ସମ୍ବଲପୁର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ଇତି ମଧ୍ୟରେ ସପ୍ତାହେରୁ ଅଧିକ ସମୟ ବିତିଯାଇଛି। ମାତ୍ର ତଦନ୍ତ ବିଶେଷ ଆଗେଇ ପାରି ନଥିବା ଯେତିକି ଆଶ୍ଚର୍ଯ୍ୟ ଚକିତ କରିଛି ଘଟଣାର ଦଶ ଦିନ ପରେ ମଧ୍ୟ କୌଣସି ସୁରାକ୍‌ ହାତେଇ ନପାରି ଅନ୍ଧାରରେ ରହିଥିବା ପୁଲିସର ଅପାରଗତାକୁ ଇଂଗିତ କରୁଛି। ବିଭିନ୍ନ ଦିଗରୁ ଅନୁସନ୍ଧାନ କରା ଯାଇଥିଲେ ମଧ୍ୟ ସନ୍ଦେହ ଦୃଢ଼ୀଭୂତ ହେଲା ଭଳି କେତେକ ପ୍ରସଂଗକୁ ଅତ୍ୟନ୍ତ ହାଲୁକା ଭାବରେ ନେଇ ପୁଲିସର ତଦନ୍ତ ପ୍ରକ୍ରିୟା ବାଟ ହୁଡୁଥିବା ସଚେତନ ମହଲରେ ଆଲୋଚନା ହେଉଛି।

Advertisment

ପ୍ରେରକ ସଂପର୍କରେ ତଥ୍ୟ ଗଲା କୁଆଡ଼େ?
ରାୟପୁରର ସ୍କାଏ କିଙ୍ଗ କୋରିଅର ମାଧ୍ୟମରେ ପଠାଯାଇଥିଲା ଏହି ମୃତ୍ୟୁ ଉପହାର। ବାହାଘରିଆ ଖୁସିବାସିରେ ରକ୍ତର ହୋଲି ଭିଆଇଥିଲା ଏହି ପାର୍ସଲ। ବାହାଘର ପାଇଁ ଉପହାର ଆସିଥିବା ଭାବି ଖୋଲିଲା ବେଳକୁ ସବୁ ଶେଷ। ପାର୍ସଲରେ ଥିବା ବୋମା ବିସ୍ଫୋରଣରେ ପ୍ରାଣ ହରାଇଲେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ସଂପର୍କୀୟ ଆଈ। ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ନବବିବାହିତା ରିମା। ଆର୍‌କେ ଶର୍ମା (ମିଥ୍ୟା ନାମ ହୋଇପାରେ) ନାମଧାରୀ ବ୍ୟକ୍ତି ସ୍କାଏ କିଙ୍ଗ କୋରିଅର ଜରିଆରେ ଗତ ୧୫ ତାରିଖରେ ଏହି ପାର୍ସଲ ବୋମାଟି ପଠାଇଥିଲେ। ପ୍ରଶ୍ନ ଉଠୁଛି କୋରିଅର ଜରିଆରେ ଯେ କୌଣସି ପାର୍ସଲ ପଠାଗଲେ ସଂପୃକ୍ତ କୋରିଅର ସଂସ୍ଥା କର୍ତ୍ତୃପକ୍ଷ ପ୍ରେରକର ମୋବାଇଲ ନଂ. ମାଗିଥାନ୍ତି। କୋରିଅର ଉପରେ ଉଭୟ ପ୍ରେରକ (ଯିଏ ପାର୍ସଲ ପଠାଇବ) ଓ ପ୍ରାପକ (ଯାହା ପାଖକୁ ପାର୍ସଲ ଯିବ) ତାଙ୍କ ମୋବାଇଲ ନଂ./ଫୋନ୍‌ ନଂ. ଉଲ୍ଲେଖ କରାଯାଇଥାଏ। ସେ ଦିଗକୁ ଧ୍ୟାନ ଦିଆଯାଇ ନାହିଁ। ଯଦି ନଂ.ନଥିଲା ତେବେ କୋରିଅର ସଂସ୍ଥା କିପରି ତାହା ଗ୍ରହଣ କଲେ।

‘ଆଧାର’ ନକଲ ରଖିଲେ ନାହିଁ କେମିତି?
ପାର୍ସଲର କନ୍‌ସାଇନ୍‌ମେଣ୍ଟ ନମ୍ବର ଥିଲା ୩୭୨୮୨୩୨୪୧ ଓ ଓଜନ ଥିଲା ୨ କେଜି ୧୦ ଗ୍ରାମ। ଏହି ପାର୍ସଲ ବୋମାଟି ରାୟପୁରରେ ଦୁଇ ରାତି, ସମ୍ବଲପୁରରେ ଦୁଇ ରାତି, ବଲାଙ୍ଗୀରରେ ଗୋଟିଏ ରାତି ଓ ପାଟଣାଗଡ଼ରେ ତିନି ରାତି କୋରିଅର ସଂସ୍ଥାର କାର୍ଯ୍ୟାଳୟରେ ରହିଥିବା ଜଣା ପଡ଼ିଛି। ୨ କେଜିରୁ ଅଧିକ ଓଜନ ବିଶିଷ୍ଟ ପାର୍ସଲ ହୋଇଥିବାରୁ ୧୫ ତାରିଖ ଦିନ ବୁକିଂ ବେଳେ କୋରିଅର ସଂସ୍ଥା ତରଫରୁ ଆଧାର କାର୍ଡର ଫଟୋ କପି ମଗା ଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଉଛି। ତେବେ ସେମାନେ ତାକୁ ନିଜ ପାଖରେ ନରଖି ସେହି ପାର୍ସଲ ଉପରେ ଲଗାଇ ପଠାଇ ଦେଇଥିବା କହୁଛନ୍ତି। ଏଭଳି ସୂଚନା ଦେବା ସନ୍ଦେହକୁ ଦୃଢ଼ୀଭୂତ କରୁଛି। ପ୍ରକୃତରେ ଆଧାର କାର୍ଡର ଫଟୋ କପି ନମାଗି ନିଜ ପାଖେ ସ୍କାନ ମେସିନରେ ସ୍କାନ କରାଯାଏ। ଯଦିବା ଫଟୋ କପି ମାଗିଲେ ତାହାକୁ ପାର୍ସଲ ସହ ପଠାଇବା କଥା ସହଜରେ ଗ୍ରହଣ କରି ହେଉ ନାହିଁ। ଆଧାର କାର୍ଡ ମାଗିବାରେ ଅବହେଳା କରିଛନ୍ତି କିମ୍ବା ପରିଚିତ ବ୍ୟକ୍ତି ହୋଇଥିବାରୁ ବିଶ୍ୱାସ କରିଛନ୍ତି।

କାହିଁକି ବଦଳାଇଥିଲେ ଫେସ୍‌ବୁକ୍‌ ଆକାଉଣ୍ଟ ?
ବେଙ୍ଗାଲୁରୁରେ ଇନଫୋସିସ୍‌ରେ କାମ କରୁଥିଲେ ସୌମ୍ୟ ଶେଖର। ବିବାହର କିଛି ମାସ ପୂର୍ବରୁ ସେ ଇନଫୋସିସ କଂପାନି ଛାଡ଼ି ତୋଶିବାରେ ଯୋଗ ଦେଇଥିଲେ। ତେବେ, ଇନଫୋସିସ୍‌ ଛାଡ଼ିବା ପରେ ପରେ ସେ ତାଙ୍କ ଫେସ ବୁକ୍‌ ଆକାଉଣ୍ଟକୁ ବନ୍ଦ କରି ଦେଇଥିଲେ। ଏହାପରେ ସେ ଅନ୍ୟ ଏକ ଆକାଉଣ୍ଟ ଖୋଲିଥିଲେ। ସେ କାହିଁକି ଏପରି କରିଥିଲେ। ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟର କୌଣସି ପୋଷ୍ଟକୁ ନେଇ ସେ ଭୟ କରୁଥିଲେ କି? କିମ୍ବା ଫେସ୍‌ବୁକ୍‌ର ନୂଆ ପୋଷ୍ଟିଂକୁ ନେଇ ତାଙ୍କ ଗତିବିଧି କାର୍ଯ୍ୟକଳାପକୁ କେହି ହୁଏତ ନଜର ରଖିବାର ଆଶଂକାକୁ ଏଡ଼ାଇବା ପାଇଁ ସେ ତାହା ବନ୍ଦ କରିଦେଇଥିଲେ। ସେ ସଂପର୍କରେ ହୁଏତ ତାଙ୍କ ସହକର୍ମୀମାନେ ଠିକ୍‌ କହି ପାରିବେ। ସେ ସିନା ତାଙ୍କ ଫେସବୁକ୍‌ ଆକାଉଣ୍ଟକୁ ଅଚଳ କରିଦେଇଥିଲେ। ହୁଏତ ତାଙ୍କ ଫ୍ରେଣ୍ଡ ଲିଷ୍ଟରେ ପୂର୍ବରୁ ଯେଉଁମାନେ ଥିଲେ, ସେମାନଙ୍କ ଟାଇମ୍‌ଲାଇନ୍‌ରୁ ସୌମ୍ୟଶେଖରଙ୍କ ପୁରୁଣା ଫେସ୍‌ବୁକ୍‌ ଆକାଉଣ୍ଟ ସଂପର୍କରେ କିଛି ତଥ୍ୟ ମିଳିପାରେ। ପୁଲିସ ସେ ଦିଗରେ ତଦନ୍ତ ପାଇଁ ଏଯାଏ ସାଇବର ଅପରାଧ ନିୟନ୍ତ୍ରଣ ୟୁନିଟ୍‌ର ସହଯୋଗ ନେଇଛନ୍ତି କି?

କଣ୍ଟାମାଳର ୨ ଜଣଙ୍କୁ ନେଲା ବଲାଙ୍ଗୀର ପୁଲିସ

କଣ୍ଟାମାଳ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ବଲାଙ୍ଗୀର ପୁଲିସ ଶନିବାର ରୀମାଙ୍କ ବାପଘର ବୌଦ୍ଧ ଜିଲ୍ଲା କଣ୍ଟାମାଳର ଘଣ୍ଟାପଡ଼ାକୁ ପହଞ୍ଚିଥିଲା। ଏହି ମାମଲାରେ ପୂର୍ବରୁ ପୁଲିସ ଏହି ଅଞ୍ଚଳର ରାଜ୍ୟ ବାହାରେ ପଢୁଥିବା ଜଣେ ଯୁବକଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନରୁ ଆଣି ପଚରା ଉଚରା କରି ଛାଡ଼ି ଦେଇଥିବା ବେଳେ ଶନିବାର କଣ୍ଟାମାଳ ଅଞ୍ଚଳର ଆଉ ୨ ଜଣଙ୍କୁ ଧରି ନେଇ ପଚରା ଉଚରା କରୁଛି। ଏନେଇ କଣ୍ଟାମାଳ ଥାନା ଅଧିକାରୀଙ୍କୁ ପଚାରିବାରୁ ତଦନ୍ତରେ ବାଧା ହେବା ଆଶଙ୍କାରେ ଅଧିକ ସୂଚନା ଦେଇ ନଥିଲେ।