କରୋନା ମୁକାବିଲା ନେଇ ରାଜ୍ୟକୁ ୨ଟି ଜୋନରେ ବିଭକ୍ତ କଲେ ସରକାର, ଜୋନ-୧ରେ ଜାରି ରହିବ ସାପ୍ତାହିକ ସଟଡାଉନ୍

ଭୁବନେଶ୍ୱର: ଅନଲକ-୧ ଆଜି ମଧ୍ୟରାତ୍ରୀରେ ଶେଷ ହୋଇଯିବା ପୂର୍ବରୁ କୋଭିଡ୍ ସଂକ୍ରମଣକୁ ଆଧାର କରି ରାଜ୍ୟକୁ ସରକାର ପ୍ରଥମ ଥର ପାଇଁ ୨ଟି ଜୋନରେ ବିଭକ୍ତ କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏ ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ଭାଇରସ ଅଧିକ ବ୍ୟାପିଛି । କିନ୍ତୁ ଅନ୍ୟ ୨୦ଟି ଜିଲ୍ଲାରେ କରୋନା ଭାଇରସ ସଂକ୍ରମଣ ଅପେକ୍ଷାକୃତ କମ୍ ରହିଛି । ଏହି ଆଧାରରେ ରାଜ୍ୟକୁ ୨ଟି ଜୋନରେ ବିଭକ୍ତ କରାଯାଇଛି । ଜୋନ-୧ରେ ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ମୟୂରଭଂଜ, ଜଗତସିଂହପୁର, ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର ଯାଜପୁର ଜିଲ୍ଲାକୁ ସାମିଲ କରାଯାଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ୫୦ରୁ ଅଧିକ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଜୋନ-୧ରେ ଥିବା ଜିଲ୍ଲା ଗୁଡ଼ିକରେ ସ୍ଥାନୀୟ ଅଧିକାରୀ ଅବରୋଧ ଅଂଚଳ ଘୋଷଣା କରିପାରିବେ । ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଜୋନ-୧ରେ ସଂକ୍ରମଣ ବଢିଚାଲିଥିବାରୁ ଏଠାରେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଜୋନ-୧ ଚିହ୍ନଟ ୧୦ଟି ଜିଲ୍ଲାରେ ସାପ୍ତାହିକ (ଶନିବାର ଓ ରବିବାର) ସଟଡାଉନ ରହିବ । ଏହି ସଟଡାଉନ୍ ସମୟରେ କେବଳ ଜରୁରୀ ସେବା ଯୋଗାଉଥିବା କାର୍ଯ୍ୟାଳୟ ଓ କର୍ମଚାରୀ ବାହାରକୁ ବାହାରି ପାରିବେ। ଡାକ୍ତରଖାନା, ପୁଲିସ, ଅଗ୍ନିଶମ, ଜଳଯୋଗାଣ, ବିଦ୍ୟୁତ ଯୋଗାଣ, ପରିମଳ ଓ ଗଣମାଧ୍ୟମ ସହ ଜଡ଼ିତ କାର୍ଯ୍ୟାଳୟ ଓ ଏହାର  କର୍ମଚାରୀ ଯାତାୟତ କରିପାରିବେ । ଏହି ସବୁ ସେବା ଅବ୍ୟାହତ ରହିବ। ତେବେ ରାଜ୍ୟ ସରକାର ଅର୍ଥନୈତିକ କାର୍ଯ୍ୟକଳାପକୁ ଗୁରୁତ୍ବ ଦେଇ ସଟଡାଉନ୍ ସମୟରେ କୃଷି, ପଶୁପାଳନ, ଉଦ୍ୟାନ କୃଷି ଏବଂ ମତ୍ସ୍ୟଚାଷ ସହ ଜଡ଼ିତ ଜଡ଼ିତ କାର୍ଯ୍ୟକଳାପ ଜାରି ରହିପାରିବ ବୋଲି ଘୋଷଣା କରିଛନ୍ତି। ଏଥିସହ ଆଇଟି ଶିଳ୍ପର କାର୍ଯ୍ୟାଳୟ ଓ ଏହାର  କର୍ମଚାରୀ ମଧ୍ୟ ସଟଡାଉନ୍ ସମୟରେ ଯାତାୟତର ଅନୁମତି ପାଇବେ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ରାଜ୍ୟର ୨୦ଟି ଜିଲ୍ଲାରେ ୫୦ରୁ କମ କରୋନା ସଂକ୍ରମିତ ବ୍ୟକ୍ତି ଅଛନ୍ତି । ଏଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ପୁରୀ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ୫୦ରୁ କମ କରୋନା ଆକ୍ରାନ୍ତ ଅଛନ୍ତି ।

ସମ୍ବନ୍ଧିତ ଖବର