଜ୍ୟ ସରକାର ଦୁଇ ଥାକିଆ କରିଛନ୍ତି। କିନ୍ତୁ ଭଦ୍ରକ ଠାରୁ ଏଠାକୁ ଚାରି ଥାକିଆ ସଂଯୋଗୀକରଣର ସମ୍ଭାବନା ରହିଥିଲା ବେଳେ ଏହାର ପରିଚାଳନା ଦାୟିତ୍ବରେ ଥିବା ଆଦାନୀ ଗ୍ରୁପ୍ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସେହିପରିଚ ୧୬ ନମ୍ବର ଜାତୀୟ ରାଜପଥରୁ ଗୋପାଳପୁର ବନ୍ଦରକୁ ୪.୫ କିମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତା କାମ ତୁରନ୍ତ ଶେଷ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ସମ୍ମତି ଜଣାଇ ସାରିଛନ୍ତି। ବନ୍ଦରକୁ ଯାଇଥିବା ରାସ୍ତାଟି ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବାରୁ ବନ୍ଦରକୁ ପରିବହନ ପାଇଁ ଯାନ ଚଳାଚଳରେ ସମସ୍ୟା ଉପଜୁଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବର୍ଷକ ମଧ୍ୟରେ କାର୍ଯ୍ୟ ସାରିବାକୁ କୁହାଯାଇଛି। ଓଡ଼ିଶା ଓଡ଼ିଶା ଓ ଛତିଶଗଡ଼ ଆଭ୍ୟନ୍ତରଣ ଅଞ୍ଚଳରୁ ଗୋପାଳପୁରକୁ ସଂଯୋଗ କରିବା ପାଇଁ ରହିଥିବା ଗୁଣୁପୁର-ଥେରୁବାଲି ରେଳପଥକୁ ବ୍ରଡଗଜ କରିବା ନିମନ୍ତେ ରେଳବାଇ ବୋର୍ଡ ସବୁଜ ସଙ୍କେତ ଦେଇଛନ୍ତି। ବୋର୍ଡ ଓ ଓଡ଼ିଶା ସରକାର ମିଳିତ ଭାବେ ଏହି ପ୍ରକଳ୍ପର ଯୋଜନା କରୁଛନ୍ତି।

ସାମୁଦ୍ରିକ ବାଣିଜ୍ୟ ଅଭିବୃଦ୍ଧି ନିମନ୍ତେ ଜଳପଥ ପରିବହନକୁ ସମ୍ପ୍ରସାରିତ କରିବା ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ବାରୋପ କରିଥିଲେ। ପ୍ରତିଦ୍ବନ୍ଦ୍ବିତାମୂଳକ ବଜାରରେ ଜଳମାର୍ଗ ପରିବହନ ଶିଳ୍ପ ଅଭିବୃଦ୍ଧି ତଥା ବାଣିଜ୍ୟରେ ଅଧିକ ସହାୟକ ହେବ ବୋଲି ସେ ମତ ଦେଇଥିଲେ। ଭାରତୀୟ ବନ୍ଦର ବିଲ୍-୨୦୨୧ ସମ୍ପର୍କରେ ରାଜ୍ୟ ସ୍ତରରେ ବ୍ୟାପକ ଆଲୋଚନା ହେବା ପରେ ଓଡ଼ିଶା ତା’ର ମତାମତ ଜଣାଇବ ବୋଲି ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର