‘ଓଡ଼ିଆ ଆଲୋଚନାଚକ୍ର’ ପକ୍ଷରୁ ୱେବିନାର୍‌ : ‘ଟିକା ପାଇଁ ଭାରତକୁ ଅଧିକ ଅପେକ୍ଷା କରିବାକୁ ହେବ’

ଭୁବନେଶ୍ୱର : କୋଭିଡ୍‌-୧୯ ଟିକା ପାଇଁ ଭାରତକୁ ଫେବ୍ରୁଆରି-ମାର୍ଚ୍ଚ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ଟିକା ପ୍ରସ୍ତୁତ ସହ ସମ୍ପୃକ୍ତ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହା କହିଛନ୍ତି। ତେଣୁ, ଏହି ଭୂତାଣୁକୁ ବ୍ୟାପିବାରୁ ‌ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ। ଯେମିତିକି, ସାମାଜିକ ଦୂରତା, ମାସ୍କ ପରିଧାନ, ହାତ ଓ ମୁହଁ ପରିଷ୍କାର ରଖିବା ତଥା ଥଣ୍ଡା ଭଳି ଲକ୍ଷଣ ପ୍ରତି ଧ୍ୟାନ ଦେବା ପାଇଁ ସଚେତନ କରିବାକୁ ପଡ଼ିବ। ଓଡ଼ିଆ ଆଲୋଚନା ଚକ୍ର (ଫୋରମ୍‌ ଫର୍‌ ଓଡ଼ିଶା ଡାଇଲଗ୍‌ସ) ପକ୍ଷରୁ ଆୟୋଜିତ ୱେବିନାର୍‌ରେ ବକ୍ତାମାନେ ଏହି ମତ ପ୍ରଦାନ କରିଛନ୍ତି।

ଗତକାଲି ଏହି ନିର୍ଦ୍ଦଳୀୟ ବିଚାରଭିତ୍ତିକ ମଞ୍ଚ ପକ୍ଷରୁ ‘ କରୋନା ପରେ ଓଡ଼ିଶା: ପୁଣିଗଢ଼ିବୁ, ପୁଣି ବଢ଼ିବୁ’ ବିଷୟବସ୍ତୁ ଉପରେ ଅଷ୍ଟମ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଗତ ମେ ମାସଠାରୁ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଆସୁଛି। ଆଲୋଚନାରେ ଅଂଶଗ୍ରହଣ କରି ଡ. ବିଧୁକଲ୍ୟାଣ ମହାନ୍ତି କହିଛନ୍ତି ଯେ, ଭାରତ ଦୁଇଟି ଟିକା ବିକଳ୍ପ ଉପରେ ଦୃଷ୍ଟି ରଖିଛି। ପ୍ରଥମଟି ହେଉଛି ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକଶିତ ହେଉଥିବା ଟିକା, ଯାହା ସହିତ ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ସମ୍ପୃକ୍ତ ଅଛି। ଅନ୍ୟଟି ହେଉଛି ‘କୋଭାକସିନ’, ଯାହା ଭାରତୀୟ ଫାର୍ମା କମ୍ପାନି ଦ୍ୱାରା ବିକଶିତ ହେଉଛି। ଭାରତରେ ଅକ୍ସଫୋର୍ଡ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଥିବାବେଳେ କୋଭାକସିନ କ୍ଷେତ୍ରରେ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି। ଭାରତ ସରକାର ସ୍ବଦେଶୀ ‘କୋଭାକସିନ’କୁ ନେଇ ଅଧିକ ଆଶାବାଦୀ ଅଛନ୍ତି ବୋଲି ଡ.ମହାନ୍ତି କହିଛନ୍ତି। ତେବେ, ଏହାର ପରବର୍ତ୍ତୀ ପରୀକ୍ଷଣ ତଥା ଏହା ସମ୍ପୃକ୍ତ ପ୍ରକ୍ରିୟାଗୁଡିକୁ ପୂରା କରାଯାଇପାରିଲେ ୨୦୨୧ ଫେବ୍ରୁଆରି-ମାର୍ଚ୍ଚ ପାଖାପାଖି ବ୍ୟବସାୟିକ ଉତ୍ପାଦନ ଆରମ୍ଭ ହୋଇପାରିବ ସେ କହିଛନ୍ତି। ଭୁବନେଶ୍ୱରସ୍ଥିତ କିମ୍ସର ରୋଗପ୍ରତିରୋଧକ ବିଶେଷଜ୍ଞ (ଇମ୍ୟୁନୋଲୋଜିଷ୍ଟ) ପ୍ରଫେସର ରାମନାଥ ମିଶ୍ର କହିଛନ୍ତି ଯେ, ଜଣେ ରୋଗୀଙ୍କ ଠାରେ ସ୍ନାୟୁଗତ ରୋଗଲକ୍ଷଣ ଦେଖାଯିବା ପରେ ଅକ୍ସଫୋର୍ଡ ଟିକା ପରୀକ୍ଷଣ ବନ୍ଦ କରାଯାଇଛି। ତଥାପି, ଆମକୁ ଆଶାବାଦୀ ରହିବାକୁ ହେବ।

ପବ୍ଲିକ ହେଲଥ ରିସୋର୍ସ ନେଟୱର୍କର ଜାତୀୟ ଆବାହକ ଡ. ବନ୍ଦନା ପ୍ରସାଦ କହିଛନ୍ତି, ଅତିକମରେ ୬ ମାସ ପାଇଁ ଟିକା ଉପଲବ୍ଧ ନ ଥିବାବେଳେ, ଆମକୁ ଗୋଷ୍ଠୀ ସଙ୍ଗରୋଧ ସମେତ ଅନ୍ୟ ସମସ୍ତ ସତର୍କତା ତଥା ପ୍ରତିରୋଧମୂଳକ ପଦକ୍ଷେପ ପ୍ରତି ଧ୍ୟାନ ଦେବା ଜରୁରୀ। ଅନ୍ୟପକ୍ଷରେ, ଯେହେତୁ ଓଡ଼ିଶାରେ ଆର୍ଥିକ ଭାବେ ଗରିବଙ୍କ ସଂଖ୍ୟା ଅଧିକ ରହିଛି, ଫୋରମ ଏବିଷୟରେ ଅଧିକବି ଚାରବିମର୍ଶ କରିବାର ଯୋଜନାରଖିଛି ବୋଲି ଓଡ଼ିଶା ଆଲୋଚନାଚକ୍ର ପ୍ରତିଷ୍ଠାତା ରାଜେଶ ମହାପାତ୍ର କହିଛନ୍ତି। ଓଡ଼ିଶା ଆଲୋଚନା ଚକ୍ରର ନିର୍ଦ୍ଦେଶକ ଡ. ମନୋଜ ଦାଶଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଆଲୋଚନାଚକ୍ରରେ ସାମିଲ୍‌ ହୋଇଥିଲେ ଏବଂ ନିଜର ମତ ରଖିଥିଲେ।

ସମ୍ବନ୍ଧିତ ଖବର