ରାଉରକେଲା: ସରିଲା ସପ୍ତାହାନ୍ତ ସଟ୍‌ଡାଉନ୍, ଆଜି ସଂଧ୍ୟା ୬ରୁ ନାଇଟ୍‌ କର୍ଫ୍ୟୁ

କାର୍ଯ୍ୟକ୍ଷମ ହେଉନି କୋଭିଡ୍‌ କେୟାର ସେଣ୍ଟର
ଆକ୍ରାନ୍ତ ସଂଖ୍ୟା ୩୪୦, ମୃତ୍ୟୁ ୫
ନାଇଟ୍‌ ବସ୍‌, ହସ୍ପିଟାଲରେ ନାହିଁ କରୋନା ସତର୍କତା

ରାଉରକେଲା : ଅଣାୟତ୍ତ ମହାମାରୀ କରୋନର ଦ୍ବିତୀୟ ଲହରୀକୁ ରୋକିବାକୁ ଆରମ୍ଭ ସପ୍ତାହାନ୍ତ ସଟ୍‌ଡାଉନ୍‌ ଶେଷ ହୋଇଛି। ସର୍ବଦା ଚଳଚଞ୍ଚଳ ସ୍ମାର୍ଟସିଟି ରାଉରକେଲାର ଥିଲା ଶୂନ୍‌ଶାନ୍‌। ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଲୋକେ ଘରୁ ବାହାରି ନଥିବାରୁ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ଆଜି (ସୋମବାର)ଠୁ ସଂଧ୍ୟା ୬ରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ସେପଟେ ଆଜି କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇ ୩୪୦ରେ ପହଞ୍ଚିଛି। ସରକାର ଜିଲ୍ଲାରେ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା। ଆଜି ପ୍ରାୟ ୬ରୁ ଅଧିକ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା କମୁ ନଥିବାରୁ କୋଭିଡ଼ ହସ୍ପିଟାଲରେ ରୋଗୀଙ୍କୁ ବେଡ୍‌ ମିଳୁ ନାହିଁ। ପ୍ରାୟ ୯୦% କରୋନା ଆକ୍ରାନ୍ତ ରୋଗୀ ହୋମ୍‌ ଆସୋଲେସନ୍‌ରେ ରହିବାକୁ ବାଧ୍ୟ ହେଉଛନ୍ତି।

ବର୍ତ୍ତମାନ ଜୟ ପ୍ରକାଶ ହସ୍ପିଟାଲରେ ପ୍ରାୟ ୧୫୦, ଉଦିତନଗରସ୍ଥିତ ଶାନ୍ତି ମେମୋରିଆଲ କୋଭିଡ୍‌ ହସ୍ପିଟାଲରେ ୧୦୦ ବେଡ୍‌ ରୋଗୀ ଭର୍ତ୍ତି ଅଛନ୍ତି। କେବଳ ହାଇଟେକ୍‌ ମେଡିକାଲ କୋଭିଡ୍‌ ହସ୍ପିଟାଲରେ ୨୦୦ ବେଡ୍‌ରୁ ପାଖାପାଖି ୧୫୦ରୁ ଅଧିକ ବେଡ୍‌ ଖାଲି ରହିଛି। ଜିଲ୍ଲାରେ କୌଣସି କୋଭିଡ୍‌ ହସ୍ପିଟାଲରେ ବେଡ୍‌ ନଥିବାରୁ ହାଇଟେକ୍‌ ମେଡିକାଲ କଲେଜ ହସ୍ପିଟାଲର ବେଡ୍‌କୁ ସଂରକ୍ଷିତ ରଖାଯାଇଛି। ସେପେଟ ବିପିୟୁଟି ନିକଟରେ ଥିବା ଆକାଂକ୍ଷା –୧, ଆକାଂକ୍ଷା-୨ ଛାତ୍ର ନିବାସ, ଛାତ୍ରୀ ନିବାସରେ ମୋଟ ୫୦୦ ବେଡ୍‌ର କୋଭିଡ୍‌ କେୟାର ସେଣ୍ଟର (ସିସିସି) ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଆର୍‌ଏମ୍‌ସି ପକ୍ଷରୁ ୧୦୦ ବେଡ୍‌ ବିଶିଷ୍ଟ ଛାତ୍ରୀ ନିବାସରେ ଆବଶ୍ୟକୀୟ ସରଞ୍ଜାମ ବ୍ୟବସ୍ଥା କରାଯାଇଛି। କୋଭିଡ୍ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଠାରୁ ଗ୍ରୀନ୍‌ ସିଗ୍‌ନାଲ ମିଳୁ ନଥିବାରୁ ସିସିସି ଖୋଲାଯାଇ ପାରୁ ନାହିଁ। ସେମିତି ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ୨୦୦ ବେଡ୍‌ର କୋଭିଡ୍‌ ହସ୍ପିଟାଲ ଘୋଷଣା ହୋଇଥିଲେ ହେଁ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନାହିଁ। ଘୋଷଣା ସତ୍ବେ କାର୍ଯ୍ୟକ୍ଷମ ହେଉ ନଥିବାରୁ ଅଧିକାଂଶ ରୋଗୀ ବେଡ୍‌ ପାଇଁ ଏ କୋଭିଡ୍‌ ହସ୍ପିଟାଲରୁ ସେ କୋଭିଡ୍ ହସ୍ପିଟାଲକୁ ଦୌଡୁଛନ୍ତି। ବାଧ୍ୟ ହୋଇ ଘରକୁ ଫେରୁଛନ୍ତି। ନିକଟରେ ଜଣେ ବ୍ୟବସାୟୀଙ୍କ ପତ୍ନୀ ଆଇଜିଏଚ୍‌ରୁ ଶାନ୍ତି ମେମୋରିଆଲ ହସ୍ପିଟାଲ, ଆର୍‌ଜିଏଚ୍‌ ଓ ହାଇଟେକ୍‌ ମେଡିକାଲକୁ ଯାଇଥିଲେ। ବେଡ୍‌ ନ ମିଳିବାରୁ ଶେଷରେ ଛଟପଟ ହୋଇ ଆଖି ବୁଜିଥିଲେ। ଏଭଳି ଘଟଣାର ପୁନରାବୃତ୍ତି ନ ହେବାକୁ ଘୋଷଣା ହୋଇଥିବା ସିସିସି, କୋଭିଡ୍‌ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସେପଟେ ଗତକାଲି ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ଗଠନ ହୋଇଥିବା ୩୦ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ସହରରେ ଚିହ୍ନଟ ‌ ୩୦ଟି ପ୍ରମୁଖ ସ୍ଥାନ ମଧ୍ୟରୁ କେତେକ ସ୍ଥାନରେ ଅସ୍ଥାୟୀ ସେଡ୍‌ କରାଯାଇଛି। ପ୍ରତ୍ୟେକ ସେଡ୍‌ର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେପଟେ ଗତକାଲି ସଂଧ୍ୟା ୬ଟାରୁ ଆଜି ସକାଳ ମଧ୍ୟରେ ମାସ୍କ ପିନ୍ଧି ନଥିବା ଅମାନିଆଙ୍କ ଠାରୁ ଜରିମାନା ବାବଦରେ ମୋଟ ୪୦, ୯୦୦ ଟଙ୍କା ଆଦାୟ କରାଯାଇଛି। ନାଇଟ୍‌ ସୁପର ବସ୍‌, ଘରୋଇ ହସ୍ପିଟାଲରେ କରୋନା ସତର୍କତାକୁ ଯେତିକି ଧ୍ୟାନ ଦିଆଯିବା କଥା ଦିଆ ଯାଉ ନଥିବା ଅଭିଯୋଗ ହେଉଛି। ଜଗଦାସ୍ଥିତ ଘରୋଇ ହସ୍ପିଟାଲରେ ପ୍ରାୟ ୭ରୁ ଅଧିକ କର୍ମଚାରୀଙ୍କର କରୋନା ପଜିଟିଭ୍‌ ଆସିବା ପରେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଚୁପ୍‌ ବସିଛନ୍ତି। ଅନ୍ୟ କିଛି ଘରୋଇ ହସ୍ପିଟାଲରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି

ରାଉରକେଲାରୁ କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ଭଞ୍ଜନଗର, ବ୍ରହ୍ମପୁର, ପାରାଦୀପ, କେନ୍ଦ୍ରାପଡା ଆଦି ଅଞ୍ଚଳକୁ ଯାତାୟତ କରୁଥିବା ନାଇଟ୍‌ ସୁପର ବସ୍‌ରେ କରୋନା ସତର୍କତାକୁ ଆଦୌ ଧ୍ୟାନ ଦିଆଯାଉ ନାହିଁ। ଯାତ୍ରୀମାନେ ବସ୍‌କୁ ଚଢ଼ିବା ପୂର୍ବରୁ ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉ ନାହିଁ। ପୂର୍ବ ପରି ବସ୍‌ଗୁଡ଼ିକୁ ସାନିଟାଇଜ୍‌ କରାଯାଉ ନାହିଁ। ଅଧିକାଂଶ ଯାତ୍ରୀ ମାସ୍କ ନ ପିନ୍ଧି ବସ୍‌ ଭିତରକୁ ପଶୁଥି‌ଲେ ହେଁ ବସ୍‌ କର୍ମଚାରୀମାନେ ରୋଜଗାର ଲୋଭରେ ସେମାନଙ୍କୁ ବାରଣ କରୁ ନାହାନ୍ତି। ସଂକ୍ରମଣ ଭୟ ନଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

 

ସମ୍ବନ୍ଧିତ ଖବର