ଓଡ଼ିଶା ଡାଏଲଗସ୍ ଫୋରମ୍‌ର ୱେବିନାର୍‌ରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତ: ଭୟାବହ ହେବନାହିଁ ତୃତୀୟ ଲହର

ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢୀକରଣ ସହ ସାମାଜିକ ଆଚରଣକୁ ଶୃଙ୍ଖଳିତ କରିବା ଦରକାର
ଚୀନ୍‌ରେ ଭାରତଠାରୁ ଦୈନିକ ୧୦ରୁ ୧୫ ଗୁଣ ଅଧିକ ଟୀକାକରଣ
“ମୁମ୍ବାଇ ମଡେଲ୍‌”ରୁ ଶିକ୍ଷା ନିଆଯାଉ

ଭୁବନେଶ୍ୱର : କରୋନାର ତୃତୀୟ ଲହର ଦ୍ୱିତୀୟ ଲହରଠାରୁ ଅଧିକ ଭୟାବହ ହୋଇନପାରେ, ମାତ୍ର ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ୧୮ ବର୍ଷରୁ ଊର୍ଦ୍ଧ୍ୱ ୯୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରିବା ନିହାତି ଅପରିହାର୍ଯ୍ୟ। ଓଡ଼ିଶା ଡାଏଲଗସ୍ ଫୋରମ୍ ପକ୍ଷରୁ ଆୟୋଜିତ ଏକ ୱେବିନାର୍‌‌ରେ ଯୋଗ ଦେଇଥିବା ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏଭଳି ମତ ପ୍ରକାଶ କରିଛନ୍ତି।

ପବ୍ଲିକ୍ ହେଲ୍‌ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ତଥା ରାଜ୍ୟ ସରକାରଙ୍କୁ କୋଭିଡ୍ ରଣନୀତି ପ୍ରସ୍ତୁତିରେ ନିୟମିତ ପରାମର୍ଶ ଦେଇଆସୁଥିବା ପ୍ରଫେସର୍‌ କେ. ଶ୍ରୀନାଥ ରେଡ୍ଡୀ ଏଥିରେ ଯୋଗଦେଇ କହିଲେ, ତୃତୀୟ ଲହରର ଭୟାବହତାକୁ ସଠିକ୍ ଭାବେ ଆକଳନ କରିବା ଯଦିଓ ସମ୍ଭବ ନୁହେଁ, କିନ୍ତୁ ଓଡ଼ିଶା ଏବେଠାରୁ ପ୍ରସ୍ତୁତ ହେବା ଆବଶ୍ୟକ। କୌଣସି ଗାଣିତିକ ମଡେଲ ଲୋକମାନଙ୍କ ଆଚରଣ ଓ ଭୂତାଣୁର ପ୍ରକୃତିକୁ ସଠିକ୍‌ ଭାବେ ଆକଳନ କରିପାରେ ନାହିଁ। ତେଣୁ ଏହାର ମୁକାବିଲା ପାଇଁ ଆମେ ସମସ୍ତେ ଯଥେଷ୍ଟ ପ୍ରସ୍ତୁତ ରହିବା ଆବଶ୍ୟକ। ଏ କ୍ଷେତ୍ରରେ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ୀକରଣ କରିବା ସହ ସାମାଜିକ ଆଚରଣକୁ ଶୃଙ୍ଖଳିତ କରିବା ଦରକାର ବୋଲି ପ୍ରଫେସର୍‌ ରେଡ୍ଡୀ କହିଛନ୍ତି। ନିୟମିତ ମାସ୍କ ପରିଧାନ, ଜନ ଗହଳିପୂର୍ଣ୍ଣ ସ୍ଥାନକୁ ନଯିବା, ସଂକ୍ରମଣ ବୃଦ୍ଧି କରିବା ଭଳି ମେଳା ମହୋତ୍ସବ ଆଦିଠାରୁ ଦୂରେଇ ରହିବା ନିମନ୍ତେ ଲୋକମାନଙ୍କୁ ବ୍ୟାପକ ସଚେତନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ‌େ କହିଛନ୍ତି।

ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍‌ର ଉପ-ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ଡ. ରମାକାନ୍ତ ପଣ୍ଡା କହିଲେ, ଯେ କୌଣସି ମହାମାରୀର ପ୍ରଭାବ ଦୁଇରୁ ତିନି ବର୍ଷ ରହିଥାଏ। ଏହା ଦୁର୍ବଳ ହେବା ପୂର୍ବରୁ ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଥାଏ। ଚୀନ୍ ଭାରତଠାରୁ ଦୈନିକ ୧୦ ରୁ ୧୫ଗୁଣ ଅଧିକ ଟିକାକରଣ କରୁଛି। ତେଣୁ ଆମର ଟିକାକରଣ ପ୍ରକ୍ରିୟାକୁ ଆହୁରି ଜୋରଦାର୍ କରିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତାନୁସାରେ ପଦକ୍ଷେପ ନିଆଯାଇଥିବା “ମୁମ୍ବାଇ ମଡେଲ୍‌”ରୁ ଆମେ ସମସ୍ତେ ଶିକ୍ଷା ଲାଭ କରିବା ଦରକାର ବୋଲି ଡ. ପଣ୍ଡା କହିଛନ୍ତି। ଅପରପକ୍ଷେ ତୃତୀୟ ଲହରରେ ବୟସ୍କଙ୍କ ତୁଳନାରେ ପିଲାମାନେ ଅଧିକ ଆକ୍ରାନ୍ତ ହେବେ ବୋଲି କୌଣସି ବିଜ୍ଞାନସମ୍ମତ ପ୍ରମାଣ ନାହିଁ। ତେଣୁ ସେଥିପ୍ରତି ଭୟ ନକରି ଆସନ୍ନବିପଦ ପ୍ରତି ସାବଧାନତା ଅବଲମ୍ବନ କରିବା ଜରୁରୀ ବୋଲି ସେ କହିଛନ୍ତି।

କୋଭିଡ୍ ସମ୍ପର୍କିତ ମିଥା ଖବର ଓ ଗୁଜବ ଆଦିକୁ ପ୍ରତିହତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମାର୍ଗଦର୍ଶିକାଗୁଡ଼ିକୁ ସ୍ଥାନୀୟ ଭାଷାରେ ପ୍ରକାଶ କରାଯିବା ସହ ସଚେତନତା ପାଇଁ ବ୍ୟାପକ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି ବୋଲି ବୌଦ୍ଧ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ମଦନ ମୋହନ ପ୍ରଧାନ ମତାମତ ଦେଇଛନ୍ତି। ଟିକାଦାନ କେନ୍ଦ୍ରରେ ଆବଶ୍ୟକ ସୁବିଧାସୁଯୋଗର ଏବେ ବି ଅଭାବ ରହିଛି। ଏହା ଚିନ୍ତାଜନକ ବିଷୟ ବୋଲି ସିଟିଜେନ୍ସ କଲେକ୍ଟିଭ ଫର୍ ପବ୍ଲିକ ହେଲ୍‌ଥର ଡ. ବିଜୟା ବିଶ୍ୱାଳ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ହର୍ଷା ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରଶ୍ମି ଅଦ୍ଲେଖା, ୟୁଥ୍ ଫର୍ ସୋସିଆଲ୍ ଡେଭେଲପ୍‌ମେଣ୍ଟର ବିଭୁ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ।

କୋଭିଡ୍ ସମୟରେ ରାଜ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରିବା ତଥା ଦୀର୍ଘ ସୂତ୍ରୀ ତର୍ଜମା ପ୍ରକ୍ରିୟାର ଆରମ୍ଭ ସହ ସରକାରଙ୍କୁ ସମୟୋପଯୋଗୀ ପ୍ରସ୍ତାବ ଦେବା ପାଇଁ ବର୍ଷେ ହେଲା ଏହି ଭଳି ୱେବିନାର୍‌ମାନ ଓଡ଼ିଶା ଡାଏଲଗ୍ସ ଫୋରମ୍ ତରଫରୁ ଆୟୋଜିତ କରାଯାଉଛି। ଆଗକୁ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଓଡ଼ିଶା ଡାଏଲଗ୍ସର ପ୍ରତିଷ୍ଠାତା ସଦସ୍ୟ ଡ. ବିଧୁ କଲ୍ୟାଣ ମହାନ୍ତି କହିଥିଲେ।

ସମ୍ବନ୍ଧିତ ଖବର