ଭୁବନେଶ୍ୱର: ବିଜ୍ଞାନ ପୁରୁଷ ବୈଜ୍ଞାନିକ ଏବଂ ମହିଳା ବୈଜ୍ଞାନିକ ମଧ୍ୟରେ କୌଣସି ପ୍ରଭେଦ କରେ ନାହିଁ। ନାରୀମାନଙ୍କ ମଧ୍ୟରେ ସାମର୍ଥ୍ୟର ଅଭାବ ନାହଁ। କିନ୍ତୁ ସେମାନଙ୍କ ପାଇଁ ସୁଯୋଗ ଆବଶ୍ୟକତା ଅଛି। ଅନ୍ତର୍ଜାତୀୟ ମହିଳା, ବାଳିକା ବିଜ୍ଞାନ ଦିବସ ଅବସରରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜନସଂପର୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ‘ନାରୀ ବିଜ୍ଞାନ ଏବଂ ଭବିଷ୍ୟତ’ ଶୀର୍ଷକ ଆଭାସୀ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଅଂଶ ଗ୍ରହଣ କରି ଏଭଳି ମତପୋଷଣ କରିଛନ୍ତି।
କଟକ ଆକାଶବାଣୀ କେନ୍ଦ୍ରର ଖବର ସମ୍ପାଦିକ ଇତିଶ୍ରୀ ସିଂ ରାଠୋରଙ୍କ ଦ୍ୱାରା ସଂଯୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଞ୍ଚଳିକ ଜନସଂପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ନାରୀମାନଙ୍କୁ ବିକାଶର ପ୍ରତୀକ ଭାବେ ଗ୍ରହଣ କରିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି।
ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଲୁନା ସାମନ୍ତ କହିଥିଲେ ଯେ, ନାରୀମାନଙ୍କୁ ଉଚିତ ପରିବେଶ ଏବଂ ସୁଯୋଗ ମିଳିଲେ ବିଜ୍ଞାନ କ୍ଷେତ୍ରରେ ବିକାଶ ଆହୁରି ତ୍ୱରାନ୍ଵିତ ହେବ। ଅନ୍ୟବକ୍ତା ଭାବେ କିଟ୍ ବିଶ୍ୱବଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ. ସୁଦେଶ୍ନା ଚୌଧୁରୀ ଏବଂ ସମାଜସେବୀ ଡ. ମମତା ଦାସ ନାରୀମାନଙ୍କ ସକରାତ୍ମକ ଚିତ୍ର ବିଭିନ୍ନ ଗଣମାଧ୍ୟମରେ ପରିବେଷଣ କରିବାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ।