ପାର୍ସଲ ବୋମା ବିସ୍ଫୋରଣ ଘଟଣା : ତ୍ୱରିତ ନ୍ୟାୟ ପାଇଁ ରିମାଙ୍କ ନିବେଦନ

ବୟାନ ଭିଡିଓ ଭାଇରାଲ୍‌

କଟକ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିବା ପରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରୁଥିବା ଆହତ ନବବଧୂ ରିମାଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ପ୍ରାୟ ୨ ମିନିଟ୍‌ର ଏହି ଭିଡିଓରେ ଘଟଣାକୁ ପାଖାପାଖି ମାସେ ହୋଇଯାଇଥିଲେ ବି ଅଭିଯୁକ୍ତ ଧରାପଡ଼ୁନଥିବାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଶୀଘ୍ର ଅଭିଯୁକ୍ତ ଧରାପଡ଼ୁ ଓ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ଅନୁରୋଧ କରୁଛନ୍ତି। ଘଟଣା ପାଇଁ ସେ କାହା ଉପରେ ସନ୍ଦେହ କରିପାରୁନାହାନ୍ତି। ତାଙ୍କ ସ୍ୱାମୀଙ୍କର ମଧ୍ୟ କେହି ଶତ୍ରୁ ନଥିଲେ। ସେ ସମସ୍ତଙ୍କୁ ନିଜର ବୋଲି ଭାବୁଥିଲେ। ଘଟଣା ଦିନ ପାର୍ସଲର ଛୋଟ ଛୋଟ ଜିନିଷକୁ ସେ ଧ୍ୟାନର ସହ ଖୋଲିଥିଲେ। ସେହି ପାର୍ସଲ କେଉଁଠୁ ଆସିଥିଲା, କେମିତି ଆସିଥିଲା ତାହାର ତଦନ୍ତ କରାଯାଉ ବୋଲି ସେ ଉକ୍ତ ଭିଡିଓରେ ଦାବି କରିଛନ୍ତି। ଗତକାଲି ରିମାଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ଗୁହାରି କରିଥିଲେ। ପ୍ରାୟ ୨୫ ଦିନ ପରେ ରିମା ତାଙ୍କ ସ୍ୱାମୀ ସୌମ୍ୟଶେଖରଙ୍କ ମୃତ୍ୟୁ ଖବର ଜାଣିବା ପରେ ସେବେଠାରୁ ଭାଙ୍ଗିପଡ଼ିଛନ୍ତି। ସୋମବାର ଦିନ ପୁରୁଣା ଖବର କାଗଜରୁ ସ୍ୱାମୀଙ୍କ ମୃତ୍ୟୁ ବିଷୟରେ ଜାଣିବାକୁ ପାଇଥିଲେ। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ଢେର୍‌ ଉନ୍ନତି ଆସିଥିବାରୁ ତାଙ୍କୁ ଆଉ କିଛି ଦିନ ପରେ ଯାଞ୍ଚ କରାଯାଇ ଡିସ୍‌ଚାର୍ଜ କରାଯିବ ବୋଲି ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର