ଭୁବନେଶ୍ୱର: କୋଭିଡ-୧୯ ପଜିଟିଭ ସଂଖ୍ୟା ବଢିଥିବାରୁ ରାଜ୍ୟର ଆହୁରି ୩ଟି ଜିଲ୍ଲାରେ ସାପ୍ତାହିକ ସଟ୍ଡାଉନ ଘୋଷଣା ହୋଇଛି। ଜିଲ୍ଲା ପ୍ରଶାସନର ଘୋଷଣା ଅନୁସାରେ ଜୁଲାଇ ମାସରେ ନୟାଗଡ଼, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ସାପ୍ତାହିକ ସଟ୍ଡାଉନ୍ ହେବ।
ଉପରୋକ୍ତ ୩ଟି ଜିଲ୍ଲାରେ ବାଣିଜ୍ୟିକ ପ୍ରତିଷ୍ଠାନ, ବ୍ୟକ୍ତିଗତ ଯାନବାହନ ଚଳାଚଳ, ହେଟେଲ, ରେଷ୍ଟୁରାଣ୍ଟ ଓ ବାର ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସେବା ଓ ସ୍ୱାସ୍ଥ୍ୟ ସେବାକୁ ବାଦ ଦେଲେ ଜୁଲାଇ ମାସ ଶେଷ ଯାଏଁ ପ୍ରତି ସପ୍ତାହର ଶନିବାର ଓ ରବିବାର ନୟାଗଡ଼, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ସଟ୍ଡାଉନ ରହିବ।
ନୟାଗଡ଼ରେ ଦୋକାନଗୁଡ଼ିକ ପ୍ରତିଦିନ ସକାଳ ୭ଟାରୁ ଖୋଲିବ ଏବଂ ଅପରାହ୍ନ ୨ଟାରେ ବନ୍ଦ ରହିବ। କିନ୍ତୁ ସଟ୍ଡାଉନ ଦିନ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ଜିନିଷ ସଂପୂର୍ଣ୍ଣ ବନ୍ଦ ରହିବ। ନୟାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୩ଟି ଓ୍ଵାର୍ଡରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ପୂର୍ବରୁ ୧୦ଟି ଜିଲ୍ଲାକୁ ସଟ୍ଡାଉନ ତାଲିକାରେ ରଖାଯାଇଛି। ଏଗୁଡ଼ିକ ହେଲା ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତ୍ସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା। ନୟାଗଡ଼, ବଲାଙ୍ଗୀର ଓ ବରଗଡ଼ ଯୋଡ଼ି ହେବା ପରେ ରାଜ୍ୟରେ ସଟ୍ଡାଉନ ତାଲିକାରେ ୧୩ଟି ଜିଲ୍ଲା ସାମିଲ ହୋଇଛି।
ତେବେ ମାଲକାନଗିରି ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଦିନକୁ ୧୭ ଘଣ୍ଟା ସଟ୍ଡାଉନ ଘୋଷଣା କରିଛି। ଜିଲ୍ଲାରେ ଅପରାହ୍ନ ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ଡାଉନ ଘୋଷଣା କରାଯାଇଥିବା ବେଳେ ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମିତି ଦିଆଯାଇଛି।