ଗିଫ୍ଟ ବୋମା ବିସ୍ଫୋରଣ ଘଟଣା : ରିମାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

କଟକ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ଭୋଳାନାଥପଡ଼ାରେ ଗିଫ୍ଟ ବୋମା ବିସ୍ଫୋରଣ ଘଟଣାର ଆହତ ନବବଧୂ ରୀମା ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ଅନ୍ତର୍ଗତ ବର୍ଣ୍ଣ ୟୁନିଟ୍‌ ୩ ନମ୍ବର କ୍ୟାବିନ୍‌ରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଛି।

ଡାକ୍ତରଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ, ରୀମାଙ୍କ ଦେହର ୩୫ ପ୍ରତିଶତ ପୋଡ଼ି ହୋଇଯାଇଛି। ମୁହଁ, ବେକ, ଛାତି, ପେଟର କିଛି ଅଂଶ ପୋଡ଼ି ଯାଇଛି। ତେଣୁ ପ୍ରାଥମିକ ଭାବେ ଚକ୍ଷୁ ବିଭାଗ, ଇଏନ୍‌ଟି, ପଲ୍‌ମୁନାରୀ, ସ୍କିନ୍‌ ଇତ୍ୟାଦି ବିଭାଗର ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପୋଡ଼ା ଘା’ ଶୁଖିବା ପରେ ପ୍ଲାଷ୍ଟିକ୍‌ ସର୍ଜରୀ କରାଯିବ ବୋଲି ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୧୮ ତାରିଖରେ ରୀମାଙ୍କର ସୌମ୍ୟରଂଜନଙ୍କ ସହିତ ବିବାହ ହୋଇଥିଲା। ରାୟପୁରରୁ ଆସିଥିବା ଗୋଟିଏ ଗିଫ୍‌ଟ ପ୍ୟାକେଟ୍‌ ଖୋଲୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟରଂଜନ ଓ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିଲା ବେଳେ ରୀମାଙ୍କୁ ବୁର୍ଲା ଅଣାଯାଇଥିଲା। ହେଲେ ବୁର୍ଲାରେ ପ୍ଲାଷ୍ଟିକ୍‌ ସର୍ଜରୀର ସୁବିଧା ନଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ଅଣାଯାଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଆଖି ଫିଟୁନି, କଥା କହିପାରୁନାହାନ୍ତି

ବୋମା ବିସ୍ଫୋରଣରେ ରୀମାଙ୍କ ମୁହଁ, ଛାତି ଓ ପେଟର କିଛି ଅଂଶ ପୋଡ଼ିଯାଇଛି। ଏହାର ଅଧିକ ପ୍ରଭାବ ସିଧାସଳଖ ତାଙ୍କ ଆଖି ଉପରେ ପଡ଼ିଛି। ଆଜି ଦିନତମାମ୍‌ ସେ ଆଖି ଫିଟାଇ ପାରିନଥିଲେ। ଯଦିଓ ଆଖି ପାଖରୁ କେବଳ ଲୁହ ବାହାରୁଥିଲା, ହେଲେ ସେ କାହାରିକୁ ଠିକ୍‌ରେ ଦେଖିପାରୁନଥିଲେ। ବିଭିନ୍ନ ବିଭାଗର ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ବି ଚକ୍ଷୁ ବିଭାଗର ଡାକ୍ତର ଅନୁପସ୍ଥିତ ଥିଲେ। ସୋମବାର ଚକ୍ଷୁ ଡାକ୍ତର ଆସିଲେ ତାଙ୍କ ଆଖିର ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ପେଟ ପାଖ ଅଧିକ ପୋଡ଼ିଯାଇଥିବା କୁହାଯାଇଛି। ଆଜି ତାଙ୍କର ନିମୋନିଆ ଓ କାର୍ଡିଓଲୋଜି ସହିତ ରକ୍ତ ପରୀକ୍ଷା ହୋଇଥିଲାବେଳେ ଆସନ୍ତାକାଲି ଡାକ୍ତରଙ୍କ ପରାମର୍ଶକ୍ରମେ ଅନ୍ୟାନ୍ୟ ପରୀକ୍ଷା ହେବ।

ବର୍ତ୍ତମାନ ରୀମାଙ୍କ ପାଖରେ ବାପା ସୁଦାମ ସାହୁ, ମା’ ଶାନ୍ତିଲତା ସାହୁ ଓ ଭାଇ ରାକେଶ କୁମାର ସାହୁ ତାଙ୍କର ଦେଖାଶୁଣା କରୁଛନ୍ତି। ଏବେ ଝିଅ ଠିକ୍‌ରେ କଥା କହିପାରୁନଥିବାରୁ ପରିବାର ଲୋକେ ସାମାନ୍ୟ ଚିନ୍ତିତ ଅଛନ୍ତି। ଯେତେବେଳେ ଯାହା କହିବାକୁ ଚାହୁଁଛନ୍ତି ବହୁତ ଧିରେ କହୁଛନ୍ତ। ଏପରିସ୍ଥିତିରେ ତାଙ୍କୁ ଅଧିକ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ତେଣୁ ଯେତେଶୀଘ୍ର ଝିଅ ଭଲ ହୋଇ ଘରକୁ ଫେରୁ ବୋଲି ବାପା ସୁଦାମ ଚାହିଁଥିଲାବେଳେ ଦୋଷୀକୁ ଦଣ୍ଡ ଦିଆଯିବାକୁ ସେ ଦାବି କରିଛନ୍ତି।

ସେପଟେ ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ପାଟଣାଗଡ଼ ପୁଲିସ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଲାଗିଛି। ପାର୍ସଲ ପଠାଇଥିବା ବ୍ୟକ୍ତିର ନାମ ଆର୍‌କେ ଶର୍ମା ବୋଲି କୋରିଅର୍‌ ରେକର୍ଡରୁ ଜଣାପଡ଼ିଛି। ଇତିମଧ୍ୟରେ ପୁଲିସ ସୌମ୍ୟଙ୍କ ପିତା ଓ ମାତାଙ୍କୁ ବି ପଚରାଉଚୁରା କରିଛି। ପୂର୍ବ ଶତ୍ରୁତା କିମ୍ବା ପ୍ରେମ ଜନିତ କାରଣରୁ କେହି ବୋମା ପଠାଇ ବଡ଼ ଧରଣର ଅଘଟଣ ଘଟାଇବାକୁ ଉଦ୍ୟମ କରିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର