ଜୟପୁର: ଭୋକରେ କେହି ରହିବେ ନାହିଁ । ସମସ୍ତ ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରା‌ଯିବ। ଏହି ଉଦ୍ଦେଶ୍ୟ ନେଇ ଆଇନ ଗୃହୀତ ହେବା ପରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ଓଡିଶା‌ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ଯୋଜନା କରାଯାଇଥିଲା। ଗତ ଦେଢବର୍ଷ ହେବ ଜୟପୁର ବ୍ଳକ ଓ ପୌରାଞ୍ଚଳରେ ପ୍ରାୟ ୫ ହଜାର ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରିଛନ୍ତି। ହେଲେ ନାମ ଯୋଡିବାକୁ ଥିବା ଯୋଗାଣ ବିଭାଗର ୱେବ୍‌ସାଇଟ୍ ବନ୍ଦ ରହିଛି। ଫଳରେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ନପାରି ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। କେବେ ୱେବ୍‌ସାଇଟ ଖୋଲିବ ଏସମ୍ପର୍କରେ ଯୋଗାଣ ବିଭାଗ ନିକଟରେ ଉତ୍ତର ନାହିଁ ।

Advertisment

ଏହା ଗରିବ ହିତାଧିକାରୀଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ ନୁହେଁ କି ବୋଲି ବୁଦ୍ଧିଜୀବୀ ମହଲରେ ଉଠିଛି ପ୍ରଶ୍ନ। ଗରିବ ପରିବାରକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଇଥିଲା। ଯେଉଁମାନେ ଏହି ଯୋଜନାରେ ସାମିଲ ହୋଇଥିଲେ ସେମାନଙ୍କୁ ଚାଉଳ, କିରାସିନି ଓ ଗହମ ଦେବା ବ୍ୟବସ୍ଥା ରହିଛି। ଏହାସହ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଗାଇ ଦେଉଛନ୍ତି। ପୂର୍ବରୁ ରାସନକାର୍ଡରେ ପରିବାରର ଯେଉଁମାନଙ୍କ ନାଁ ନଥିଲା ସେମାନେ ଅଫ୍ ଲାଇନ ଓ ଅନଲାଇନ୍‌ରେ ଆବେଦନ କରିପାରୁଥିଲେ। ଫଳରେ ସରକାରୀ ଯୋଜନାରେ ଉପକୃତ ହୋଇପାରୁଥିଲେ। ଏବେ ପୌରାଞ୍ଚଳର ୧୪୦୦ ନୂଆ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରିଛନ୍ତି। ସେମାନଙ୍କ ପରିବାରର ରାସନକାର୍ଡ ରହିଛି। ଏହି ଯୋଜନାରେ ସାମିଲ ହେବାକୁ ଯେଉଁମାନଙ୍କ ବୟସ ହୋଇଯାଇଛି, କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କ ନା ବାଦ୍ ପଡ଼ିଛି ସେମାନଙ୍କ ନାଁ ଯୋଡିବାକୁ ଆବେଦନ କରିଥିଲେ। ସେହିପରି ପୌରାଞ୍ଚଳର ୨୦୦ ପରିବାର ଏହି ଯୋଜନାରେ ସାମିଲ ଲାଗି ଆବେଦନ କରିଛନ୍ତି। ଜୟପୁର ବ୍ଲକରେ ମଧ୍ୟ ଏକା ଅବସ୍ଥା। ଏଭିତରେ ପ୍ରାୟ ୭୦୦ରୁ ଅଧିକ ପରିବାର ନୂତନକାର୍ଡ ପାଇବାକୁ ଆବେଦନ କରିଛନ୍ତି। ଓ ୩୬୦୦ହିତାଧିକାରୀ ନିଜ ପରିବାରକୁ ମିଳିଥିବା କାର୍ଡ ସହ ସଂଯୋଗ କରିବାକୁ ଆବେଦନ କରିଛନ୍ତି। ଏଭଳି ଉଭୟ ଜୟପୁର ପୌରପାଳିକା ଓ ବ୍ଲକରେ ୫ହଜାର ହିତାଧିକାରୀ ନାଁ ଯୋଡିବାକୁ ଅପେକ୍ଷା କରିଛନ୍ତି। ଜିଲ୍ଲାର ଗୋଟିଏ ବ୍ଲକ ଓ ଗୋଟିଏ ପୌରାଂଚଳରେ ଯଦି ଏତେ ସଂଖ୍ୟକ ହିତାଧିକାରୀ ନାଁ ଯୋଡିବାକୁ ଅପେକ୍ଷା କରିଛନ୍ତି ତେବେ ଜିଲ୍ଲାରେ ‌କେତେ ସଂଖ୍ୟକ ରହିଥିବେ ତାହା ସହଜେ ଅନୁମେୟ।

ଜିଲ୍ଲା ଯୋଗାଣ ଅଧି କାରୀ ପ୍ରଦୀପ କୁମାର ପଣ୍ଡା କହିଛନ୍ତି, ଗର୍ଗେଟ ପୂରଣ ହୋଇଯାଇଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱେବ୍‌ସାଇଟକୁ ବନ୍ଦ କରି ଦିଆଯାଇଛି। ଏହା ନଖୋଲିବା ପର୍ଯ୍ୟନ୍ତ ହିତାଧିକାରୀଙ୍କ ନାଁ ଯେଡାଯାଇ ପାରିବ ନାହିଁ । ୱେବ୍‌ସାଇଟ ଖୋଲିବା ପରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଯୋଡାଯିବ। ୱେବସାଇଟ୍ ଫ୍ରିଜ୍ ହୋଇଥିବାରୁ ନୂଆ ହିତାଧିକାରୀଙ୍କୁ ସାମିଲ କରି ହେଉନି ବୋଲି କହିଛନ୍ତି ବିଡିଓ ଶକ୍ତି ମହାପାତ୍ର।