ଦିନକୁ ଦିନ ବଦଳୁଛି ଲୋକଙ୍କ ଖବର ରୁଚି, ଇ-ଆଲୋଚନାଚକ୍ରରେ କହିଲେ ବରିଷ୍ଠ ସାମ୍ବାଦିକ ଓ ବୁଦ୍ଧିଜୀବୀ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି । ଏହି ଅବସରରେ ‘ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା ଓ ଭବିଷ୍ୟତ’ ଉପରେ ଏକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଇ-ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ସନ୍ଦୀପ ସାହୁ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ସୁଜିତ ମହାନ୍ତି, ବରିଷ୍ଠ ସାମ୍ବାଦିକା ବବିତା ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ପ୍ରତ୍ୟୁଷ କୁମାର ସା, ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଓ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଯୋଗ ଦେଇଥିଲେ | ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ସନ୍ଦୀପ ସାହୁ କହିଛନ୍ତି, ବର୍ତ୍ତମାନ ଖବରକାଗଜଗୁଡ଼ିକର ପ୍ରସାରଣ ସଂଖ୍ୟା ବଢ଼ିଯାଇଛି । ନୂଆ ଖବରକାଗଜ ଆତ୍ମପ୍ରକାଶ କରୁଛି । ନୂଆ ଚ୍ୟାନେଲ୍‍ ଖୋଲୁଛି । କିଛି ୱେବ୍‍ ଚ୍ୟାନେଲ୍‍, ସାଟେଲାଇଟ୍‍ ଚ୍ୟାନେଲ୍‍ ହେବାକୁ ଯାଉଛନ୍ତି । ପାଠକ ସଂଖ୍ୟା ବଢ଼ୁଛି । ଦର୍ଶକ ବି ବଢ଼ୁଛନ୍ତି । ବିଜ୍ଞାପନର ଆକାର ବି ବଢ଼ୁଛି । ଲୋକଙ୍କ ସାକ୍ଷରତା ହାର ବଢ଼ିଛି । ଏସବୁ ଭଲ ଦିଗ ଭିତରେ ନିରାଶଜନକ ଦିଗଟି ହେଉଛି, ପ୍ରକୃତ ଖବର ବା ଯେଉଁଥିରେ ଲୋକଙ୍କ ସ୍ୱାର୍ଥ ଜଡ଼ିତ ତାହାର ସଂଖ୍ୟା କମିବା । ସେହିପରି ଲୋକଙ୍କ ରୁଚି ମଧ୍ୟ ବଦଳୁଛି । କିଛି ଲୋକ କ୍ରୀଡ଼ା ଖବର ଚାହୁଁଥିଲାବେଳେ କିଛି ଚାହୁଁଛନ୍ତି ମନୋରଞ୍ଜନଭିତ୍ତିକ ଖବର । ପୁଣି କିଛି ରାଜନୈତିକ ଖବର ତ ଆଉ କିଛି ବାଣିଜ୍ୟ ସମ୍ପର୍କିତ । ୟା’ରି ଭିତରେ ଗଣମାଧ୍ୟମ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ଯେ ସେ କାହାକୁ ଗୁରୁତ୍ୱ ଦେବ । ଯଦି ପାଠକୀୟ ରୁଚି ଅନୁସାରେ ଖୋରାକ ଯୋଗାଇବେ, ତେବେ ଅନେକ ସମୟରେ ଖବର ଭିତରର କଥା ଲୁଚି ରହିଯିବ । କେବଳ ଏତିକି ନୁହେଁ, ଖବରକାଗଜ ହେଉ କି ଟେଲିଭିଜନ୍‍ ନିଉଜ୍‍ ଚ୍ୟାନେଲ୍‍ ଏସବୁ ମୁଖ୍ୟତଃ ବିଜ୍ଞାପନ ଉପରେ ନିର୍ଭର କରନ୍ତି । ତା’ ମାନେ ନୁହେଁ ଯେ ବିଜ୍ଞାପନ ସର୍ବସ୍ୱ ହୋଇଯିବା । କେହି କେହି ଅଭିଯୋଗ କରନ୍ତି, ଆଜିକାଲି ଖବରକାଗଜରେ ଖବର କମ୍‍, ବିଜ୍ଞାପନ ଅଧିକ । ଏହା ନିଶ୍ଚିତ ଅଧିକାଂଶ କ୍ଷେତ୍ରରେ ଠିକ୍‍ । ଏଣୁ ଗଣମାଧ୍ୟମ ଲୋଭ ଓ ଲାଭଖୋର ମନୋଭାବ ବଦଳରେ ଖବର ଓ ବିଜ୍ଞାପନ ଭିତରେ ଏକ ସନ୍ତୁଳନ ରକ୍ଷା କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି ।

ଅନ୍ୟତମ ବକ୍ତା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ସୁଜିତ ମହାନ୍ତି କହିଛନ୍ତି, ନ’ଅଙ୍କ ଦୁର୍ଭିକ୍ଷ ଭଳି ଏକ ବିପତ୍ତି ସମୟରେ ‘ଉତ୍କଳ ଦୀପିକା’ ଆରମ୍ଭ ହୋଇଥିଲା । ସାମାଜିକ-ଅର୍ଥନୈତିକ ପ୍ରସଙ୍ଗ ଉପରେ ଏହା ବିଶେଷଭାବେ ଆଲୋଚନା କରୁଥିଲା । ସେସମୟରେ ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ଏହା ଗୁରୁତ୍ୱ ଦେଉଥିଲା । ତେବେ ସେତେବେଳେ ସୂଚନାର ପ୍ରସାର ଯେମିତି ବିଫଳ ହୋଇଥିଲା ସମାନ କଥା ଆଉ ଥରେ ନହେଉ । ପରବର୍ତ୍ତୀ ସମୟରେ ଆଉ କିଛି ଖବରକାଗଜ ଓଡ଼ିଶାରେ ଆସିଥିଲା । ଏସବୁ ସାମାଜିକ-ରାଜନୈତିକ ଦିଗକୁ ଗୁରୁତ୍ୱ ଦେଇଥିଲେ । ଏବେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆମକୁ ପୁନଃର୍ଜୀବିତ କରିବାକୁ ପଡୁଛି । କିନ୍ତୁ ଏହାର ଯାତ୍ରା ବହୁତ ପୂର୍ବରୁ ଆରମ୍ଭ ହୋଇଥିଲା । ଏଥିପାଇଁ ଅନେକ ସଂଘର୍ଷ ହୋଇଥିଲା । ମୁଖ୍ୟତଃ ସାମାଜିକ ସଂସ୍କାର, ସ୍ୱାଧୀନତା ଆନ୍ଦୋଳନ ତଥା ବ୍ରିଟିଶ ଶାସନ ବିରୋଧରେ ଏକ ବିପ୍ଳବର ଆହ୍ୱାନ ଦେଇଥିଲା ଏମିତି କିଛି ଖବରକାଗଜ । ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ଏସବୁ ବିଷୟରେ ଆଲୋଚନା କରିବାର ଆବଶ୍ୟକତା ରହିଛି । ୟା’ରି ଭିତରେ ଗଣମାଧ୍ୟମ ବହୁତ ଉନ୍ନତି କରିଛି । ଡିଜିଟାଲ୍‍ ମିଡିଆ ଅନେକ ପରିବର୍ତ୍ତନ ଆଣିଛି । ଦୁଃଖର କଥା, ଆଜିକାଲି ଅନେକ ଗଣମାଧ୍ୟମରେ ଖାମଖିଆଲି ରିପୋର୍ଟିଂ ଦେଖିବାକୁ ମିଳୁଛି । ଫଳରେ ଲୋକେ ଗଣମାଧ୍ୟମ ଉପରେ ଏତେଟା ବିଶ୍ୱାସ ରଖିପାରୁନାହାନ୍ତି । ଏଥରୁ ଲୋକଙ୍କୁ ଶିକ୍ଷିତ ହେବାକୁ ପଡ଼ିବ । ଗଣମାଧ୍ୟମ ଯାହା କହୁଛି, ତାହା ଯେ ବେଦର ଗାର; ସେକଥା ଆଦୌ ଭାବିବା ଉଚିତ ନୁହେଁ । କାରଣ ଡିଜିଟାଲ୍‍ ମିଡିଆ ଯୁଗରେ ଖବରର ବିଶ୍ଳେଷଣ କରିବାରେ ଅନେକ ସୁଯୋଗ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ବରିଷ୍ଠ ସାମ୍ବାଦିକା ବବିତା ସ୍ୱାଇଁ କହିଛନ୍ତି, ବର୍ତ୍ତମାନ ଖବରର ପରିଭାଷା ସମ୍ପୂର୍ଣ୍ଣ ବଦଳିଯାଇଛି । ଆଗରୁ ଖବର ପାଇବା ପାଇଁ ଲୋକେ ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରୁଥିଲେ । ଏବେ ଖବରର ପ୍ରସ୍ତୁତି ଓ ପରିବେଷଣର ଶୈଳୀ ବଦଳିଛି । ପ୍ରତି ମୁହୂର୍ତ୍ତରେ କ’ଣ ଘଟଣା ଘଟୁଛି, ତାହା ଲୋକେ ଜାଣିବାକୁ ଚାହୁଁଛନ୍ତି । ଏମିତି ଏକ ସମୟରେ ଉଭୟ ଗଣମାଧ୍ୟମ ଓ ରିପୋର୍ଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନର ପ୍ରତିଯୋଗିତାମୂଳକ ବ୍ରେକିଂ ନିଉଜ୍‍ ଯୁଗରେ ଖବରର ସତ୍ୟତା ସବୁଠୁଁ ଅଧକ ଗୁରୁତ୍ୱ ବହନ କରେ । ଘଟଣା ସ୍ଥଳକୁ ଯାଇ ପ୍ରତି ଘଟଣା ଏବଂ ଖବରର ବିଭିନ୍ନ ଦିଗ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିବା ଆବଶ୍ୟକ । ଏଥିପାଇଁ ଚ୍ୟାନେଲ୍‍ ଦାୟିତ୍ୱରେ ଥିବା ସମସ୍ତେ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି ।

ବରିଷ୍ଠ ସାମ୍ବାଦିକ ପ୍ରତ୍ୟୁଷ କୁମାର ସା’ କହିଛନ୍ତି, ଓଡ଼ିଆ ଗଣମାଧ୍ୟମର ଧାରାରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି । ନ’ଅଙ୍କ ଦୁର୍ଭିକ୍ଷରୁ କରୋନା ମହାମାରୀ ସମୟସୀମା ଭିତରେ ଗଣମାଧ୍ୟମ ଅନେକ ସଫଳତା, ବିଫଳତା, ସଂଘର୍ଷ, ଘାତ ପ୍ରତିଘାତ ଭିତରେ ଗତି କରିଛି । ତେବେ ଗଣମାଧ୍ୟମର ଧାରା ସବୁବେଳେ ପରିବର୍ତ୍ତନଶୀଳ । ଗତକାଲି ଯାହା ଥିଲା, ତାହା ଆଜି ନାହିଁ କି ଆଗକୁ ବି ରହିବ ନାହିଁ । ତଥାପି, ଗଣମାଧ୍ୟମରେ ମୁଖ୍ୟତଃ ବୈଷୟିକ ଜ୍ଞାନକୌଶଳ, ଦକ୍ଷତା ତଥା ଦର୍ଶକ ବା ପାଠକଙ୍କ ରୁଚିର ଧାରା ବଦଳି ଚାଲିଛି ବୋଲି ସେ କହିଛନ୍ତି । ସ୍ୱାଗତ ଭାଷଣ ପ୍ରଦାନ କରି ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଥିଲା । ଏଥିପାଇଁ ଏହି ଦିନକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ତେବେ କେହିକେହି ‘କୁଜୀବର ପତ୍ର’ ଓ ‘ମାଦଳା ପାଞ୍ଜି’କୁ ପ୍ରଥମ ଓଡ଼ିଆ ଖବରକାଗଜ ବୋଲି ବିବେଚିତ କରନ୍ତି । ତେବେ ପ୍ରକୃତରେ ଉପସ୍ଥାପନା ଶୈଳୀରେ, ଖବର ପରିବେଷଣରେ, ବିଶ୍ଳେଷଣରେ ‘ଉତ୍କଳ ଦୀପିକା’ ଏକ ମଡେଲ୍‍ ଖବରକାଗଜ ଭାବେ ପ୍ରକାଶ ପାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ବର୍ଷ ‘ଉତ୍କଳ ଦୀପିକା’ ଆରମ୍ଭ ହୋଇଥିଲା, ସେଇ ବର୍ଷ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା । ଏଥିରେ ଓଡ଼ିଶା ଓ ଆଖପାଖ ଅଞ୍ଚଳର ୧୦ ଲକ୍ଷ ଲୋକଙ୍କ ପ୍ରାଣହାନି ହୋଇଥିଲା । ପ୍ରଶାସନିକ ପରିଚାଳନାରେ ତ୍ରୁଟି ଯୋଗୁଁ ଖାଦ୍ୟ ମହଜୁଦ ଥାଇ ମଧ୍ୟ ଖାଦ୍ୟ ସଙ୍କଟ ଦେଖାଦେଲା । ଏମିତି ଏକ ସ୍ଥିତିରେ ସରକାର ଯେଉଁ କାର୍ଯ୍ୟ କରିବା କଥା, ତାହା ‘ଉତ୍କଳ ଦୀପିକା’ ହିଁ କରିଥିଲା । ଲୋକଙ୍କ ସମସ୍ୟାକୁ ସିଧାସଳଖ ଉପସ୍ଥାପନ କରୁଥିଲା । ଉପଯୁକ୍ତ ବିଶ୍ଳେଷଣ କରୁଥିଲା । ସେସମୟର ସମାଜ ବ୍ୟବସ୍ଥା ଉପରେ ଯେଉଁଭଳି ଭାବେ ଏକ ଭଲ ଖବରକାଗଜ କାର୍ଯ୍ୟ କରିବା କଥା, ତାହା ଉତ୍କଳ ଦୀପିକା କରିଥିଲା । ଦୀର୍ଘ ୭୦ ବର୍ଷ କାଳ ଏ ଖବରକାଗଜ ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇଥିଲା । ଆଜି ଆମେ କୋଭିଡ-୧୯ ମହାମାରୀର ସାମ୍ନା କରୁଛେ । ଏଣୁ ସେସମୟରେ ଖବରକାଗଜ କିଭଳି ଖବର ପରିବେଷଣ କରୁଥିଲା, କିଭଳି ବିଶ୍ଳେଷଣ କରୁଥିଲା, ତା’ ଉପରେ ନଜର ଦେବାର ଆବଶ୍ୟକତା ରହିଛି । ଏମିତି କିଛି ଦିଗକୁ ନେଇ ଆମେ ଏ ପ୍ରସଙ୍ଗ ଉପରେ ଆଲୋଚନା ରଖିଛୁ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଅନ୍ୟତମ ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଆଇଆଇଏମ୍‍ସିର ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ।

ସମ୍ବନ୍ଧିତ ଖବର

Comments are closed.