୩ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୧୦%ରୁ ଅଧିକ

ଚିନ୍ତା ପ୍ରକଟ କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ନୂଆପଡ଼ା ଜିଲ୍ଲା ସଂକ୍ରମଣ ହାରରେ ବୃଦ୍ଧି

ଭୁବନେଶ୍ବର/ନୂଆଦିଲ୍ଲୀ : ରାଜ୍ୟର ୩ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହୁଛି। ଜୁଲାଇ ୪ତାରିଖ ସୁଦ୍ଧା ବାଲେଶ୍ବର, ଢେଙ୍କାନାଳ ଓ ନୂଆପଡ଼ା ଜିଲ୍ଲାରେ ଏଭଳି ବୃଦ୍ଧି ନଜରକୁ ଆସିଛି। ବିଶେଷକରି ନୂଆପଡ଼ା ଜିଲ୍ଲାରେ ୨୭ଜୁନ୍ ସୁଦ୍ଧା ସାପ୍ତାହିକ ସଂକ୍ରମଣ ହାର ୧୧ ପ୍ରତିଶତ ଥିବା ବେଳେ ୪ ଜୁଲାଇ ସୁଦ୍ଧା ୨୭ ପ୍ରତିଶତ ଦେଖିବାକୁ ମିଳିଛି। ଯାହାକି ଚିନ୍ତାଜନକ। ତେଣୁ ଏସବୁ ଜିଲ୍ଲା ଉପରେ ନଜର ରଖିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ।

ଓଡ଼ିଶାରେ ଗତ ୪ ସପ୍ତାହ ହେବ ସଂକ୍ରମଣ ହାର ନିୟମିତ ଭାବେ ହ୍ରାସ ପାଉଛି। ଗତ ୪ତାରିଖ ସୁଦ୍ଧା ସାପ୍ତାହିକ ସଂକ୍ରମଣ ହାର ୫.୩୬ ପ୍ରତିଶତ ରହିଛି। ମାତ୍ର ବାଲେଶ୍ବର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଧା ଜିଲ୍ଲାରେ ପୂର୍ବ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ସଂକ୍ରମଣ ହାରରେ ବୃଦ୍ଧି ହୋଇଛି। ତେଣୁ ଏସବୁ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହିତ କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେସନ୍‌ ଉପରେ ଗୁରୁତ୍ବ ଦିଆଯାଉ। ତେଣୁ ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ ଅଧିକ ସଂଖ୍ୟାରେ ପରୀକ୍ଷା କରିବା ସହିତ ପ୍ରତ୍ୟେକ ଜିଲ୍ଲାରେ ସଂକ୍ରମଣ ହାରକୁ ୫ ପ୍ରତିଶତରୁ କମ୍ ରଖିବା ଲାଗି ଉଦ୍ୟମ କରାଯିବା ଜରୁରୀ।

ସେହିପରି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍ ଓ ଆଇସିୟୁ ଶଯ୍ୟାରେ ଯଦି ୪୦ ପ୍ରତିଶତରୁ ଅଧିକ ରୋଗୀ ରହିଛନ୍ତି ତାହା ଉପରେ ନଜର ରଖିବାକୁ କୁହାଯାଇଛି। ଏସବୁ ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥାରେ ବୃଦ୍ଧି ସହିତ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣର ବ୍ୟାପକତାକୁ ନଜରରେ ରଖି ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉ। ଏହାସହ ଅଧିକରୁ ଅଧିକ ଟିକାକରଣ ସହିତ ୧୮ବର୍ଷରୁ ଅଧିକ ଲୋକଙ୍କ ପ୍ରାଥମିକତା ଭିତ୍ତିରେ ଟିକାକରଣକୁ ଗୁରୁତ୍ବ ଦିଆଯିବା ଜରୁରୀ।

ରାଜ୍ୟରେ କରୋନା ମୃତ୍ୟୁ ହାର ୦.୪୬ ପ୍ରତିଶତ ରହିଛି। ମାତ୍ର ଗତ ୨ସପ୍ତାହରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ନଜରକୁ ଆସିଛି। ଖୋର୍ଧା ଜିଲ୍ଲାରେ ଗତ ସପ୍ତାହରେ ୫୮ ମୃତ୍ୟୁ ଘୋଷଣା ହୋଇଛି। ଯାହାକି ରାଜ୍ୟରେ ସର୍ବାଧିକ। ରାଜ୍ୟରେ ଏହି ସମୟରେ ୩୦୯ଜଣ ପ୍ରାଣ ହରାଇଥିବା ନେଇ ରିପୋର୍ଟ ହୋଇଛି। ତେଣୁ ଗୃହ ପୃଥକବାସରେ ରହୁଥିବା ରୋଗୀଙ୍କ ନିରୀକ୍ଷଣ କରିବା ସହିତ ହସ୍ପିଟାଲ ସ୍ଥାନାନ୍ତରିତ ହେବା ପରେ ୨୪-୭୨ଘଣ୍ଟାରେ ପ୍ରାଣ ହରାଇଥିବା ଉପରେ ସ୍ବତନ୍ତ୍ର ନଜର ଦେବା ଦରକାର। ଏହାସହ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ବ ଦେବାକୁ ଶ୍ରୀ ଭୂଷଣ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର