ଏଫଏଲଓ ପକ୍ଷରୁ ମାନସିକ ସ୍ୱାସ୍ଥ୍ୟ ସଂପର୍କିତ ୱେବିନାର ‘ତତ୍ ତ୍ବମ୍ ଅସି’ : ସକାରାତ୍ମକ ଓ ଆଶାବାଦୀ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ଆହ୍ବାନ

ଭୁବନେଶ୍ୱର : କରୋନା ମହାମାରୀ ଆମ ଜୀବନ ଏବଂ ବିଶ୍ବକୁ ଓଲଟପାଲଟ କରିଦେଇଛି | କରୋନାକୁ ନେଇ ଭ୍ରାନ୍ତଧାରଣା  ଏବଂ ମହାମାରୀର ଚାପ  ସମଗ୍ର ଦେଶରେ ଏକ ମାନସିକ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ତାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ, ମାନସିକ ଚାପ ବଢ଼ିବା ସହ ଆତ୍ମହତ୍ୟା ଭଳି ଘଟଣା ଓଡ଼ିଶା ସମେତ ସାରା ଦେଶରେ ଦେଖାଦେଇଛି।

ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ ସଚେତନତା ସୃଷ୍ଟି ଓ କରୋନା ସହ ଜଡ଼ିତ ଭ୍ରାନ୍ତ ଧାରଣାକୁ ଦୂର କରିବାକୁ ଫିକ୍କି ମହିଳା ସଂଗଠନ (ଏଫଏଲଓ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଙ୍ଗାଲୋରସ୍ଥିତ ନିମହାନ୍ସର ରେଜିଷ୍ଟ୍ରାର ତଥା ଗୋଷ୍ଠୀ ବିପର୍ଯ୍ୟୟ ପରିଚାଳନା ମୁଖ୍ୟ ଡଃ କେ. ଶେଖର, ଆଇପିଏସ ଅଧିକାରୀ ତଥା କ୍ରୁଟର ଅଧ୍ୟକ୍ଷ ଅରୁଣ ବୋଥ୍ରା ଓ ସମାଜସେବୀ ତଥା ଅହମଦାବାଦସ୍ଥିତ ଲଭିଙ୍ଗ ସେଣ୍ଟର ଫର ଟ୍ରାନ୍ସଫର୍ମେସନର ପ୍ରତିଷ୍ଠାତା ଓ ସିଇଓ ଡ.ରୋନକ ଗାନ୍ଧି ଯୋଗଦେଇ ଆଲୋଚନା କରିଥିଲେ ।

ଏହି ଅବସରରେ ପ୍ରାରମ୍ଭିକ ଭାଷଣ ଦେଇ ଏଫଏଲଓ, ଭୁବନେଶ୍ୱରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ କହିଥିଲେ ଯେ କରୋନା ସଂକ୍ରମିତ ହେବାର ଭୟ କିମ୍ବା ନିଜର ପରିବାରପରିଜଜନଙ୍କୁ ହରାଇବାର ଭୟ ଆଦି ବିଭିନ୍ନ କାରଣ ଯୋଗୁଁ ଗତ ଦୁଇ ମାସରେ ୮ ଜଣ ବ୍ୟକ୍ତି ଆତ୍ମହତ୍ୟା କରିସାରିଲେଣି । ଏହି ବୈଶ୍ୱିକ ମହାମାରୀର ଏକ ସୁଦୂରପ୍ରସାରୀ ପ୍ରଭାବ ଲୋକମାନଙ୍କ ମନଃସ୍ତତ୍ତ୍ୱ, ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ିଛି ।

ଆଲୋଚନାରେ ନିଜ ମତ ରଖି ଡଃ କେ.ଶେଖର କହିଥିଲେ ଯେ ପୂର୍ବରୁ ମାନବ ସମାଜ ଅନେକ ମହମାରୀ ଦେଖିଥିଲେ ମଧ୍ୟ କରୋନା ମହାମାରୀ ସେଗୁଡ଼ିକଠାରୁ ଭିନ୍ନ । କାରଣ ଏହା ମାନବ ସମାଜକୁ ଶାରିରୀକ, ଆର୍ଥିକ, ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଗୁରୁତର ଭାବେ ପ୍ରଭାବିତ କରିଛି।  କୌଣସି ପ୍ରତିକୂଳ ପରିସ୍ଥିତିରେ ପଡ଼ିଲେ ମାନସିକ ଚାପ ସୃଷ୍ଟି ହେବା ଏକ ସ୍ୱାଭାବିକ କଥା । କରୋନାକୁ ନେଇ ରହିଥିବା ଭୟ, ଭ୍ରାନ୍ତଧାରଣା, ଘୃଣାଭାବନା ଯୋଗୁଁ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଏହି ପରିସ୍ଥିତିରୁ ଉଦ୍ଧାର ପାଇବାକୁ ହେଲେ ଆମକୁ ସକାରାତ୍ମକ ଓ ଆଶାବାଦୀ ହେବା ସହ ପରିସ୍ଥିତି ସହ ନିଜକୁ ଖାପଖୁଆଇ ଆଗକୁ ବଢ଼ିବାକୁ ପଡ଼ିବ।

ମହାମାରୀ ସମୟରେ ଏସବୁ ସମସ୍ୟାର ମୁକାବିଲା ଲାଗି ପ୍ରତିଷେଧକ ଶକ୍ତି ବିକଶିତ କରିବା ଦରକାର। କାରଣଯେ କୌଣସି ରୋଗକୁ ମୁକାବିଲା କରିବାର ଶକ୍ତି ଆମ ଶରୀରରେ ରହିଛି। ଏଭଳି ପରିସ୍ଥିତିରେ ସାଧାରଣତଃ ଭୟ, ଦ୍ବନ୍ଦ୍ବ, କ୍ରୋଧ, ଏକାଗ୍ରତା ହାନୀ ଓ ନିଦ୍ରା ଶୈଳୀରେ ପରିବର୍ତ୍ତନ ଭଳି ମାନସିକ ସମସ୍ୟା ଦେଖାଦେଇଥାଏ। ଏହାର ମୁକାବିଲା ଲାଗି ନିଜର ସପୋର୍ଟ ସିଷ୍ଟମକୁ ସକ୍ରିୟ ଏବଂ ଶକ୍ତିଶାଳୀ କରିବାକୁ ହେବ ବୋଲି ଡଃ କେ.ଶେଖର ପରାମର୍ଶ ଦେଇଥିଲେ।

ଏହି ଅବସରରେ ଆଇପିଏସ ଅଧିକାରୀ ତଥା ସମାଜସେବୀ ଅରୁଣ ବୋଥ୍ରା କହିଥିଲେ ଯେ ମହାମାରୀ ସମୟରେ .ଲୋକଙ୍କୁ ସାହାଯ୍ୟ କରି ସେ ନିଜର ୨୨ ବର୍ଷର ଚାକିରି ଜୀବନରେ ସବୁଠାରୁ ଅଧିକ ସନ୍ତୁଷ୍ଠି ପାଇଛନ୍ତି। ଏହି ମହାମାରୀ ସମୟରେ  ଇଣ୍ଡିଆ କେୟାର୍ସ ନିଜର ୩ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଲୋକମାନଙ୍କୁ ସହାୟତାର ହାତ ବଢାଉଛି । ଲୋକମାନେ ମଧ୍ୟ ସହାୟତା ପାଇଁ ଅନୁରୋଧ କରୁଛନ୍ତି । ସହାୟତା ମାଗୁଥିବା କେତେକ ଲୋକ ଭୀଷଣ ମାନସିକ ଚାପରେ ମଧ୍ୟ ରହୁଛନ୍ତି । ଏପରିକି କେତେକ ସ୍ୱେଚ୍ଛାସେବୀ ମଧ୍ୟ ମାନସିକ ଚାପରେ ରହୁଛନ୍ତି । ସେମାନେ ସହାୟତା କରୁଥିବା ଲୋକଟିଏ ମୃତ୍ୟୁବରଣ କଲେ କିମ୍ବା ଗୁରୁତର ହେଲେ ତାହା ସେମାନଙ୍କୁ ମାନସିକଭାବେ ଧକ୍କା ଦେଉଛି।

ସେହିପରି ଡ.ରୋନକ ଗାନ୍ଧି କହିଥିଲେ ଯେ ଆମକୁ ଏହି ସମସ୍ୟାକୁ ସକାରାତ୍ମକ ଦୃଷ୍ଟିରୁ ବିଚାର କରିବାକୁ ହେବ । ଏହି ମହାମାରୀ ଆମକୁ ଆମ ପରିବାର ସହ ସମୟ କାଟିବାର ସୁଯୋଗ ଦେଉଛି, ପରିବେଶ ପ୍ରଦୂଷଣ ଦୂର ହୋଇଛି । ସେହିପରି କରୋନା ଆକ୍ରାନ୍ତଙ୍କର କେବଳ ଶାରିରୀକ ଚିକିତ୍ସା ନକରି ଆମକୁ ସାମଗ୍ରିକ ଚିକିତ୍ସା ଅର୍ଥାତ ଉଭୟ ମାନସିକ ଓ ଶାରିରୀକ ଚିକିତ୍ସା କରିବାକୁ ହେବ ।

ଏଫଏଲଓର ସଭାପତି ଧରିତ୍ରୀ ପଟ୍ଟନାୟକ ଏହି ୱେବିନାରକୁ ପରିଚାଳନା କରିଥିବାବେଳେ ସଂପାଦିକା ନମ୍ରିତା ଚହଲ ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ । ଏଥିରେ ୫୦୦ରୁ ଅଧିକ ସାମାଜିକ କର୍ମୀ, ଛାତ୍ରଛାତ୍ରୀ,ସରକାରୀ କର୍ମଚାରୀ, ଶିକ୍ଷାବିତ ଓ ଏଫଏଲଓ ସଦସ୍ୟମାନେ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର