ପାର୍ସଲ ବୋମା ବିସ୍ଫୋରଣ ଘଟଣା : ବାପା-ମା’ଙ୍କୁ ଦେଢ଼ଘଣ୍ଟା ପଚରାଉଚୁରା

କୋରିଅର୍‌ ମାଲିକ ଓ ଡେଲିଭରି ବଏକୁ ଜେରା

ବଲାଙ୍ଗୀର/ପାଟଣାଗଡ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ଶନିବାରଠାରୁ ଆସି ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚର ୬ ଜଣିଆ ସ୍ୱତନ୍ତ୍ର ଟିମ୍‌। ଅତିରିକ୍ତ ଏସ୍‌ପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ରବିବାର ସକାଳେ ଅଘଟଣ ଘଟିଥିବା ବ୍ରହ୍ମପୁରା ସ୍ଥିତ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଯାଇଥିଲେ। ଦୁର୍ଘଟଣାର କିଛି ଦିନ ପରେ ଅଧାପୋଡ଼ା ଆସବାବପତ୍ର କାଢ଼ି ବାହାରେ ପୋଡ଼ି ଦିଆଯାଇଥିବା ବେଳେ ଘରକୁ ସଫା କରିଦିଆଯାଇଛି। ତେବେ ବିସ୍ଫୋରଣରେ ଘରର ଛାତ ଫାଟି ଆଁ କରିଥିବା ବେଳେ ଆଉ କିଛି ଦୃଶ୍ୟ ବି ସତେଜ ରହିଛି। ସେଠାରେ ଦିନବେଳେ ପ୍ରାଥମିକ ତଦନ୍ତ ପରେ ସଂଧ୍ୟାରେ ଆରମ୍ଭ କରିଥିଲେ ପଚରା ଉଚୁରା।

ପାଟଣାଗଡସ୍ଥିତ ଡାକବଙ୍ଗଳାରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଅବସ୍ଥାନ କରୁଥିବା ବେଳେ ରବିବାର ସଂଧ୍ୟାରେ ସେଠାରେ ଅଧ୍ୟାପକ ରବିନ୍ଦ୍ର ସାହୁ ଓ ଭଇଁଷା କଲେଜର ଅଧ୍ୟକ୍ଷା ତଥା ପତ୍ନୀ ସଂଯୁକ୍ତା ସାହୁ ପହଞ୍ଚିଥିଲେ। ଦୀର୍ଘ ଦେଢ ଘଣ୍ଟାରୁ ଅଧିକ ସମୟ ସେମାନଙ୍କ ସହ କଥା ହୋଇଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ। ରାତି ପ୍ରାୟ ୯ଟା ବେଳେ ସେମାନେ ବାହାରିଥିବା ବେଳେ ସ୍କାଏ କିଙ୍ଗ କୋରିଅର୍‌ ସଂସ୍ଥାର ମାଲିକ ଦିଲୀପ ଦାସ ଓ କର୍ମଚାରୀ ସୁଶାନ୍ତ ସେଠଙ୍କୁ ମଧ୍ୟ ଡାକି ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଶ୍ରୀ ଦାସ ଏକ ପ୍ରହରିରେ ବସିଥିବା ବେଳେ ତାଙ୍କୁ ଛାଡିଦେବାକୁ ଲୋକେ ଅନୁରୋଧ କରିବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଛାଡି ଦେଇଥିଲେ। ତେବେ ଖବର ଲେଖାହେବା ଯାଏ କୋରିଅର୍‌ ବଏ ସୁଶାନ୍ତକୁ ଟିମ୍‌ ପଚରା ଉଚୁରା ଚଳାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର