ସପ୍ତାହାନ୍ତ ସଟ୍‌ଡାଉନ୍‌: ଶୂନଶାନ୍‌ ସ୍ମାର୍ଟସିଟି

ଯାଞ୍ଚ ପାଇଁ ୩୦ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌, ପାଟ୍ରୋଲିଂରେ ୩୦ ପିସିଆର୍‌ ଭ୍ୟାନ୍‌

ରାଉରକେଲା : ସୁନ୍ଦରଗଡ଼ରେ ଲମ୍ଫ ଡ଼ିଆଁ ମାରୁଛି ମହାମାରୀ କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନି। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୫୨୩ ରହିଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ୍‌ ଲଗାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ। ଓଡ଼ିଶା-ଝାଡ଼ଖଣ୍ଡ, ଓଡ଼ିଶା-ଛତିଶଗଡ ସୀମାନ୍ତକୁ ସିଲ୍‌ କରାଯିବା ସହ ଆନ୍ତଃରାଜ୍ୟ ବସ୍‌ ସେବାକୁ ବନ୍ଦ କରାଯାଇଛି। ସଂକ୍ରମଣ ବଢ଼ୁଥିବା ଅଞ୍ଚଳକୁ ଆର୍‌ଏମ୍‌ସି ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଉଛି। ଶୁକ୍ରବାର ଦିନ ସେକ୍ଟର-୨୦, ସେକ୍ଟର-୧ର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ଶନିବାର ଦିନ ଉଦିତନଗର ଆୟକର କଲୋନିକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ଏସବୁ ଭିତରେ ଆଜିଠୁ ଆରମ୍ଭ ହୋଇଛି ସପ୍ତାହାନ୍ତ ସଟ୍‌ଡାଉନ୍‌। ଅତ୍ୟାବଶ୍ୟକୀୟ ସେବାକୁ ବାଦ୍‌ ଦେଇ ଦୋକାନ, ବଜାର, ପରିବାହାଟ, ଲୋକଙ୍କ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଉରକେଲା ଜିଲ୍ଲା ପୁଲିସ ଗଠନ କରିଛି ୩୦ଟି ଏନ୍‌ଫୋର୍ସମେଣ୍ଟ ଟିମ୍।

ଶନିବାର ଭୋର ପ୍ରାୟ ୫ଟାରେ ଉଦିତନଗର ପରେଡ ପଡିଆରେ ଏକାଠି ହୋଇଥିଲେ ରାଉରକେଲା ପୁଲିସ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ। ୩୦ରୁ ଅଧିକ ପିସିଆ୍‌ର ଭ୍ୟାନ୍‌। ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡି କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସପ୍ତାହାନ୍ତ ସଟ୍‌ଡାଉନ୍‌ ସହ ସୋମବାର ଠାରୁ ଆରମ୍ଭ ହେଉଥିବା ନାଇଟ୍‌ କର୍ଫ୍ୟୁ କଡାକଡି କଡାକଡି କରିବାକୁ ଏସ୍‌ପି ଶ୍ରୀ ଭାମୁ ସମସ୍ତ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ  ୩୦ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି। ପେଟ୍ରୋଲିଂ କୁ କଡାକଡ଼ି କରିବାକୁ ପ୍ରତ୍ୟେକ ଥାନାକୁ ଗୋଟିଏ ଲେଖାଏଁ ପିସିଆର୍‌ ଭ୍ୟାନ୍‌ ଦିଆଯାଇଛି। ଜିଲ୍ଲା ପୁଲିସ ପକ୍ଷରୁ ଚିହ୍ନଟ ହୋଇଥିବା ୩୦ଟି ପ୍ରମୁଖ ସ୍ଥାନରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି।

ସେପଟେ ସପ୍ତାହାନ୍ତ ସଟ୍‌ଡାଉନ୍‌ ‌ଯୋଗୁଁ ସ୍ମାର୍ଟସିଟି ଓ ଏହାର ଆଖପାଖରେ ସମସ୍ତ ଦୋକାନ ବଜାର, ହାଟ ଇତ୍ୟାଦି ବନ୍ଦ ରହିଥିଲା। ରାଉରକେଲାରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ  ଯାତାୟତ କରୁଥିବା ବସ୍‌ଗୁଡ଼ିକ ଏତେଟା ଚଳାଚଳ କରୁ ନଥିବା ଦେଖିବାକୁ ମିଳିଥିଲା। ଅମାନିଆକୁ ସାବାଡ୍‌ କରିବାକୁ ସହରର ପାନପୋ‌‌ଷ ଗାନ୍ଧିଛକ, ବିର୍ସାମୁଣ୍ଡା ଛକ, ଉଦିତନଗର ଆମ୍ବେଦକର ଛକ, ଛେଣ୍ଡ ଛକ, ସେକ୍ଟର-୧୯ ଆମ୍ବାଗାନ୍‌ ଛକ, ସେକ୍ଟର-୧୭/୧୭ ଛକ, ରଙ୍ଗିଲା ଛକରେ ଯାଞ୍ଚକୁ କଡାକଡି କରାଯାଇଥିଲା। ମୋଟା‌ମୋଟି ଭାବେ ସଟ୍‌ଡାଉନ୍‌ ଯୋଗୁ ଶୂନଶାନ୍‌ ରହିଥିଲା ରାସ୍ତାଘାଟ, ବଜାର ଓ ହାଟ। ରାସ୍ତାରେ କାଁ ଭାଁ କେତୋଟି ଗାଡିମୋଟର ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା।

୨ ଦୋକାନ ସିଲ୍‌, ୬୩ ହଜାର ଜରିମାନା : କୋଭିଡ଼୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଗତକାଲି ରାତିରେ ସାମାଜିକ ଦୂରତା ନିୟମ ପାଳନ କରି ନଥିବାରୁ ରାଉରକେଲା ଜିଲ୍ଲା ପ୍ରଶାସନ ଦୁଇଟି ଦୋକାନକୁ ସିଲ୍‌ କରିଛନ୍ତି। ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ମୋଟ ୬୩ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ସୀମାନ୍ତରେ ଯାଞ୍ଚ କଡ଼ାକଡି : ଜିଲ୍ଲା ସୀମାନ୍ତରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡି କରାଯାଇଛି। ସୁନ୍ଦରଗଡ ଏଡ଼ିଏମ୍‌ ବିଶ୍ବଜିତ୍‌ ମହାପାତ୍ରଙ୍କ  ନେତୃତ୍ବରେ ଗଠିତ୍‌ ଟିମ୍‌ ବାଲିଶଙ୍କରାର ବ୍ରାହ୍ମଣମରା ଦୈନିକ ହାଟ, ସବ୍‌ଡେଗା,ଲେଫ୍ରିପଡା, ଟାଙ୍ଗରପାଲି ସ୍ଥାନୀୟ ତହସିଲଦାରଙ୍କ ସହାୟତା ସାମାଜିକ ଦୂରତା, ମାସ୍କ ଯାଞ୍ଚ ନିୟମ ଲୋକମାନେ ପାଳନ କରୁଛନ୍ତି କି ନାହିଁ ବିଭାଗୀୟ ଅଧିକାରୀମାନେ ଯାଞ୍ଚ କରିଥିଲେ। ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଥିଲେ।

ଆୟକର କଲୋନି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ : ଇସ୍ପାତ ସହରାଞ୍ଚଳ ପରେ ଆର୍‌ଏମ୍‌ସି ଏରିଆରେ କରୋନା ପଜିଟିଭି ସଂଖ୍ୟା ବଢ଼ୁଥିବାରୁ ଆର୍‌ଏମ୍‌ସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ‌ଘୋ‌ଷଣା କରାଯାଉଛି। ଗତକାଲି ସେକ୍ଟର-୨୦ ଡି ବ୍ଲକ, ସେକ୍ଟର-୧ ଜି ବ୍ଲକର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ଉଦିତନଗର ଆୟକର ବିଭାଗର ଅଧିକାଂଶ ଅଧିକାରୀ ଓ କର୍ମଚାରୀ କରୋନା ପଜିଟିଭ୍‌ ହେବା ପରେ ଅଫିସ୍‌କୁ ବନ୍ଦ କରାଯାଇଛି। କଲୋନିରେ ୩ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ଆର୍‌ଏମ୍‌ସି କମିଶନର ଦିବ୍ୟଜ୍ୟୋତି ପରିଡା ସମ୍ପୃକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। କଲୋନିରେ ରହୁଥିବା କର୍ମଚାରୀ ଓ ସେମାନଙ୍କ ପରିବାର ସମସ୍ତ ସଦସ୍ୟ ଘରେ ରହିବାକୁ ଆର୍‌ଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି। ଅତ୍ୟାବଶକୀୟ ଜିନିଷ ସହ ସ୍ବାସ୍ଥ୍ୟସେବା ଆର୍‌ଏମ୍‌ସି ପକ୍ଷରୁ ଯୋଗାଇ ଦିଆଯିବ।

କୋଭିଡ୍ ପରୀକ୍ଷା ଓ ଚିକିତ୍ସା : ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।  କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇ ନେବା ସହ ଆବଶ୍ୟକ ହେଲେ ଚିକିତ୍ସା ପାଇଁ କାହା ସହ ଯୋଗାଯୋଗ କରିବେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ଭଳି ଲକ୍ଷଣ ଦେଖାଦେଲେ ସେ ତୁରନ୍ତ ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ) କିମ୍ବା ଅନ୍ୟ ଘରୋଇ ଚିକିସାଳୟର ଫ୍ଲୁ-କ୍ଲିନିକ୍ ସହ ପରାମର୍ଶ କରିବା ଦରକାର। ସେଠାରେ ଲକ୍ଷଣ ଦେଖିବା ପରେ ଡାକ୍ତର କୋଭିଡ୍ ପରୀକ୍ଷା ପାଇଁ ପରାମର୍ଶ ଦେଇପାରନ୍ତି। ତେବେ କୋଭିଡ୍ ପରୀକ୍ଷା ଆବଶ୍ୟକ ହେଉ ନଥିଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରି ଘରେ ବିଶ୍ରାମ ନିଅନ୍ତୁ। ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ) ଏବଂ ସେକ୍ଟର-୬ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଉଭୟ ଆରଟିପିସିଆର୍ ଓ ଆଣ୍ଟିଜେନ୍ ପରୀକ୍ଷା ଲାଗି ବ୍ୟବସ୍ଥା ରହିଛି। ସେହିପରି ରାଉରକେଲାର ଜେ ପି ହସ୍ପିଟାଲ, ଭେସଜ ପଟେଲ ହସ୍ପିଟାଲ, ହାଇଟେକ୍ ହସ୍ପିଟାଲ, ଆଇଜିଏଚ୍ ଏବଂ ବନ୍ଧମୁଣ୍ଡାସ୍ଥିତ ରେଲୱେ ହସ୍ପିଟାଲରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି। କୋଭିଡ୍ ଟେଷ୍ଟ କରାଉଥିବା ବ୍ୟକ୍ତିମାନଙ୍କ ସୂଚନା ପାଇଁ ରାଉରକେଲା ମହାନଗର ନିଗମ ୱେବସାଇଟରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ପ୍ରକାଶ କରାଯିବ। ଜଣେ କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କର ପରୀକ୍ଷା ପରେ ଆବଶ୍ୟକ ହେଲେ ତାଙ୍କୁ ହୋମ ଆଇସୋଲେସନ ପାଇଁ ଡାକ୍ତର ପରାମର୍ଶ ଦେଇପାରନ୍ତି। ତେଣୁ ସଂପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ସହ ନିଶ୍ଚିତ ଭାବେ ୧୪ ଦିନ ଯାଏଁ ଘରେ ସଙ୍ଗରୋଧରେ ରହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର