ଓଡ଼ିଶା କର୍ପୋ‌ରେଟ୍‌ ଫାଉଣ୍ଡେସନ୍‌ ତରଫରୁ ୱେବିନାର୍‌ : ଭୁବନେଶ୍ବର ମଧ୍ୟ ଆଇଟି ସହର ହେବା ପାଇଁ ସମର୍ଥ

ଭୁବନେଶ୍ୱର : ଅନ୍ୟ ଆଇଟି ସହର ଭଳି ଭୁବନେଶ୍ବର ମଧ୍ୟ ଆଇଟି ସହର ହେବା ପାଇଁ ସମର୍ଥ। ମେକ୍‌-ଇନ୍‌-ଓଡ଼ିଶା ଏବଂ ଦକ୍ଷତା ବିକାଶ ସକାରାତ୍ମକ ଭାବେ କାର୍ଯ୍ୟ କରୁଥିବା ବେଳେ ଭୁବନେଶ୍ୱରର ଦକ୍ଷତା ବିକାଶ ପରିବେଶ ବେଶ୍‌ ଉଚ୍ଚକୋଟୀର। ଓଡ଼ିଶା କର୍ପୋରେଟ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଓଡ଼ିଶାରେ ଆଇଟି ଓ ଆଇଟିଇଏସ୍‌ କ୍ଷେତ୍ରରେ ସୁଯୋଗ ବିଷୟବସ୍ତୁ ଉପରେ ଆୟୋଜିତ ଏକ ୱେବିନାର୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର ଏହା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ହାତଗଣତି ରାଜ୍ୟ ଭାବେ ଏକଦା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ଚାରିଟି ଆଇଟି କମ୍ପାନି ଆସିଥିଲେ ହେଁ ସେତେବେଳେ ଆଇଟି କ୍ଷେତ୍ର ଭାବେ ଆମ ରାଜ୍ୟର ଭିତ୍ତିଭୂମି ଓ ପରିବଶେନ ନଥିବାରୁ ଆମେ କିଛିଟା କ୍ଷେତ୍ରରେ ପଛୁଆ ରହିଗଲୁ। ଏବେ କିନ୍ତୁ ଆଇଟି ଓ ଆଇଟିଇଏସ୍‌ କ୍ଷେତ୍ରକୁ ବେଶ୍‌ ପ୍ରାଧାନ୍ୟ ଦିଆଯାଉଛି। ଆଇଟି କ୍ଷେତ୍ର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସରକାରଙ୍କ ଦାୟିତ୍ବ। ଓଡ଼ିଶାରେ ଅନୁକୂଳ ଭୌଗୋଳିକ ଅବସ୍ଥାନ ସହ ଅନେକ ସୁବିଧା ରହିଛି। ଆଇଟି ଏବଂ ଆଇଟିଇଏସ୍‌ କ୍ଷେତ୍ର ପାଇଁ ଯାହା ସବୁ ଆବଶ୍ୟକ, ଯେପରିକି ଭିତ୍ତିଭୂମି, ଅନୁକୂଳ ପରିବେଶ, ସଡ଼କ ତଥା ରେଳ ସଂଯୋଗ ସହ ଅନ୍ତର୍ଜାତୀୟ ବିମାନ ସେବା, ଉଚ୍ଚକୋଟୀର ଶିକ୍ଷା, ସ୍ବାସ୍ଥ୍ୟକ୍ଷେତ୍ର ଓ ସାମାଜିକ ଭିତ୍ତିଭୂମି ଆଦିରେ ଆମେ ଅନ୍ୟ ରାଜ୍ୟ ତୁଳାନରେ ଆଖିଦୃଶିଆ ଉନ୍ନତି କରିଛୁ। ଖୁବ୍‌ଶୀଘ୍ର ଆମ ରାଜ୍ୟର ସମସ୍ତ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଏହି ଅବସରରେ ସଫ୍ଟୱେୟାର୍ ଟେକ୍ନୋଲୋଜି ପାର୍କସ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଟିପିଆଇ)ର ନିର୍ଦ୍ଦେଶକ ମାନସ ପଣ୍ଡା ସମସ୍ତ ପ୍ରକାରର ସମର୍ଥନ ଏବଂ ସେବା ସୁନିଶ୍ଚିତ କରି ଓଡ଼ିଶା ଷ୍ଟାର୍ଟ ଅପ୍‌ର ବ୍ୟାବସାୟିକ ଏବଂ ଶିଳ୍ପାୟନ ରଣନୀତି ବିଷୟ‌ରେ ସୂଚନା ଦେଇଥିଲେ। ରାଜ୍ୟରେ ଏସ୍‌ଟିପିଆଇ ୨୦ ହଜାରରୁ ଊର୍ଧ୍ବ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ୩ରୁ ୪ଟି ଏସ୍‌ଟିପିଆଇ ଗଠନ କରିବାର ଯୋଜନା ରହିଥିବା ସେ ସୂଚନା ଦେଇଥିଲେ।

ଏହି ୱେବିନାର୍‌ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଗ୍ରୁପ୍‌ ପ୍ରେସିଡେଣ୍ଟ ବିଜୟ କୁମାର ସାହୁ ଓଡ଼ିଶାରେ ଡିଜିଟାଲ କୌଶଳ, ଏହାର ବିକାଶ ଏବଂ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ତଥା ସୁଯୋଗ ସୃଷ୍ଟି କରିବାର ପ୍ରଭାବଶାଳୀ ଉପାୟ ବିଷୟରେ ଆଲୋକପାତ କରିଥିଲେ। ତତ୍ତ୍ବ ଟେକ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଅୟସକାନ୍ତ ମହାନ୍ତି କହିଲେ, ଆଇଟି କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତ ବେଶ୍‌ ଉଜ୍ଜ୍ବଳ। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଲେ ଯେ ପ୍ରଯୁକ୍ତି ଶିକ୍ଷା କ୍ଷେତ୍ରର ସମୃଦ୍ଧି ଉପରେ ରାଜ୍ୟର ସଫଳତା ନିର୍ଭର କରେ। ଆମେ ଏହାକୁ ସାମୂହିକ ଭାବେ ଆଗେଇ ନେଇ କିଭଳି ଏହି କ୍ଷେତ୍ରକୁ ସଫଳ କରିପାରିବା, ସେ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ସିଙ୍ଗାପୁର ବିସିଜିର ମନ୍ମଥ ସାହୁ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଲୋଚନାଚକ୍ରରେ ରାଜ୍ୟ ତଥା ବିଦେଶରେ ଅବସ୍ଥାନ କରୁଥିବା ବହୁ ପ୍ରତିଷ୍ଠିତ ଓଡ଼ିଆ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର