ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ନେଇ ସରକାରଙ୍କ ୟୁ-ଟର୍ଣ୍ଣ! ଅଧ୍ୟାଦେଶ ସଂଶୋଧନ ଉପରେ ୱେବିନାର ଆଜି

ଅସନ୍ତୋଷ ଝାଡ଼ିଲେ ବିଶ୍ବବିଦ୍ୟାଳୟ ପ୍ରଫେସର
ସରକାରଙ୍କ କଥାରେ ହଁ ମାରିବାକୁ ୱେବିନାର: ବିଜେପି

ଭୁବନେଶ୍ୱର : ରାଜ୍ୟ ସରକାର ତରବରିଆ ଭାବେ ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧିତ)ଅଧ୍ୟ‌ାଦେଶ-୨୦୨୦ ଲାଗୁ କରିଛନ୍ତି। ବିଶ୍ବବିଦ୍ୟାଳୟ କୁଳପତି, ପୂର୍ବତନ କୁଳପତି, ଶିକ୍ଷାବିତ୍‌, ପ୍ରଫେସର, ଅଧ୍ୟାପକ, ଶିକ୍ଷକ ସଙ୍ଗଠନଙ୍କ ସହ କୌଣସି ପ୍ରକାର ଆଲୋଚନା ନ କରି ରାତାରାତି କ୍ୟାବିନେଟ୍‌ ମୋହର ଲଗାଇଦେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିଦେଇଛନ୍ତି। ଯାହାକୁ ସହଜରେ ଗ୍ରହଣ କରାଯାଇ ନାହିଁ। ବିରୋଧୀ ବିଜେପି ଓ କଂଗ୍ରେସ ଦଳ ଏହାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଶିକ୍ଷାବିତ୍‌ମାନେ ମଧ୍ୟ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କୁ ସାକ୍ଷାତ କରି ଅଧ୍ୟାଦେଶ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନେଇ କେନ୍ଦ୍ର ଶିକ୍ଷ‌ାମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ସାରା ରାଜ୍ୟରେ ଏହାକୁ ନେଇ ପ୍ରବଳ ବିରୋଧ ହେବା ପରେ ଏବେ ଉଚ୍ଚଶିକ୍ଷା ବିଭାଗ ଏହା ଉପରେ ପୁନର୍ବିଚାର କରିବାକୁ ଚିନ୍ତା କରୁଥିବାର ଖବର ମିଳିଛି।

ସଂଶୋଧିତ ଅଧ୍ୟାଦେଶ ତୁରନ୍ତ ଲାଗୁ କରିବାକୁ ଗତ ସପ୍ତାହରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ବିଶ୍ବବିଦ୍ୟାଳୟଗୁଡ଼ିକର କୁଳସଚିବ ଓ ବିତ୍ତ ନିୟନ୍ତ୍ରକଙ୍କୁ ନିର୍ଦେଶ ଦେଇଥିଲେ। ଆଉ ଏବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ୱେବିନାର ମାଧ୍ୟମରେ ସଂଶୋଧିତ ଅଧ୍ୟାଦେଶ ଉପରେ ଆଲୋଚନାଚକ୍ର ଡାକିଛନ୍ତି। ସେପ୍ଟେମ୍ବର ୨୭ ତଥା ରବିବାର ପୂର୍ବାହ୍ନ ୧୧ଟାରେ ଏହି ୱେବିନାର ହେବ। ଏଥିରେ ଅଂଶଗ୍ରହଣ ଲାଗି ରାଜ୍ୟର ୧୨ଟି ବିଶ୍ବବିଦ୍ୟାଳୟର ହାତଗଣତି ପ୍ରଫେସରଙ୍କୁ ଡକାଯାଇଛି।

ଏହା ଜଣାପଡ଼ିବା ପରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଟ୍ବିଟ୍ କରି କହିଛନ୍ତି ଯେ ଏ ପ୍ରହସନ କ’ଣ ପାଇଁ। ଅଧ୍ୟାଦେଶ ସଂଶୋଧନ କରିବା ପରେ ୱେବିନାର ଡାକିବାର କାରଣ କ’ଣ? ନା ଏହା ମାଧ୍ୟମରେ ପ୍ରଫେସରମାନଙ୍କ ଚାପ ପକାଇବାକୁ ଉଦ୍ୟମ କରାଯାଉଛି। ପ୍ରଫେସରମାନଙ୍କୁ ଆଗୁଆ ଫୋନ୍‌ କରି ୱେବିନାରରେ ଭ‌ାଗନେଇ ରାଜ୍ୟ ସରକାରଙ୍କ ହଁ ରେ ହଁ ମାରିବାକୁ କୁହାଯାଉଛି। ଅଧିନିୟମ ସଂଶୋଧନକୁ ପୂର୍ବତନ କୁଳପତି, ଶିକ୍ଷାବିତ୍‌ମାନେ ବିରୋଧ କରୁଥିବା ବେଳେ ଏବେ ବିଶ୍ବବିଦ୍ୟାଳୟ ପ୍ରଫେସରମାନେ ବି ମୁହଁ ଖୋଲିଲେଣି। ଓଡ଼ିଶା ବିଶ୍ବବିଦ୍ୟାଳୟ ଜଏଣ୍ଟ ଆକ୍ସନ କମିଟି ଗଠନ କରି ଏହା ଉପରେ ବ୍ୟାପକ ବିଚାରବିମର୍ଶ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଲେଖି ସିଧାସଳଖ ନିଜର ଅସନ୍ତୋଷ ଜାହିର କରିଛନ୍ତି।

‘ସମ୍ବାଦ’ର ହସ୍ତଗତ ହୋଇଥିବା ଚିଠି ଅନୁଯାୟୀ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ୨୭ ତାରିଖରେ ୱେବିନାର ଡାକିଥିବା ବେଳେ ୨୫ ତାରିଖରେ କମିଟି ପକ୍ଷରୁ ଏକ ଲମ୍ବା ଚିଠି ଲେଖାଯାଇଛି। ଏଥିରେ କୁହାଯାଇଛି ଯେ ସଂଶୋଧିତ ଅଧ୍ୟାଦେଶ ଉପରେ ଏକ ଅନ୍‌ଲାଇନ୍‌ ଖୋଲା ଆଲୋଚନାଚକ୍ର ଡକାଯାଇଛି। ତେବେ ଏହାକୁ ନେଇ ପ୍ରଶ୍ନ ଉଠିଛି। କିଛି ଶିକ୍ଷାବିତ୍‌ଙ୍କର କହିବା କଥା ହେଲା, ଅଧ୍ୟାଦେଶ ସଂଶୋଧିତ ହେବା ପୂର୍ବରୁ କୌଣସି ଆଲୋଚନା କରାଗଲା ନାହିଁ କି ବିଚାରବିମର୍ଶ ହେଲାନି। ବରଂ ତରବରିଆ ଭାବେ କାର୍ଯ୍ୟକାରୀ କରିବା ଦିଗରେ ବିଭାଗ ତତ୍ପରତା ଦେଖାଇଲା। ସଂଶୋଧିତ ଅଧ୍ୟାଦେଶ ସମ୍ପର୍କରେ କମିଟି ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବା ସହ ମତ ଉପସ୍ଥ‌ାପନ କରାଯାଇ ସାରିଛି। ତେଣୁ ଏହି ‌ବୈଠକ ଡାକିବାର କୌଣସି ଯଥାର୍ଥତା ନାହିଁ। କି ଆମେ ସାମିଲ ହେବାର କୌଣସି ଆବଶ୍ୟକତା ନାହିଁ। ବରଂ ଅଧ୍ୟାଦେଶକୁ ସମର୍ଥନ କରିବା ଲାଗି ଏହା ଏକ ଯୋଜନାବଦ୍ଧ ବ୍ୟବସ୍ଥା। ବୈଠକରେ ଭାଗନେବାକୁ ଡକାଯାଇଥିଲେ ମଧ୍ୟ ଏହାର ଉଦ୍ଦେଶ୍ୟ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏହା କରିବା ବଦଳରେ ବିଶ୍ବବିଦ୍ୟାଳୟଗୁଡ଼ିକର ଏକ ମିଳିତ ପ୍ରତିନିଧି ଦଳ ସହ ଆଲୋଚନା କରନ୍ତୁ। ବିଶ୍ବବିଦ୍ୟାଳୟ ଅଧ୍ୟାଦେଶରେ କେଉଁଭଳି ସଂଶୋଧନ କରାଗଲେ ଭବିଷ୍ୟତ ପାଇଁ ଭଲ ହେବ ସେନେଇ ବିଚାରବିମର୍ଶ ହେଉ। ଫଳରେ ରାଜ୍ୟ ସରକାର ଓ ବିଶ୍ବବିଦ୍ୟାଳୟ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିବ ବୋଲି ସେମାନେ ମତ ଦେଇଛନ୍ତି।

ଅନ୍ୟପକ୍ଷରେ ୨୭ ତାରିଖରେ ବୈଠକ ହେବାକୁ ଥିବା ବେଳେ ଆଜି ରେଭେନ୍ସା ସମେତ ଆଉ କିଛି ବିଶ୍ବବିଦ୍ୟାଳୟର ପ୍ରଫେସରର ଏକ ପ୍ରତିନିଧି ଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ସାକ୍ଷାତ କରି ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧିତ)ଅଧ୍ୟ‌ାଦେଶ-୨୦୨୦ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସଂଶୋଧିତ ଅଧ୍ୟାଦେଶ ଠିକ୍‌ ହୋଇ ନ ଥିବା ସେମାନେ ମତ ଦେଇଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ପ୍ରଫେସରମାନେ ନିରାଶ ହୋଇ ଫେରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର