ରାୟପୁରରୁ ଆସିଥିଲା ‘ମୃତ୍ୟୁ ଉପହାର’!

ବ୍ରହ୍ମପୁରାରେ ଶବ ରଖି ରାସ୍ତା ଅବରୋଧ, ଏନ୍‌ଆଇଏ ତଦନ୍ତ ଦାବି
ସରିଲା ସୌମ୍ୟଙ୍କ ଶେଷକୃତ୍ୟ, ଜିଲ୍ଲା ବାହାରକୁ ଗଲେ ପୁଲିସ ଟିମ୍‌

ବଲାଙ୍ଗୀର/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ଭୋଲାନାଥପଡ଼ାରେ ଯେଉଁ ଉପହାର ପ୍ୟାକେଟ୍‌ ଯୋଗୁଁ ବିସ୍ଫୋରଣ ହୋଇଥିଲା ସେହି ପ୍ୟାକେଟ୍‌ଟି ରାୟପୁରରୁ ଆସିଥିଲା ବୋଲି ସୂଚନା ମିଳିଛି। ଏଥିଲାଗି ପୁଲିସର ଏକ ଟିମ୍‌ ରାୟପୁର ଯାଇଛି।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଦିନ ସାଢ଼େ ୧୨ଟାରେ ସ୍କାଏ କିଙ୍ଗ କୋରିଅର୍‌ରେ ଏକ ପାର୍ସଲ ଆସିଥିଲା। ନବବିବାହିତ ସୌମ୍ୟଶେଖର ସାହୁ ଏହି ପାର୍ସଲ ରିସିଭ୍‌ କରିଥିଲେ। ଏହାର କିଛି ଘଣ୍ଟା ପରେ ହିଁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟଶେଖର, ନବବଧୂ ରୀମା, ଜେଜେମା’ ଜେମାମଣି ଗୁରୁତର ହୋଇଥିଲେ। ବଲାଙ୍ଗୀର ଡାକ୍ତରଖାନାରେ ଜେମାମଣି ଓ ବୁର୍ଲା ନେବା ବେଳେ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିଲା।

ପାଟଣାଗଡ଼ ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ଶୁକ୍ରବାର ବିସ୍ଫୋରଣସ୍ଥଳ ଯାଞ୍ଚ କରିଥିବା ବେଳେ ଶନିବାର ସମ୍ବଲପୁର ଆଞ୍ଚଳିକ ଫୋରେନ୍‌ସିକ୍‌ ଲାବ୍ରୋଟାରିର ବିଶେଷଜ୍ଞମାନେ ପହଞ୍ଚି ଛାନ୍‌ବିନ୍‌ କରିଛନ୍ତି। ଘଟଣାର ତଦନ୍ତ ପାଇଁ ପୁଲିସ ଦୁଇଟି ଟିମ୍‌ ଗଠନ କରିଛି। ପାର୍ସଲଟି ରାୟପୁରରୁ ଆସିଥିଲା, ତେଣୁ ପୁଲିସ ଟିମ୍‌ ଶୁକ୍ରବାର ରାତିରୁ ରାୟପୁର ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ମୃତ ଜେମାମଣିଙ୍କ ଶବ ତାଙ୍କ ପରିବାର ଲୋକେ ନେଇଯାଇଛନ୍ତି। ଶନିବାର ଦିନ ସାଢ଼େ ୩ଟାରେ ବ୍ୟବଚ୍ଛେଦ ହୋଇଥିବା ସୌମ୍ୟଶେଖରଙ୍କ ଶବ ଧରି ପରିବାର ଲୋକେ ପାଟଣାଗଡ଼ ପହଞ୍ଚିଥିଲେ। କଣ୍ଟାବାଞ୍ଜି, ପଦ୍ମପୁର ଓ ବଲାଙ୍ଗୀରକୁ ସଂଯୋଗ କରୁଥିବା ବ୍ରହ୍ମପୁରା ଛକରେ ପାଟଣାଗଡ଼ର ଜନସାଧାରଣ ସୌମ୍ୟଶେଖରଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଉପଜିଲ୍ଲାପାଳ ଯଦୁମଣି ମହଲା ଓ ପୁଲିସ ଏସ୍‌ଡିପିଓ ଶେଷଦେବ ବରିହା ଲୋକଙ୍କୁ ବୁଝାଶୁଝା କରିଥିଲେ। ଏହି ସ୍ପର୍ଶକାତର ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ କୁ ଦେବା ପାଇଁ ଲୋକେ ଦାବିପତ୍ର ଦେଇଥିଲେ। ଏହାପରେ ସୌମ୍ୟଶେଖରଙ୍କ ମରଶରୀରକୁ ଶେଷକୃତ୍ୟ ପାଇଁ ତାଙ୍କ ପିତାଙ୍କ ଗାଁ ପାଟଣାଗଡ଼ ରୁଗୁଡ଼ିମୁଣ୍ଡା ଗାଁକୁ ନିଆଯାଇଥିଲା।

ନବବଧୂ ରୀମା ଏସ୍‌ସିବିକୁ ସ୍ଥାନାନ୍ତର

ବୁର୍ଲା : ଗିଫ୍ଟ ବୋମା ବିସ୍ଫୋରଣ ଘଟଣାରେ ଗୁରୁତର ଆହତ ନବବଧୂ ରୀମାଙ୍କୁ ବୁର୍ଲା ମେଡିକାଲରୁ ଆଜି ରାତିରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ଶୁକ୍ରବାର ତାଙ୍କୁ ବଲାଙ୍ଗୀର ସଦର ହସପିଟାଲ୍‍ରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଭିମସାର ସର୍ଜରି ବିଭାଗର ୧୧୭ ନଂ ଶଯ୍ୟାରେ ଗୋଟେ ଦିନ ରଖାଯିବା ପରେ ଶନିବାର ବର୍ଣ୍ଣ ୟୁନିଟ୍‍ର ୧ ନମ୍ବର କେବିନରେ ଭର୍ତ୍ତିି କରାଯାଇଥିଲା। ବିସ୍ଫୋରଣରେ ତାଙ୍କ ଶରୀରର ୩୫ ପ୍ରତିଶତ ଅଂଶ ପୋଡ଼ି ଯାଇଛି। ରୀମାଙ୍କ ମୁହଁ, ବେକ ଓ ପେଟର କିଛି ଅଂଶ ପୋଡ଼ିଥିବା ବେଳେ ପ୍ଲାଷ୍ଟିକ ସର୍ଜରି କରାଯିବା ଆବଶ୍ୟକତା ରହିଛି। ମାତ୍ର ଭିମ୍‍ସାରରେ ପ୍ଲାଷ୍ଟିକ୍‍ ସର୍ଜରି ଚିକିତ୍ସା ଉପଲବ୍ଧ ନଥିବାରୁ ରୀମାଙ୍କ ବାପା ସୁଦାମ ସାହୁ, ମା’ ଶାନ୍ତିଲତା ସାହୁଙ୍କ ସମେତ ପରିବାର ସଦସ୍ୟମାନେ ତାଙ୍କୁ କଟକ ବଡ଼ ମେଡ଼ିକାଲ ନେଇଯାଇଛନ୍ତି।

ସୂଚନାଯୋଗ୍ୟ ସୁଦାମ ଓ ଶାନ୍ତିଲତାଙ୍କ ଝିଅ ନଥିବାରୁ ସୁଦାମ ତାଙ୍କ ଭାଇ ସୁବଳଙ୍କ ଝିଅ ରୀମାଙ୍କୁ ପିଲାଟି ଦିନରୁ ପୋଷ୍ୟକନ୍ୟା ଭାବରେ ଗ୍ରହଣ କରି ଅତ୍ୟନ୍ତ ସ୍ନେହରେ ବଢ଼ାଇଥିଲେ। ରୀମା କଣ୍ଟାମାଳ କଲେଜରେ କଳାରେ ସ୍ନାତକ ଯାଏଁ ପଢ଼ିଥିଲେ। ପାଟଣାଗଡ଼ ଜବାହାର କଲେଜର ରିଡର ରବୀନ୍ଦ୍ର ସାହୁ ଏବଂ ତାଙ୍କ ପତ୍ନୀ ସଂଯୁକ୍ତା ସାହୁ ହେଉଛନ୍ତି ଶାନ୍ତିଲତାଙ୍କ ମାମୁ ମାଇଁ। ସେମାନଙ୍କ ପୁଅ ସୌମ୍ୟଶେଖରଙ୍କ ସହ ଗତ ୨୦୧୭ରେ ରୀମାଙ୍କ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧର ବର୍ଷେ ପରେ ଗତ ଫେବ୍ରୁଆରି ୧୮ତାରିଖ ଖୁବ ଧୂମଧାମରେ ଉଭୟଙ୍କ ବିବାହ ସଂପନ୍ନ ହୋଇଥିଲା। ତେବେ ମାତ୍ର ୫ ଦିନ ପରେ ଘଟିଥିବା ବିସ୍ଫୋରଣରେ ଉଜୁଡ଼ିଗଲା ସେମାନଙ୍କ ସଂସାର।

ଯିଏ ମୁଦି ପିନ୍ଧେଇଛନ୍ତି ସେ ଖୋଲିବେ: ରୀମା

ସ୍ୱାମୀ ସୌମ୍ୟ ଯେ ଆଉ ଦୁନିଆରେ ନାହାନ୍ତି ଏ କଥା ସ୍ତ୍ରୀ ରୀମା ଏ ପର୍ଯ୍ୟନ୍ତ ଜାଣି ନାହାନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲେ ମଧ୍ୟ ମୁହଁ, ବେକ ଓ ଶରୀରର କିଛି ଅଂଶ ନିଆଁରେ ପୋଡ଼ି ଯାଇଥିବାରୁ ଏବେ ବି ସେ ସଂପୂର୍ଣ୍ଣ ବିପଦମୁକ୍ତ ନୁହନ୍ତି। ଆଖି ମଧ୍ୟ ଖୋଲି ପାରୁ ନାହାନ୍ତି। ଦୁଇ ଆଖିରୁ ଲୁହ ଝରୁଛି। ଏବେବି ସେ ସୌମ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ସେ ଚିନ୍ତା କରୁଛନ୍ତି। ଶନିବାର ରୀମାଙ୍କ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ହାତରେ ପିନ୍ଧିଥିବା ନିର୍ବନ୍ଧ ମୁଦି ଖୋଲିବାକୁ ଡାକ୍ତର କହିଥିଲେ। ମାତ୍ର ରୀମା ତାଙ୍କ କୋହଭରା ଚାପା ଗଳାରେ ‘ସେ ମତେ ମୁଦି ପିନ୍ଧାଇଛନ୍ତି ସେ ହିଁ ଖୋଲିବେ’ ବୋଲି କହିଥିଲେ। ପରିବାରର ଲୋକମାନେ ତାଙ୍କୁ ବହୁତ ବୁଝାଶୁଝା କରିବା ପରେ ମୁଦିକୁ କଢ଼ାଯାଇଥିଲା।

ସମ୍ବନ୍ଧିତ ଖବର