ସବୁ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍

ଆହୁରି କଠୋର ହେଲା କଟକଣା

ଅନ୍ୟ ଦିନେ ନାଇଟ୍‌ କର୍ଫ୍ୟୁ
ଯାତ୍ରା, ଖୋଲା ମଞ୍ଚ ପୂରା ବନ୍ଦ
ହାଟ, ବଜାର ନିୟମ ବଦଳିଲା
ଦୋକାନ ମଝିରେ ୩୦ଫୁଟ ବ୍ୟବଧାନ
ବିବାହ ଉତ୍ସବ ପୂର୍ବରୁ ୫୦ ଜଣିଆ ଅତିଥି ତାଲିକା ବାଧ୍ୟତାମୂଳକ
ସ୍ଥାନୀୟ କର୍ତ୍ତୃପକ୍ଷ ଏହି ତାଲିକା ବିବାହ ସ୍ଥାନରେ ମାରିବେ
ଘରେ ହେବ ବ୍ରତଘର, ଜନ୍ମଦିନ, ‌ଏକୋଇଶିଆ, ବିବାହ ବାର୍ଷିକୀ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଏବେ ଶୀର୍ଷ ଆଡ଼କୁ ଗତି କରୁଛି। ସଂକ୍ରମଣକୁ ରୋକିବା ପାଇଁ ଗତ ବର୍ଷ ପରି ସରକାର ଏଥର ସିଧାସଳଖ ସବୁଦିନିଆ ଲକ୍‌ଡାଉନ୍‌କୁ ଓହ୍ଲାଇ ନାହାନ୍ତି। କିନ୍ତୁ କରୋନା କଟକଣାକୁ ଅତ୍ୟନ୍ତ କଠୋର କରିବାକୁ ଯାଇ ଚଳିତ ସପ୍ତାହରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଅର୍ଥାତ ସବୁ ଶନିବାର ଓ ରବିବାର ସହରଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ କାରବାରକୁ ଅନୁମତି ମିଳିବ। ପୂର୍ବ ପରି ଅନ୍ୟ ଦିନଗୁଡ଼ିକରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ଏହାର ସମୟରେ କିଛି ପରିବର୍ତ୍ତନ କରାଯାଇ ନାହିଁ। ମେ’ ୧୫ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି କୁହାଯାଇଛି।

‌ସୋମବାର ସନ୍ଧ୍ୟାରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ କୁମାର ଜେନା ଏହି ଘୋଷଣା କରି କହିଛନ୍ତି ଯେ ପୂର୍ବ ପରି ୧୦ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ଅନ୍ୟ ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ରହିବ। କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ସବୁ ସହରରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍ ପାଇଁ ନିଷ୍ପତ୍ତି ନିଆଯାଇଛି। ସଟ୍‌ଡାଉନ୍ ସମୟରେ କିଛି କ୍ଷେତ୍ରକୁ କଟକଣାମୁକ୍ତ କରାଯାଇଛି। ଏହି ସମୟରେ ସମସ୍ତ ହସ୍ପିଟାଲ୍‌, ଔଷଧ ଦୋକାନ ଖୋଲା ରହିବ। ଏଠାରେ କାମ କରୁଥିବା ଡାକ୍ତର ଓ କର୍ମଚାରୀମାନେ ବିନା ବାଧାରେ ଯା’ଆସ କରିପାରିବେ। ଟେଲିକମ୍ ଓ ପେଟ୍ରୋଲ ପମ୍ପ ସମେତ ଜରୁରୀକାଳୀନ କାର୍ଯ୍ୟ କରୁଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଖୋଲାରହିବ। ଜଳଯୋଗାଣ, ବିଦ୍ୟୁତ ଯୋଗାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀମା‌ନଙ୍କୁ କଟକଣାମୁକ୍ତ କରାଯାଇଛି। ସେହିପରି ଶିଳ୍ପ ସଂସ୍ଥା ଓ ନିର୍ମାଣ କାମ ଜାରି ରହିବ। କୃଷି, ମତ୍ସ୍ୟ, ପଶୁପାଳନ ସମ୍ପର୍କିତ କାର୍ଯ୍ୟରେ ବାଧା ଦିଆଯିବ ନାହିଁ। ହୋଟେଲ୍‌, ଆଇଟି ସଂସ୍ଥା ଆଦି କାର୍ଯ୍ୟ କରିବ। ଗଣମାଧ୍ୟମ କର୍ମଚାରୀମାନେ ଯଥାରୀତି କାମ କରିବେ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ। ବିମାନବନ୍ଦର, ରେଳଷ୍ଟେସନ୍ ଓ ବସ୍‌ଷ୍ଟାଣ୍ଡ୍‌କୁ ଯାତ୍ରୀ ନେବା ଆଣିବା କରୁଥିବା ଗାଡ଼ିକୁ ଅନୁମତି ଦିଆଯିବ। ରେସ୍ତୋଁରା ଓ ଢାବାରେ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ। ଖବରକାଗଜ ହକର୍‌ମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କରିବେ। ସଟ୍‌ଡାଉନ୍ ପାଇଁ ସ୍ବତନ୍ତ୍ର ପାସ୍‌ ଦିଆଯିବ ନାହିଁ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ ଏସ୍‌ଆର୍‌ସି କହିଛନ୍ତି, ପୂର୍ବ କଟକଣା ଅନୁଯାୟୀ ବିବାହ ଉତ୍ସବରେ କୌଣସି ପରିସ୍ଥିତିରେ ୫୦ ଲୋକ (କର୍ତ୍ତା, ଅତିଥି, ପୁରୋହିତ, କ୍ୟାଟରିଂ ସଂସ୍ଥା କର୍ମଚାରୀଙ୍କୁ ମିଶାଇ)ରୁ ଅଧିକ ହେବେ ନାହିଁ। ଅନ୍ତ୍ୟେଷ୍ଟି କ୍ରିୟାରେ ଏହି ସଂଖ୍ୟା ୨୦ ଭିତରେ ସୀମିତ ରହିବ। ବିବାହ ଶୋଭଯାତ୍ରା ହୋଇପାରିବ ନାହିଁ। ବିବାହ ଉତ୍ସବର ୨୪ ଘଣ୍ଟା ପୂର୍ବରୁ ଆୟୋଜକଙ୍କ ପକ୍ଷରୁ ୫୦ ଜଣିଆ ଅତିଥି ତାଲିକା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଦେବାକୁ ପଡ଼ିବ। ଏହି ତାଲିକା ବିବାହ ସ୍ଥାନରେ ଲଗାଯିବ। ଯଦି ଏହି ତାଲିକା ବାହାରୁ କୌଣସି ଲୋକ ସେଠାରେ ଉପସ୍ଥିତ ଥିବେ, ତେବେ କର୍ତ୍ତୃପକ୍ଷ ଉଭୟ ଆୟୋଜକ ଓ ମଣ୍ଡପ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବିବାହ କାର୍ଯ୍ୟରେ ମାସ୍କ, ସମାଜିକ ଦୂରତା, ଥର୍ମାଲ୍‌ ସ୍କାନିଂ ଆଦିକୁ ପାଳନ କରାଯିବ। ଏଥିରେ ଖିଲାପ ହେଲେ ଆୟୋଜକ ଓ ମଣ୍ଡପ ମାଲିକ ଦାୟୀ ରହିବେ। ବିବାହ ବାଦ୍‌ ବ୍ରତଘର, ଜନ୍ମଦିନ, ‌ଏକୋଇଶିଆ, ବିବାହ ବାର୍ଷିକୀ ଆଦି କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିବ ନାହିଁ। କୌଣସି ମଣ୍ଡପ କିମ୍ବା ହୋଟେଲ୍‌ରେ ଏପରି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଏସବୁ କାର୍ଯ୍ୟକ୍ରମ ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ପାଳନ କରିବା ପାଇଁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ସାମାଜିକ, ସାଂସ୍କୃତିକ, ରାଜନୈତିକ, ଧାର୍ମିକ ସଭାସମିତି ସମ୍ପୂର୍ଣ୍ଣ ବାରଣ କରାଯାଇଛି। କୌଣସି ପ୍ରକାର ଶୋଭଯାତ୍ରାକୁ ମଧ୍ୟ ଅନୁମତି ମିଳିବ ନାହିଁ। ଧର୍ମପୀଠଗୁଡ଼ିକୁ ଶ୍ରଦ୍ଧାଳୁ ଯିବେ କି ନାହିଁ, ତାହା ଜିଲ୍ଲାର ପରିସ୍ଥିତି ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଯାତ୍ରା, ଖୋଲା ମଞ୍ଚ ଆଉ ଚାଲିପାରିବ ନାହିଁ। ସିନେମା ହଲ୍‌ଗୁଡ଼ିକ ୫୦% କ୍ଷମତାରେ ଚାଲିବ।

ହାଟ, ମାଛ ବଜାର ଆଦିରେ ଗହଳି କମାଇବା ପାଇଁ ବିକେନ୍ଦ୍ରୀକରଣ କରାଯିବ। ପ୍ରତି ଦୁଇଟି ଦୋକାନ ମଝିରେ ୩୦ ଫୁଟ ବ୍ୟବଧାନ ରହିବ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଏ ନେଇ ଆବଶ୍ୟକ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଅାଯାଇଛି। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ୍‌ ଚାଲିବ। କୋଭିଡ୍‌ ଗାଇଡ୍‌ଲାଇନ୍ ପାଳନ ଠିକ୍ ଭାବେ ହେଉଛି କି ନାହିଁ, ତାହା ମଲ୍‌ କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ମଲ୍‌ରେ ଥିବା ରେସ୍ତୋଁରା କେବଳ ଖାଦ୍ୟ ପାର୍ସଲ୍‌ ଦେଇପାରିବେ। ସେଠାରେ ଗ୍ରାହକମାନେ ବସି ଖାଇପାରିବେ ନାହିଁ। ସବୁ ବଜାରରେ ଯେପରି ସାମାଜିକ ଦୂରତା ରକ୍ଷା ହେବ ଓ ସମସ୍ତେ ମାସ୍କ ପିନ୍ଧିବେ, ତାହାକୁ କଡ଼ାକଡ଼ି ଯାଞ୍ଚ୍‌ କରାଯିବ। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହୋଟେଲ୍‌ଗୁଡ଼ିକ ବାହାର ଲୋକଙ୍କୁ ରେସ୍ତୋଁରାକୁ ଅନୁମତି ଦେବେ ନାହିଁ। କେବଳ ହୋଟେଲ୍‌ ରୁମ୍‌ରେ ରହୁଥିବା ଲୋକମାନେ ହିଁ ସେଠାରେ ଖାଇପାରିବେ। ତେବେ ଖାଦ୍ୟ ଅନ୍‌ଲାଇନ୍ ଡେଲିଭରି କରାଯାଇପାରିବ।

ସବୁ ଘରୋଇ ସଂସ୍ଥା, ବ୍ୟାଙ୍କ ଯଥାସମ୍ଭବ କମ୍ ମାନବ ସମ୍ବଳରେ କାର୍ଯ୍ୟ କରିବାକୁ କୁହାଯାଇଛି। ‘ୱାର୍କ ଫ୍ରମ୍‌ ହୋମ୍‌’କୁ ପ୍ରୋତ୍ସାହନ ଦେବା ପାଇଁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି। କାର୍ଯ୍ୟାଳୟରେ ଯେପରି କୋଭିଡ୍‌ ଗାଇଡ୍‌ଲାଇନ୍ ଠିକ୍ ଭାବେ ପାଳନ କରାଯିବ, ତାହାକୁ କର୍ତ୍ତୃପକ୍ଷ ନିଶ୍ଚିତ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର