ଅନୁଗୁଳ : ବାହାଘର କାର୍ଡ ବାଣ୍ଟିବା ବାହାନାରେ ଚାଲିଥିଲା ଗଞ୍ଜେଇ ଚାଲାଣ। ଅଭିନବ ଢଙ୍ଗରେ ଏହି ଗଞ୍ଜେଇ କାରବାର କରୁଥିବା ଏହି ଗ୍ୟାଙ୍ଗ ଶୁକ୍ରବାର ଦିନ ଅନୁଗୁଳ ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି। ତାଙ୍କ ପାଖରୁ ୬୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି।
ଅବକାରୀ ବିଭାଗର ସୂଚନା ଅନୁସାରେ, ଏକ ବଲେରୋ (ଓଡ଼ି-୨୭-ବି-୨୮୨୮)ରେ ୩ ଜଣ ଯୁବକ ଯାଉଥିଲାବେଳେ ଅବକାରୀ ଅଧିକାରୀମାନେ ସେମାନଙ୍କୁ ସନ୍ଦେହ କରି ଅଟକାଇଥିଲେ। ସେମାନେ ଗଞ୍ଜେଇ ଚାଲାଣ କରୁଥିବା ନେଇ ଖବର ମିଳିଥିବାରୁ ଅଧିକାରୀମାନେ ସେମାନଙ୍କୁ ମୁଣ୍ଡାସାହି ଛକ ନିକଟରେ ଯାଞ୍ଚ୍ କରିଥିଲେ। ସେମାନେ ବାହାଘର କାର୍ଡ ବାଣ୍ଟିବାକୁ ଯାଉଥିବା କହି ଭଣ୍ଡେଇବାକୁ ଚେଷ୍ଟା କରିଥିଲେ। ହେଲେ, ସେମାନଙ୍କ କଥାବାର୍ତ୍ତା ସନ୍ଦେହଜନକ ହେବାରୁ ଗାଡ଼ି ଯାଞ୍ଚ୍ କରାଯାଇଥିଲା। ଏହି ସମୟରେ ଗାଡ଼ିରୁ ୬୦ କେଜି ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ଚାଲାଣ କରୁଥିବା ମାମଲାରେ ଅବକାରୀ ବିଭାଗ ଆଠମଲ୍ଲିକ ଥାନା ମାଧପୁରର ସୁଶାନ୍ତ ନାଏକ(୩୯), ବଉଦ ଜିଲ୍ଲା ବାଉଁଶୁଣିର ଶୁଭ୍ରାଂଶୁ ପ୍ରଧାନ ଓ ଲକ୍ଷ୍ମୀପ୍ରସାଦର ବୁଢ଼ାରାମ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।