ପାର୍ସଲ ବୋମା ବିସ୍ଫୋରଣ ଘଟଣା : କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ

ଏସ୍‌ସିବିରେ ରିମାଙ୍କୁ ପଚରାଉଚୁରା
ଯାଞ୍ଚ ହେବ ସୌମ୍ୟଙ୍କ ଇ-ମେଲ୍‌, ସିଡିଆର୍‌
୨୦୦୨ରେ ବି ଫୁଟିଥିଲା ପାର୍ସଲ ବୋମା

କଟକ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣାକୁ ଏକ ମାସ ପୂରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପୁଲିସ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଗଠନ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ ଏସ୍‌ପି ଅନିଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ଚାରି ଜଣିଆ ଟିମ୍‌ ଗଠିତ ହୋଇଛି। ଏଥିରେ ଦୁଇ ଜଣ ଇନ୍‌ସ୍ପେକ୍ଟର ଏବଂ ଜଣେ ଏସ୍‌ଆଇଙ୍କ ସହ ଜଣେ ସାଇବର ସେଲ୍‌ ଇନ୍‌ସ୍ପେକ୍ଟରଙ୍କୁ ମଧ୍ୟ ସାମିଲ କରାଯାଇଛି।

ଏହି ଟିମ୍‌ ଆଜି ପ୍ରଥମେ କଟକ ବଡ଼ ମେଡିକାଲ୍‌ରୁ ତଦନ୍ତ ଆରମ୍ଭ କରିଛି। ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ନବବଧୂ ରିମା ସାହୁ, ତାଙ୍କ ବାପା ସୁଦାମ ସାହୁ ଏବଂ ମା’ ଶାନ୍ତିଲତା ସାହୁଙ୍କୁ ପାଖାପାଖି ୪ ଘଣ୍ଟା କାଳ ପଚରାଉଚରା କରିଛି। ପରେ ସନ୍ଧ୍ୟାରେ ଟିମ୍‌ ପାଟଣାଗଡ଼ ଯାଇଥିବା ସୂଚନା ମିଳିଛି। ଏଥିସହ ବଲାଙ୍ଗୀର ପୁଲିସ ଫେବ୍ରୁଆରି ୨୩ ତାରିଖରେ ରୁଜୁ କରିଥିବା ମାମଲା (କେସ୍‌ ନମ୍ବର ୩୫)କୁ ଆଜି କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିଛି। କ୍ରାଇମ୍‌ବ୍ରାଞ୍ଚ ଆଇପିସିର ଦଫା ୩୦୨, ୩୦୭ ଏବଂ ଏକ୍ସପ୍ଲୋସିଭ୍‌ ସବ୍‌ଷ୍ଟାନ୍ସ ଆକ୍ଟ ୩ ଓ ୪ରେ ଏକ ମାମଲା (କେସ୍‌ ନଂ ୭) ରୁଜୁ କରିଛି।

ପୁଲିସ୍‌ ରେକର୍ଡ ଅନୁଯାୟୀ ପୂର୍ବରୁ ଭୁବନେଶ୍ୱର ସହିଦନଗର ଡାକଘରେ ସମାନ ଧରଣର ବିସ୍ଫୋରଣ ଘଟିଥିଲା। ୨୦୦୨ରେ ଘଟିଥିବା ସେହି ପାର୍ସଲ ବିସ୍ଫୋରଣ ସଂପର୍କରେ ଖୋଳତାଡ଼ କରି ଏ ପ୍ରକାର ପାର୍ସଲ ବୋମା କେଉଁ ସ୍ଥାନରେ ପ୍ରସ୍ତୁତ କରାଯାଉଛି, ସେ ଦିଗକୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରିସଭୁକ୍ତ କରିଥିବା ସୂଚନା ମିଳିଛି।

ଆଜି ଦିନ ପ୍ରାୟ ୧୧ଟା ବେଳେ ଟିମ୍‌ ପ୍ରଥମେ ଏସ୍‌ସିିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ୨ ନମ୍ବର ବର୍ଣ୍ଣ କ୍ୟାବିନ୍‌ରେ ଚିକିତ୍ସିତ ରିମାଙ୍କୁ ଭେଟିଥିଲେ। ସେଠି ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା। କେବେ ସେମାନଙ୍କ ନିର୍ବନ୍ଧ ହୋଇଥିଲା, କାହା ସହିତ ପୂର୍ବରୁ ଶତ୍ରୁତା ଥିଲା କି ନାହିଁ, ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ଜାଣିବାକୁ ଚାହିଁଥିଲା। ଆଜି ଏସ୍‌ଆଇଟି ବଲାଙ୍ଗୀର ଯାଇଥିବା ବେଳେ ଆସନ୍ତାକାଲି ସେଠାରେ ପହଞ୍ଚିବ। ଏସ୍‌ଆଇଟି ମୁଖ୍ୟତଃ ଗତ ଏକ ବର୍ଷ ମଧ୍ୟରେ ମୃତ ସୌମ୍ୟ ଶେଖର ସାହୁଙ୍କ ମୋବାଇଲ୍‌, ଲ୍ୟାପଟପ୍‌ର ସମସ୍ତ ରେକର୍ଡ ଯାଞ୍ଚ କରିବ। କେଉଁ କେଉଁ ବ୍ୟକ୍ତିଙ୍କ ସହିତ ସେ ନିଜ ଲ୍ୟାପଟପ୍‌ରୁ ମେଲ୍‌ କରିଛନ୍ତି, କେଉଁମାନଙ୍କ ସହିତ ହ୍ଵାଟସ୍‌ଆପ୍‌ ଚାଟ୍‌ କରିଛନ୍ତି ଏବଂ ତାଙ୍କ ମୋବାଇଲ୍‌ ଫୋନ୍‌କୁ କେଉଁ କେଉଁ ନମ୍ବରରୁ କଲ୍‌ ଓ ଏସ୍‌ଏମ୍‌ଏସ୍‌ ଆଦାନପ୍ରଦାନ ହୋଇଥିଲା, ସେ ସମ୍ପର୍କରେ ଏସ୍‌ଆଇଟିର ସାଇବର୍‌ ଥାନା ଇନ୍‌ସ୍ପେକ୍ଟର ଅଧିକ ଗୁରୁତ୍ୱ ଦେବେ। ସୌମ୍ୟ ଶେଖରଙ୍କ ଗତ ଏକ ବର୍ଷର ସିଡିଆର୍‌(କଲ୍‌ ଡିଟେଲ୍‌ ରେକର୍ଡ) ଟିକିନିଖି ଯାଞ୍ଚ କରାଯିବ। ସୌମ୍ୟ ଶେଖରଙ୍କ ବାପା ତଥା ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଠାରୁ ପୁଲିସ୍‌ କେତେକ ତଥ୍ୟ ପାଇବାରେ ବିଫଳ ହୋଇଥିବାରୁ ପୂର୍ବରୁ ସୌମ୍ୟ ଶେଖରଙ୍କ ମୋବାଇଲ୍‌କୁ ଆସିଥିବା ନିର୍ଦ୍ଦିଷ୍ଟ ନମ୍ବରକୁ ଚିହ୍ନଟ କରାଯିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ସୌମ୍ୟ କ’ଣ କଥା ହୋଇଥିଲେ, ସେ ନେଇ ଅନୁଧ୍ୟାନ କରିବ ଏସ୍‌ଆଇଟି। ବଲାଙ୍ଗୀର ପୁଲିସ ସୌମ୍ୟ ଶେଖରଙ୍କ ପରିବାର ସହିତ ଜଡ଼ିତ କିଛି ବ୍ୟକ୍ତିଙ୍କ ପଲିଗ୍ରାଫ୍‌ ଟେଷ୍ଟ କରିଥିବା ବେଳେ ସେମାନଙ୍କ ରିପୋର୍ଟ ରାଜ୍ୟ ଫରେନ୍‌ସିକ ସାଇନ୍ସ ଲାବ୍ରୋଟରୀ(ଏସ୍‌ଏଫ୍‌ଏସ୍‌ଏଲ୍‌)ରୁ ଆଣିବାକୁ କ୍ରାଇମ୍‌ବ୍ରାଞ୍ଚ ଯୋଜନା କରୁଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ବ୍ୟକ୍ତିଙ୍କ ଟେଷ୍ଟ କରାଯାଇଛି, ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ସ୍ପଷ୍ଟ କରିନାହିଁ।

କ୍ରାଇମ୍‌ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଭୁବନେଶ୍ୱର ସହିଦନଗର ଥାନା ଅଞ୍ଚଳରେ ଥିବା ଡାକଘରେ ୨୦୦୨ ମସିହାରେ ଏକ ପାର୍ସଲ ବୋମା ବିିସ୍ଫୋରଣ କରିଥିଲା। ଏହି ବିସ୍ଫୋରଣରେ ବଡ଼ ଧରଣର କ୍ଷୟ କ୍ଷତି ହୋଇଥିଲା। ଏଭଳି ବିସ୍ଫୋରଣ ଘଟଣା ଦେଶରେ ଆଦୌ ଦେଖିବାକୁ ମିଳିନଥିବା ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି। ଏବେ ଏହି ଘଟଣା ଏସ୍‌ଆଇଟି ପାଇଁ ଚ୍ୟାଲେଞ୍ଜିଂ ଥିବା ବେଳେ ଅପରାଧୀ ବଲାଙ୍ଗୀର ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ସମ୍ପୃକ୍ତ ଅପରାଧୀ ଅତ୍ୟନ୍ତ ବିପଜ୍ଜନକ ଭାବେ ପ୍ୟାକିଂ କରିଥିବା ତଦନ୍ତରୁ ଜଣାପଡ଼ିଥିବା ସମ୍ପୃକ୍ତ ଅଫିସର କହିଛନ୍ତି।

ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା

କଟକ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଏହି ସମ୍ବେଦନଶୀଳ ଘଟଣାର ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଛି। ଘଟଣାର ଚେର ରାଜ୍ୟ ବାହାରେ ଲମ୍ବିଥିବା ବେଳେ ପୁଲିସ ତଦନ୍ତରୁ ସଫଳତା ମିଳି ପାରି ନାହିଁ। ଏପରି ପରିସ୍ଥିତିରେ ସିବିଆଇ ଦ୍ୱାରା ତଦନ୍ତ କରାଗଲେ ପ୍ରକୃୃତ ହତ୍ୟାକାରୀଙ୍କୁ ଠାବ କରାଯାଇ ପାରିବ ଓ ଏପରି ଢଙ୍ଗରେ ରାଜ୍ୟରେ ଅପରାଧ ଘଟାଇବା କିପିରି ସମ୍ଭବ ହେଲା ତାହା ମଧ୍ୟ ଜଣା ପଡିବ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ଆଇନ ସଚିବ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ଆଇଜି, ବଲାଙ୍ଗୀର ଏସପି, ଜିଲ୍ଲାପାଳ ଓ ସିବିଆଇକୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର