ସାମାଜିକ ଦୂରତ୍ୱ ଉଲ୍ଲଂଘନ କରି ମେଫେୟାର୍‌ରେ ବାହାଘର ଘଟଣା : କାର୍ଯ୍ୟାନୁଷ୍ଠାନକୁ ଦିଲ୍ଲୀପ ରାୟଙ୍କ ସ୍ବାଗତ

ନନ୍ଦନ ହୋଟେଲ ମାଲିକଙ୍କ ସ୍ପଷ୍ଟୀକରଣ: ବେଶି ଲୋକ ନ ଥିଲେ, ଡିଜେ ବାଜି ନ ଥିଲା

ବ୍ରହ୍ମପୁର : କରୋନା କଟକଣା ଓ ନିୟମକୁ ଉଲ୍ଲଂଘନ କରି ଗତ ୨ତାରିଖରେ ବ୍ରହ୍ମପୁର ସହରର ନନ୍ଦନ ହୋଟେଲ୍‌ ମାଲିକଙ୍କ ପୁଅ ବାହାଘର‌ ଗୋପାଳପୁରସ୍ଥିତ ହୋଟେଲ ମେ ଫେୟାର୍‌ରେ ଅନୁଷ୍ଠିତ ହୋଇଥିଲା। ଏହାର ଭିଡିଓ ଭାଇରଲ ହେବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ହୋଟେଲକୁ ୭ଦିନ ଲାଗି ସିଲ୍ କରାଯିବା ବାହାଘର ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

ଏହି ଘଟଣା ପରେ ହୋଟେଲ ମେ ଫେୟାର ଗ୍ରୁପ୍ ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ନିଜ ପ୍ରତିକ୍ରିୟା ରଖି ଲେଖିଛନ୍ତି; ହୋଟେଲ୍ ଗ୍ରୁପ୍‌ର ଅଧ୍ୟକ୍ଷ ଭାବେ ସେ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରୁଛନ୍ତି । ଗୋପାଳପୁର ମେ ଫେୟାର୍ ପକ୍ଷରୁ କୋଭିଡ୍ ନିୟମର ଉଲ୍ଲଂଘନ କରାଯାଇଥିବାରୁ ସେ କ୍ଷମା ପ୍ରାର୍ଥନା ମଧ୍ୟ କରୁଛନ୍ତି।

ଶ୍ରୀ ରାୟ କହିଛନ୍ତି ଯେ, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଏଭଳି କାର୍ଯ୍ୟକ୍ରମ ଆୟୋଜନ ହେବା କଥା ନୁହେଁ। ଏଥିଲାଗି ମୁଁ ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା କରୁଛି। କରୋନାକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତ୍ବ ବର୍ତ୍ତମାନ ଏକମାତ୍ର ଅସ୍ତ୍ର। ଏହାର ଉଲ୍ଲଂଘନ କେବେ ବି କ୍ଷମଣୀୟ ନୁହେଁ। କରୋନାକୁ ନେଇ ଧର୍ମାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ଚଳିତବର୍ଷ ଭକ୍ତଙ୍କ ବିନା ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି। ଏଥିରୁ ବର୍ତ୍ତମାନର ସ୍ଥିତି କଣ ଓ ତାହାର ଗୁରୁତ୍ବ ସ୍ପଷ୍ଟ ଜଣାପଡ଼ୁଛି। ଓଡ଼ିଶା ଜନ୍ମିତ ବ୍ରାଣ୍ଡ ମେ ଫେୟାର୍ ଓଡ଼ିଆ ଏବଂ ଓଡ଼ିଶାର ପରମ୍ପରା, କଳା, ସଂସ୍କୃତି ଏବଂ ଖାଦ୍ୟରୁଚି ସହିତ ଜଡ଼ିତ ରହିଛି। ସର୍ବଭାରତୀୟସ୍ତରରେ ଏହାର ପ୍ରଚାରପ୍ରସାର ଦିଗରେ ବି କାର୍ଯ୍ୟ କରୁଛି। କିନ୍ତୁ ବର୍ତ୍ତମାନ ସମୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ରାଜ୍ୟ ସରକାରଙ୍କ ନିୟମାବଳିର ବିରୋଧାଚରଣ କରୁଛି। ଏଥିଲାଗି ପୁଣି ମୁଁ କ୍ଷମା ପ୍ରାର୍ଥନା କରୁଛି। ଏଥିସହ ଏଭଳି କାର୍ଯ୍ୟକ୍ରମ ଆଉ ଆୟୋଜନ ନ କରିବା ଲାଗି ମେ ଫେୟାର ମ୍ୟାନେଜ୍‌ମେଣ୍ଟକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୋଭିଡ୍‌ ନିୟମାବଳିକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ରାୟ କହିଛନ୍ତି।

ନନ୍ଦନ ହୋଟେଲ ମାଲିକଙ୍କ ସ୍ପଷ୍ଟୀକରଣ: ବେଶି ଲୋକ ନ ଥିଲେ, ଡିଜେ ବାଜି ନ ଥିଲା
ବ୍ରହ୍ମପୁର : ଗୋପାଳପୁର ହୋଟେଲ ମେ’ ଫେୟାରରେ ହୋଇଥିବା ଚର୍ଚ୍ଚିତ ବାହାଘର ଉତ୍ସବ‌ରେ ଡିଜେ ବାଜିଥିବା ଏବଂ ହଜାରେ ଅତିଥିଙ୍କ ସମାଗମ ‌ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନନ୍ଦନ ହୋଟେଲର ମାଲିକ ଶିବରାମ ସାହୁ। ‘ସମ୍ବାଦ’ରେ ପ୍ରକାଶିତ ଖବର ଉପରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି ଯେ, ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନକୁ ମୁଁ ସ୍ବୀକାର କରୁଛି। କିନ୍ତୁ ଆମର ବାହାଘର କାର୍ଯ୍ୟକ୍ରମରେ ଆଦୌ ଡିଜେ ବାଜି ନ ଥିଲା କି ୧ହଜାର ନିମନ୍ତ୍ରିତ ଅତିଥିଙ୍କ ସମାଗମ ହୋଇ ନ ଥିଲା। ଆମେ ୫୦ଜଣ ଲୋକଙ୍କ ପାଇଁ ଅନୁମତି ‌ନେଇଥିଲୁ ଏବଂ ୪୦ରୁ ୪୫ଜଣ ଲୋକ ହିଁ ଯୋଗ ଦେଇଥିଲେ। ସମସ୍ତେ ମାସ୍କ ପିନ୍ଧିଥି‌‌ଲେ। କିନ୍ତୁ କିଛି ସମୟ ଲାଗି ମାସ୍କ ବାହାର କରି ଦେଇଥିଲୁ। ଯାହାକି ଭାଇରାଲ ଭିଡିଓରେ ଦେଖାଯାଉଛି।

ସମ୍ବନ୍ଧିତ ଖବର