ଓ୍ୱବ୍‌ସାଇଟ୍‌ ସମସ୍ୟା ପାଇଁ ଫି’ ଦାଖଲ ବନ୍ଦ  : ନବମ ଛାତ୍ରଛାତ୍ରୀଙ୍କ ପଂଜୀକରଣ ବାଧାପ୍ରାପ୍ତ, ବ୍ୟାଙ୍କ୍‌ରେ ଧାଡ଼ିବାନ୍ଧି ଶିକ୍ଷକ ନିରାଶ

କଟକ : ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ)ର ଖାମ୍‌ଖିଆଲ୍‌ ନୀତି ପାଇଁ ଆଜି ନବମ ଶ୍ରେଣୀ ପିଲାଙ୍କ ନାମ ପଞ୍ଜୀକରଣ ବାଧାପ୍ରାପ୍ତ ହୋଇଛି। ଆଜି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ(ଏନ୍‌ରୋଲ୍‌ମେଣ୍ଟ୍‌) ଶେଷ ତାରିଖ ହୋଇଥିଲା ବେଳେ ବୋର୍ଡ େଵବ୍‌ସାଇଟ୍‌ରେ ସମସ୍ୟା ଉପୁଜିବାରୁ ବ୍ୟାଙ୍କ୍‌ରେ ଏନ୍‌ରୋଲ୍‌ମେଣ୍ଟ ଫି’ ଦାଖଲ ହୋଇପାରିନାହିଁ। ଫଳରେ ଫି’ ଦାଖଲ ପାଇଁ ବ୍ୟାଙ୍କ୍‌ରେ ଘଣ୍ଟା ଘଣ୍ଟା ଧାଡ଼ିବାନ୍ଧି ଠିଆ ହେଇଥିବା ପ୍ରଧାନ ଶିକ୍ଷକମାନଙ୍କୁ ଶେଷରେ ହତାଶ ହେବାକୁ ପଡ଼ିଛି। ଏପରିକି, ବ୍ୟାଙ୍କରୁ ଫେରି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟକୁ ଆସି ବି ଶିକ୍ଷକ ନିରାଶ ହୋଇଛନ୍ତି। ବୋର୍ଡର ଏପରି ଦାୟିତ୍ବହୀନତା ପାଇଁ ଶିକ୍ଷକ ତଥା ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

୨୦୨୦ରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ତଥା ଏବର୍ଷ ନବମରେ ପଢ଼ୁଥିବା ପିଲାଙ୍କ ଏନ୍‌ରୋଲ୍‌ମେଣ୍ଟ ପାଇଁ ଅକ୍ଟୋବର ୨୦ତାରିଖରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା। ବିଜ୍ଞପ୍ତିରେ ପିଲାଙ୍କ ନାମ, ଆକାଉଣ୍ଟ ନମ୍ବର, ଫଟୋ, ଆଧାରକାର୍ଡ ନମ୍ବର ଆଦି ୧୦ରୁ ଅଧିକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ନାମ ପଞ୍ଜୀକରଣ ଶେଷ ତାରିଖ ନଭେମ୍ବର ୫ ଥିଲା। କିନ୍ତୁ ଅକ୍ଟୋବର ୧୪ରୁ ୨୪ତାରିଖ ଦୁର୍ଗାପୂଜା ଛୁଟି ରହିବାରୁ ପିଲାଙ୍କ କାଗଜପତ୍ର ସ୍କୁଲରେ ପହଞ୍ଚିବା ବିଳମ୍ବ ହୋଇଥିଲା। ଏଭଳି ସ୍ଥିତିରେ ସମସ୍ତ କାଗଜପତ୍ର ବୋର୍ଡ ପକ୍ଷରୁ ନିଜସ୍ବ ‌େୱବସାଇଟ୍‌ରେ ଅପ୍‌ଲୋଡ କରିବା ପରେ ବ୍ୟାଙ୍କ୍‌ରେ ଫି’ ଦାଖଲ କରିବାକୁ ମେସେଜ୍‌ ଆସିଥିଲା। ଆଜି ରାଜ୍ୟର ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ ବା ତାଙ୍କ ପ୍ରତିନିଧି ଶିକ୍ଷକ ଚାଲାଣ ଫର୍ମ ପୂରଣ କରି ଫି’ ଦାଖଲ ପାଇଁ ବ୍ୟାଙ୍କ୍‌ ଯାଇଥିଲେ। ବ୍ୟାଙ୍କ୍‌ରେ ଦୀର୍ଘ ସମୟ ଧାଡ଼ି ବାନ୍ଧି ଠିଆ ହେବା ପରେ େଵବ୍‌ସାଇଟ୍‌ ଖୋଲିନଥିଲା। ବ୍ୟାଙ୍କ୍‌ କର୍ତୃପକ୍ଷ ଶିକ୍ଷକମାନଙ୍କୁ ଫେରାଇବା ସହିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗଯୋଗ କରିବାକୁ ପରାମର୍ଶ ଦେଇଥିଲେ। କଟକ ସମେତ ଆଖପାଖ ସ୍କୁଲର ପ୍ରଧାନଶିକ୍ଷକମାନେ ବୋର୍ଡ କାର୍ଯ୍ୟାଳୟକୁ ଯାଇଥିଲେ ବି ସେଠାରେ ଅଧିକାରୀଙ୍କଠାରୁ ସମସ୍ୟା ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନପାଇ ନିରାଶରେ ଫେରିଥିଲେ। ଫଳରେ ନବମ ଶ୍ରେଣୀ ପିଲାଙ୍କ ନାମ ପଞ୍ଜୀକରଣ ସ˚ପୂର୍ଣ୍ଣ ହୋଇପାରିନାହିଁ।

ଜଣେ ପ୍ରଧାନଶିକ୍ଷକ କହିଛନ୍ତି, ଛୁଟି ସମୟରେ ବୋର୍ଡ ବିଜ୍ଞପ୍ତି ପ୍ରକାଶ କଲା, ଆଜି େଵବ୍‌ସାଇଟ୍‌ରେ ସମସ୍ୟା ଓ ଆଗାମୀ ଦୁଇ ଦିନ ଛୁଟି। ଏଭଳି ସ୍ଥିତିରେ ନାମ ପଞ୍ଜୀକରଣ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ ହେବା ଦିନୁ ଏହି ସମସ୍ୟା ରହିଛି। ଆଜି ବୋର୍ଡ କାର୍ଯ୍ୟାଳୟରେ ଏସ˚କ୍ରାନ୍ତରେ ବହୁ ଅଭିଯୋଗ ଆସିଛି। ନବମ ଏନ୍‌ରୋଲ୍‌ମେଣ୍ଟ ସମୟ ସୀମା ବୃଦ୍ଧି କରାଯାଇପାରେ ବୋଲି ସ˚ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର