ବାରଣାସୀକୁ ସାପ୍ତାହିକ ତୀର୍ଥ ଟ୍ରେନ୍ ଚଳାଚଳ ପାଇଁ ଦାବି

ରାୟଗଡ଼ାରେ ଇଷ୍ଟକୋଷ୍ଟ୍ ରେଲୱେ ଜେନେରାଲ୍ ମ୍ୟାନେଜର୍; କୋରାପୁଟ-ରାୟଗଡ଼ା ରେଳପଥର କଲେ ନୀରିକ୍ଷଣ

ରାୟଗଡ଼ା: ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ରାୟଗଡ଼ା ଗସ୍ତରେ ଆସି କୋରାପୁଟ-ରାୟଗଡ଼ା ରେଳପଥର ନୀରିକ୍ଷଣ କରିଛନ୍ତି। କୋରାପୁଟ ଷ୍ଟେସନରେ ପହଞ୍ଚିବା ପରେ ଶ୍ରୀମତି ଯୋଶୀ ବିଭିନ୍ନ ଉନ୍ନୟନମୂଳକ କାମ ସହ ନିର୍ମାଣଧୀନ ଦ୍ବିତୀୟ ଲାଇନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ପରେ ଲକ୍ଷ୍ମୀପୁର ରୋଡ ଷ୍ଟେସନରେ ପହଞ୍ଚି ରେଲୱେ କଲୋନିରେ ନିର୍ମିତ ଗ୍ରୀନ୍ ଗ୍ୟାଲେରୀ ପାର୍କକୁ ଉଦଘାଟନ କରିଥିଲେ। ରେଳ କଲୋନି ଯାଞ୍ଚ କରି ରେଲୱେ କ୍ୱାର୍ଟରର ବାସିନ୍ଦାଙ୍କ ସହ ଆଲୋଚନା କରି ସେମାନଙ୍କର ଅଭିଯୋଗ ଶୁଣିଥିଲେ।

କଲୋନିରେ ଲାଗି ରହିଥିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜେନେରାଲ୍ ମ୍ୟାନେଜରଙ୍କ ଉପସ୍ଥିତିରେ ଦାମନଯୋଡ଼ି-କାକିରିଗୁମ୍ମା-ସିଙ୍ଗାପୁର ରୋଡ୍ ରେଳପଥରେ ଟ୍ରାକ୍ ସ୍ଥିତି ଆକଳନ ପାଇଁ ଟ୍ରେନର ଗତି ପରୀକ୍ଷଣ କରାଯାଇଥିଲା। ରାୟଗଡ଼ା ଷ୍ଟେସନରେ ରନିଂ ରୁମ୍, କମବାଇନଡ୍ କ୍ରୁ ଲବି, ଟ୍ରେନ୍ ମ୍ୟାନେଜର ଲବିକୁ ଜେନେରାଲ୍ ମ୍ୟାନେଜର୍ ଉଦଘାଟନ କରିଥିଲେ। ଲକ୍ଷ୍ମୀପୁର ରୋଡ୍ – ସିଙ୍ଗରାମ ଏବଂ ଅନ୍ୟାନ୍ୟ ଛୋଟ ରେଳ ବ୍ରିଜ୍, ରେଳ ଟ୍ରାକ୍, ବ୍ରିଜ୍, କ୍ରସିଂ, ଟନେଲ୍, ଟ୍ରାକ୍ସନ୍ ସବଷ୍ଟେସନ୍, ବୁକିଂ ଅଫିସ୍, ୱେଟିଂ ରୁମ୍, ଅବସରପ୍ରାପ୍ତ କୋଠରୀ, ରେଳ କଲୋନିର ଯାଞ୍ଚ କରିଥିଲେ ଶ୍ରୀମତି ଯୋଶୀ। ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ସହିତ ଷ୍ଟେସନର ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ ଜେନେରାଲ୍ ମ୍ୟାନେଜର ପରାମର୍ଶ ଦେଇଛନ୍ତି। ଯାଞ୍ଚ ସମୟରେ ଶ୍ରୀମତୀ ଯୋଶୀ ଟ୍ରେନ୍ ଚଳାଚଳର ନିରାପତ୍ତା ଏବଂ ଟ୍ରେନର ସମୟାନୁବର୍ତ୍ତୀତା ଉପରେ ଅଧିକାରୀଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଆକ୍ସିଡେଣ୍ଟ ରିଲିଫ୍ ଟ୍ରେନ୍ ଆକ୍ସିଡେଣ୍ଟ୍ ରିଲିଫ୍ ମେଡିକାଲ୍ ଭ୍ୟାନ୍ର ଯାଞ୍ଚ ବ୍ୟତୀତ କ୍ରୁ ଲବି, ବୁକିଂ ଅଫିସ୍ ପରିଦର୍ଶନ କରିଥିଲେ। ଯାଞ୍ଚ ସମୟରେ ଜିଏମ୍ ଗଣମାଧ୍ୟମ, ବିଭିନ୍ନ ସଙ୍ଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରି ଯାତ୍ରୀଙ୍କୁ ଅଧିକ ସୁବିଧା ଯୋଗାଇବା ସଂପର୍କରେ କହିଥିଲେ। ଜେନେରାଲ୍ ମ୍ୟାଜେନରଙ୍କ ନୀରିକ୍ଷଣ ସମୟରେ ୱାଲଟିୟର୍ ଡିଭିଜନ୍ ରେଲ‌ୱେ ମ୍ୟାନେଜର ଅନୁପ ଶତପଥୀ ଉପସ୍ଥିତ ଥିଲେ।

ରାୟଗଡ଼ା ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଦିନରେ ରାୟଗଡ଼ାରୁ ଭୁବନେଶ୍ବରକୁ ଟ୍ରେନ୍ ଚଳାଚଳ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସେହିପରି ତୀର୍ଥଯାତ୍ରା ପାଇଁ ରାୟଗଡ଼ାରୁ ବାରଣାସୀକୁ ଏକ ଟ୍ରେନ୍ ଚଳାଇବାକୁ ପରିଷଦର ସଭାପତି ଦୟାନନ୍ଦ ଖାଡ଼ଙ୍ଗା, ସଂପାଦକ ପ୍ରଶାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେଶ ସାହୁ, ଉପଦେଷ୍ଟା ସାରଥୀ ପଟ୍ଟନାୟକ, ସଭ୍ୟ ମନୋଜ ସାହୁ, ସାହୁ କୁଲଦୀପ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର