ଭୁବନେଶ୍ବର : ନ’ଅଙ୍କ ଦୁର୍ଭିକ୍ଷ, ସ୍ପାନିସ୍-ଫ୍ଲୁ ଭଳି ମହାବିପତ୍ତି ସଂପର୍କରେ ଆମେ କେବଳ ପଢ଼ିଥିଲୁ। କିନ୍ତୁ କରୋନା ମହାମାରୀକୁ ଆମେ ଅଙ୍ଗେ ନିଭାଇଛୁ। ସେଇ ଦୃଷ୍ଟିରୁ ଇତିହାସରେ ‘ବର୍ଷ ୨୦୨୦’ର ଏକ ସ୍ବତନ୍ତ୍ର ପ୍ରାସଙ୍ଗିକତା ରହିବ। କିନ୍ତୁ କରୋନା ଏବେ କୁହା କଥା ହୋଇଯାଇଥିବା ବେଳେ ଅନେକ ଅକୁହା କଥା ଆମେ ଚର୍ଚ୍ଚାକୁ ଆଣୁନେ। ଆମେ ଏତେ କରୋନାକୈନ୍ଦ୍ରିକ ହୋଇଯାଇଛେ ଯେ ଏହି ବର୍ଷ ଘଟି ଯାଇଥିବା ଅନେକ କଥା ବିଷୟରେ ଆଲୋଚନା କରୁନେ। ଜାନୁଆରିରେ ଜେଏନ୍ୟୁରେ ଛାତ୍ର ଆନ୍ଦୋଳନ, ଧାରା ୩୭୦ ଉଚ୍ଛେଦଜନିତ ଜନଆକ୍ରୋଶ, ନାଗରିକ ବିଲ୍ ପାଇଁ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ହିଂସା ତଥା ଚୀନ୍ର ଆକ୍ରମଣାତ୍ମକ ମନୋଭାବ ଆଦିରୁ ଆମକୁ ଏହି ମହାମାରୀ ରକ୍ଷା କରିଛି। ଦେଶ ଭିତରେ ଓ ବାହାରେ ଚାଲିଥିବା ଲଢ଼େଇ ତଥା ଅଶାନ୍ତିରେ ସାମୟିକ ସମୟ ପାଇଁ ହେଉ ପଛେ, ଏହି ମହାମାରୀ ପୂର୍ଣ୍ଣଚ୍ଛେଦ ପକାଇଛି। ଭାରତୀୟ ବିଦ୍ୟାଭବନ ଓ ମୁକ୍ତ ଚିନ୍ତନ ମଞ୍ଚର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଇତିହାସ ପୃଷ୍ଠାରେ ୨୦୨୦ ମସିହା: କିଛି କୁହା, କିଛି ଅକୁହା’ ଶୀର୍ଷକ ୱେବିନାର୍ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏପରି କହିଛନ୍ତି ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ।
ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତାଙ୍କ ସଭାପତିତ୍ବରେ ଆୟୋଜିତ ଏହି ୱେବିନାର୍ରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ମହାମାରୀ କରୋନା ମଣିଷର ଚିନ୍ତା ଓ ଚେତନାରେ ଢାଞ୍ଚାଗତ ପରିବର୍ତ୍ତନ ଆଣିଛି। ସବୁଠାରୁ ଉପକାରୀ ପ୍ରମାଣିତ ହେଲା, ଭୁଲ ତଥ୍ୟ ବା ସୂଚନା। ଏହାଦ୍ବାରା ଆମେ କରୋନା ପାଇଁ ଅତ୍ୟଧିକ ପ୍ରସ୍ତୁତ ରହିଲେ। ଫଳରେ ଯେ କୌଣସି ପରିସ୍ଥିତିକୁ ବରଦାସ୍ତ କରିବାର ଏକ ଅଭୂତପୂର୍ବ ଶକ୍ତି ଆମ ମନ ଭିତରେ ସୃଷ୍ଟି ହୋଇଥିଲା। କିଛି ଅକୁହା କଥାକୁ କହିବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଲୋକଙ୍କ ମନରେ ଭୟ ସୃଷ୍ଟି କରି ସାରା ଦେଶକୁ ବାନ୍ଧି ରଖା ଯାଇପାରିଛି ଓ ଦେଶରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ତେବେ ଏହି ସଂକଟକାଳରେ କେବଳ ଦେଶର ଅର୍ଥନୀତି ନୁହେଁ, ନ୍ୟାୟପାଳିକା, ଶିକ୍ଷା ବ୍ୟବସ୍ଥା ଓ ରାଜନୈତିକ ଅନୁଷ୍ଠାନଗୁଡ଼ିକ ଭୁଶୁଡ଼ି ପଡ଼ିଛି ବୋଲି ସେ କହିଥିଲେ। ଏଥିରୁ ସୁପ୍ରିମ୍କୋର୍ଟ ମଧ୍ୟ ବାଦ୍ ପଡ଼ି ନାହାନ୍ତି। ଦେଶରେ ବିରୋଧୀଙ୍କ ସତ୍ତା ନାହିଁ କହିଲେ ଚଳେ ବୋଲି ସେ କହିଛନ୍ତି।
ଭାରତୀୟ ବିଦ୍ୟାଭବନର ଅଧ୍ୟକ୍ଷ ମେଜର ଜେନେରାଲ୍ ବସନ୍ତ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ, କରୋନା ଆମକୁ ବହୁତ କିଛି ଶିଖାଇଛି। ଭାରତୀୟ ଦର୍ଶନର ମୂଳମନ୍ତ୍ର ‘ବସୁଧୈବ କୁଟୁମ୍ବକମ୍’ର ସତ୍ୟତା ପ୍ରମାଣିତ ହୋଇଛି। ସାରା ବିଶ୍ବ ଏକ ଧ୍ୟାନରେ କରୋନା ବିରୋଧୀ ଲଢ଼େଇ ଜାରି ରଖିଛି। ପ୍ରତିକୂଳ ପରିସ୍ଥିତିକୁ ଏକ ସୁଯୋଗ ଭାବେ ଗଢ଼ିବାର ସାହସ ଆମ ଭିତରେ ଭରିଛି। ପରିବାର ଭିତରେ ଏକତା ବଢ଼ିଛି। ନିଜ ଚିନ୍ତା ଓ ଚେତନାରେ ଜାଗୃତି ଘଟିଛି ବୋଲି ମେଜର ମହାପାତ୍ର କହିଥିଲେ।
ସମ୍ମାନିତ ବକ୍ତା ଭାବେ ଏମ୍ସ୍ର ପୂର୍ବତନ ନିର୍ଦ୍ଦେଶକ ଅଶୋକ କୁମାର ମହାପାତ୍ର କହିଲେ ଯେ କରୋନା କାଳରେ ମଣିଷ ଆକାଶରୁ ଖସି ମାଟି ସହ ସମ୍ପର୍କ ଯୋଡ଼ିଛି। ଏହାଦ୍ବାରା ମଣିଷ ତା’ର ଅସ୍ତିତ୍ବ, ସୀମା ଓ ଦକ୍ଷତାକୁ ଠିକ୍ଭାବେ ମାପି ପାରିଛି। ଏହି ସମୟରେ କରୋନା ଅପେକ୍ଷା ସୂଚନା ମହାମାରୀ ମଣିଷକୁ ଅଧିକ ଆକ୍ରାନ୍ତ କରିଥିଲା। ସାମାଜିକ ଗଣମାଧ୍ୟମରେ ଲଗାତର କରୋନାକୁ ନେଇ ବହୁ ଭୁଲ ତଥ୍ୟ ପ୍ରସାରିତ ହୋଇଥିବାରୁ ଲୋକଙ୍କ ଭିତରେ ବହୁ ସମୟରେ ଭୟର ବାତାବରଣ ଲାଗି ରହୁଥିଲା। ୧.୫ ଗ୍ରାମ୍ର କରୋନା ଭାଇରସ୍ ସମଗ୍ର ମାନବ ସମାଜକୁ ଧ୍ବଂସ କରିବାକୁ ଯଥେଷ୍ଟ ବୋଲି ବର୍ଣ୍ଣନା କରି ସେ କହିଲେ ଯେ ଆଖିକୁ ଦେଖାଯାଉ ନଥିବା ଏହି ଭୂତାଣୁ , ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ନେଇ ଗର୍ବ କରୁଥିବା ମଣିଷକୁ ନିଜର ଅସ୍ତିତ୍ବ ଦେଖାଇ ଦେଇଛି। ଏହି ମହାମାରୀ କାଳରେ ସେ ମଣିଷର ମାନସିକ ସ୍ଥିତି ଦୋହଲି ଯାଇଛି ବୋଲି କହିଥିଲେ। ଏହି ମହାମାରୀ ସମାଜକୁ ଦୁର୍ବଳ କରିବାର ଏକ ପ୍ରାକୃତିକ ପ୍ରକ୍ରିୟା ବୋଲି ସେ କହିଥିଲେ। ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।