‘ଆଜାଦୀ କି ରେଲ୍‌ ଗାଡ଼ି ଔର ଷ୍ଟେସନ୍‌’ ସପ୍ତାହ ଆରମ୍ଭ

ଜଟଣୀ : ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଭାରତରେ ପାଳନ କରାଯାଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ରେ ପୂର୍ବତଟ ରେଳପଥ ପକ୍ଷରୁ ଜୁଲାଇ ମାସ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ମରଣୀୟ ‘ଆଜାଦୀ କି ରେଲ ଗାଡ଼ି ଔର ଷ୍ଟେସନ୍‌’ ସପ୍ତାହ ପାଳନ କରାଯାଉଅଛି। ଏହି ପରିପ୍ରେକ୍ଷୀ‌ରେ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସୋମବାର ସନ୍ଧ୍ୟାରେ ଜଟଣୀ ଖୋର୍ଦ୍ଧାରୋଡ୍‌ ରେଳ ଷ୍ଟେସନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ସପ୍ତାହ ବ୍ୟାପୀ ପାଳିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମର ଐତିହାସିକ ପାଇକ ବିଦ୍ରୋହକୁ ସ୍ମରଣ କରି ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳର ଭାରତ ସ୍କାଉଟ୍‌ସ ଏବଂ ଗାଇଡ୍‌ସର ଛାତ୍ରଛାତ୍ରୀମାନେ ଏକ ପଥପ୍ରାନ୍ତ ନାଟକ ନାଟକ ପରିବେଷଣ କରିଥିଲେ।

ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦେଶର ସମସ୍ତ ରେଳବାଇ ଜୋନ୍‌ ଏବଂ ରେଳ ମଣ୍ଡଳ ଦ୍ୱାରା ଆୟୋଜିତ ‘ଆଜାଦୀ କି ରେଲ ଗାଡ଼ି ଔର ଷ୍ଟେସନ୍‌’ ହେଉଛି ‘ଆଜାଦୀ କା ଅମୃତ ମହୋତ୍ସବ’ର ଏକ ଅଂଶ ବିଶେଷ। ଏହି ଅଭିଯାନରେ ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଥିବା ଦେଶର ୭୫ ଟି ରେଳ ଷ୍ଟେସନକୁ ମନୋନୀତ କରାଯାଇଛି। ଏହି ଷ୍ଟେସନ୍‌ଗୁଡ଼ିକରେ ‘ଆଜାଦୀ କି ରେଲ ଗାଡ଼ି’ ସପ୍ତାହ ପାଳନ କରାଯିବ। ମନୋନୀତ ହୋଇଥିବା ଷ୍ଟେସନ୍‌ ମଧ୍ୟରେ ପୂର୍ବତଟ ରେଳପଥ ଅନ୍ତର୍ଗତ ପାଞ୍ଚଟି ଷ୍ଟେସନ୍ ରହିଛି। ଏହି ଷ୍ଟେସନ୍‌ଗୁଡ଼ିକୁ ସପ୍ତାହ ବ୍ୟାପୀ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ଭିଡିଓ ଡିଜିଟାଲ୍ ସ୍କ୍ରିନ୍ ମାଧ୍ୟମରେ ପ୍ରଦର୍ଶିତ କରାଯିବ। ସ୍ମରଣୀୟ ‘ଆଜାଦୀ କି ରେଲ ଗାଡ଼ି ଔର ଷ୍ଟେସନ୍‌’ ସପ୍ତାହକୁ ପାଳନ କରିବା ପାଇଁ ଷ୍ଟେସନ୍‌ଗୁଡ଼ିକରେ ଦେଶଭକ୍ତି ଗୀତ, ସ୍ଥାନୀୟ ଭାଷାରେ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯିବ। ଷ୍ଟେସନ୍ ଏବଂ ଷ୍ଟେସନ୍‌ର ଇତିହାସ ସମ୍ବନ୍ଧରେ ସ୍ୱତନ୍ତ୍ର ବ୍ରାଣ୍ଡିଂ କରାଯିବ।

ପୂର୍ବତଟ ରେଳପଥ ମଧ୍ୟରେ ମନୋନୀତ ହୋଇଥିବା ରେଳ ଷ୍ଟେସନ୍‌ଗୁଡ଼ିକ ହେଲା, ଜଟଣୀ ଖୋର୍ଦ୍ଧା ରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଏବଂ ବିଶାଖାପାଟଣା। ଉଦ୍‌ଯାପନୀ ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇ ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଥିବା ସେମାନଙ୍କ ପରିବାରର କାହାଣୀକୁ ବର୍ଣ୍ଣନା କରିବା ପାଇଁ ଅନୁରୋଧ କରାଯିବ। ଏ ନେଇ ରେଳପଥ ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଜଟଣୀ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ମଣ୍ଡଳ ପ୍ରବନ୍ଧକ ରିଙ୍କେଶ ରାୟ, ପୂର୍ବତଟ ରେଳପଥର ଅଧିକାରୀ ତୁଷାରକାନ୍ତି ମଣ୍ଡଳ, ପ୍ରମୁଖ ଯନ୍ତ୍ରୀ ଏନ୍‌ ଏସ୍‌ ଉଇକେ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ରହିଥିଲେ। ଜଟଣୀ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳର ଅଧିକାରୀ ରଞ୍ଜନ କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଆର୍‌ପିଏଫ୍ ପକ୍ଷରୁ ବାଇକ୍ ରାଲି
ଭୁବନେଶ୍ବର : ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍) ଦ୍ୱାରା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ବାଇକ୍ ରାଲି ଆୟୋଜିତ ହୋଇଯାଇଛି। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଗତକାଲି ରେଳପଥର ମୁଖ୍ୟାଳୟ ରେଳ ସଦନଠାରେ ମୁଖ୍ୟ ସୁରକ୍ଷା କମିଶନର, ଆର୍‌ପିଏଫ୍ ପି.ଭି. ସାନ୍ଥାରାମଙ୍କ ଉପସ୍ଥିତିରେ ସବୁଜ ପତାକା ପ୍ରଦର୍ଶନ କରି ଏହି ରୢାଲିର ଶୁଭାରମ୍ଭ କରିଥିଲେ। ଏହି ବାଇକ୍ ରୢାଲିର ଉଦ୍ଦେଶ୍ୟ ହେଉଛି ଆଜାଦୀ କା ଅମୃତ ମହୋତ୍ସବ ଏବଂ ରେଳ ସୁରକ୍ଷା ବଳର ସଫଳତା ଉପରେ ବାର୍ତ୍ତା ତଥା ସଚେତନତା ସୃଷ୍ଟି କରିବା।

ସମ୍ବନ୍ଧିତ ଖବର