ଆର୍‌ଡବ୍ଲୁଏସ୍‌ଏସ୍‌ରେ ଅଜବ ପ୍ରକାରର ନିଯୁକ୍ତି: ସିଭିଲ୍‌ ଇଞ୍ଜିନିୟରଙ୍କୁ ମେକାନିକାଲ୍ ସେକ୍ସନ୍ ଦାୟିତ୍ବ

ଭୁବନେଶ୍ବର : ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନୀହାର ରଂଜନ ଦାସଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିବା ପରେ ଏବେ ଏହି ବିଭାଗର ବିଭିନ୍ନ ପ୍ରକାରର ଦୁର୍ନୀତି ନେଇ ଅଭିଯୋଗ ହେଲାଣି। ନୀହାର ରଂଜନ ନିଜ ପଦବିର ଅପବ୍ୟବହାର କରି ଏକାଧିକ ସିଭିଲ୍‌ ଯନ୍ତ୍ରୀଙ୍କୁ ବିଭିନ୍ନ ମେକାନିକାଲ୍‌ ସେକ୍ସନ ଦାୟିତ୍ବରେ କାହିଁକି ଅବସ୍ଥାପିତ କରିଥିଲେ? କିଛି ନିର୍ଦ୍ଦିଷ୍ଟ ଯନ୍ତ୍ରୀଙ୍କୁ ଏକାଧିକ ସେକ୍ସନର ଦାୟିତ୍ବ କାହିଁକି ଦେଇଥିଲେ? ସହକାରୀ ଯନ୍ତ୍ରୀ (ସିଭିଲ୍‌)ଙ୍କୁ କାହିଁକି ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବିରେ ଅତିରିକ୍ତ ଦାୟିତ୍ବ ଦେଇଥିଲେ ସେନେଇ ଏବେ ପ୍ରଶ୍ନ ଉଠିଲାଣି। ଏଥିସହିତ ବିଭିନ୍ନ ମହଲରେ ଦାବି ଉଠିଲାଣି ଯେ ଭିଜିଲାନ୍ସ କେବଳ ନୀହାରଙ୍କ ଆୟ ବର୍ହିଭୂତ ସମ୍ପତ୍ତି ହିସାବ ପଛରେ ନ ପଡ଼ି, ତାଙ୍କ ଆୟ ବର୍ହିଭୂତ ସମ୍ପତ୍ତି ବଢ଼ାଇବାରେ ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କ ନିକଟରେ ପହଞ୍ଚିବା ଦରକାର। କେବଳ ସେତିକି ନୁହେଁ, ବିଭାଗର କେଉଁ କର୍ମଚାରୀ ନୀହାରଙ୍କ ଅନୁକମ୍ପା ପାଉଥିଲେ ସେନେଇ ମଧ୍ୟ ଭିଜିଲାନ୍ସ ତଦନ୍ତ କଲେ ଅନେକ ରହସ୍ୟ ଉପରୁ ପରଦା ଉଠିବ।

ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ଦାସ ତାଙ୍କ ଅନୁଗତ କିଛି ସିଭିଲ୍‌ ଯନ୍ତ୍ରୀଙ୍କୁ ମେକାନିକାଲ୍‌ ସେକ୍ସନ ଦାୟିତ୍ବ ଦେବା ସହ ବିଭିନ୍ନ ଆବଶ୍ୟକତା ଠାରୁ ଅଧିକ ଯନ୍ତ୍ରାଂଶ ହସ୍ତାନ୍ତର କରିବାକୁ ଅନ୍ୟ ଅଧିକାରୀଙ୍କ ଉପରେ ଚାପ ପକାଉଥିଲେ। ଏନେଇ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏ.କେ ମଲ୍ଲିକ ବାରଣ କରିବା ସହ ଶ୍ରୀ ଦାସଙ୍କ ଦ୍ବାରା ଜାରି ହୋଇଥିବା ବିଭିନ୍ନ ନିର୍ଦ୍ଦେଶନାମାକୁ ବି ଗତ ଏପ୍ରିଲ ୨୮ରେ ଖାରଜ କରିଥିଲେ। କିନ୍ତୁ ଏହାପରେ ବି ସେ ଏହାକୁ ଏଡ଼ାଇବାକୁ ବିଭିନ୍ନ ସମୟରେ ନିଜ ପଦବିର ଅପବ୍ୟବହାର କରିଚାଲିଥିଲେ।

କେବଳ ନୀହାର ରଂଜନଙ୍କ ସମ୍ପତ୍ତି ପାଖରେ ଅଟକିଯିବ କି ଭିଜିଲାନ୍ସ?
ବିଭାଗରେ ପୁଳାପୁଳା ଦୁର୍ନୀତିର ଗନ୍ଧ

ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ଶ୍ରୀ ଦାସ ଜଣେ ସହକାରୀ ଯନ୍ତ୍ରୀ (ସିଭିଲ୍‌)ଙ୍କୁ ଢେଙ୍କାନାଳ ମେକାନିକାଲ୍‌ ସେକ୍ସନ୍, ଢେଙ୍କାନାଳ ମେକାନିକାଲ୍‌ ସବ୍‌ଡିଭିଜନ୍, ବାରିପଦା ମେକାନିକାଲ୍‌ ସେକ୍ସନ୍, କଟକ ମେକାନିକାଲ୍‌ ସେକ୍ସନ୍ ଭଳି ୩ଟି ଜିଲ୍ଲାରେ ୪ଟି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦେଇଥିଲେ। ଆଉ ଜଣେ ସହକାରୀ ଯନ୍ତ୍ରୀ (ସିଭିଲ୍‌)ଙ୍କୁ ଭୁବନେଶ୍ବର ମେକାନିକାଲ୍‌ ସେକ୍ସନ୍, ଭୁବନେଶ୍ବର ମେକାନିକାଲ୍‌ ସବଡିଭିଜନ୍, ପିଏମ୍‌ଡିଆଇ ସର୍କଲ, ଭୁବନେଶ୍ବରରେ ଏଷ୍ଟିମେଟର ପଦବିରେ ନିଯୁକ୍ତି ଦେଇଥିଲେ। ଏହି ଦୁଇ ଯନ୍ତ୍ରୀଙ୍କୁ ଗୋଟିଏ ସବ୍‌ଡିଭଜନ୍‌ରେ ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବିରେ ବି ବସାଇଦେଇଥିଲେ। ନିଜ କାମର ନିଜେ ଯାଞ୍ଚ କରି ଯେପରି ସବୁ ନିଷ୍ପତ୍ତି ନେଇପାରିବେ ସେ ବାଟ ବି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଦାସ କରିଥିଲେ। ଏପରିକି ଅନୁଗତଙ୍କୁ ଏକାଧିକ ପଦବି ଏବଂ ବହୁ ଯନ୍ତ୍ରାଂଶର ଦାୟିତ୍ବ ଦେବା ପରେ ଯେଉଁମାନେ ଏଥିରେ ବାଧକ ସାଜିଥିଲେ ସେମାନଙ୍କ ବିରୁଦ୍ଧରେ ବି ଲିଖିତ ଭାବେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଯେଉଁଥିପାଇଁ ଏହି ସବୁ ସବ୍‌ଡିଭିଜନ୍‌ ଏବଂ ସେକ୍ସନରେ ଶ୍ରୀ ଦାସଙ୍କ ଇଙ୍ଗିତରେ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେଉଛି। ଭିଜିଲାନ୍ସ ଏ ଦିଗରେ ତଦନ୍ତ କଲେ ଶ୍ରୀ ଦାସଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ଖିଅ ପାଇବ ବୋଲି କୁହାଯାଉଛି।

ସେହିପରି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ବୃନ୍ଦାଦେଇପୁର ଗ୍ରାମପଞ୍ଚାୟତର ରଘୁନାଥପୁର ଗ୍ରାମରେ ନଳକୂପ ଖୋଳାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ଗୋଟିଏ ମାତ୍ର ନଳକୂପ ଖୋଳାଯାଇ ଦୁଇଟି ନଳକୂପ ଖୋଳାଯାଇଥିବା ଦେଖାଯାଇଛି। ଯାହାର ପ୍ରମାଣ ଆର୍‌ଟିଆଇରୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ମେକାନିକାଲ୍‌ ଡିଭିଜନ୍‌ ପକ୍ଷରୁ ଫେବ୍ରୁଆରି ୨୪, ୨୦୨୨ରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରଘୁନାଥପୁରରେ ୨୦୧୯-୨୦ରେ ଗଭୀର ନଳକୂପ ଖୋଳିବା ପାଇଁ ୧,୮୯,୦୦୦ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୨୦-୨୧ରେ ଆଉ ଏକ ଗଭୀର ନଳକୂପ ଖୋଳିବା ପାଇଁ ୨ଲକ୍ଷ ୩୪ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଯେତେବେଳେକି ଯାଜପୁରର ଆର୍‌ଡବ୍ଲୁଏସ୍‌ଏସ୍ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ମାର୍ଚ୍ଚ ୨୧, ୨୦୨୨ରେ ତଥ୍ୟ ଦେଇଛି ଯେ, ରଘୁନାଥପୁରରେ ୨୦୧୯-୨୦ରେ କେବଳ ଗୋଟିଏ ନଳକୂପ ଖୋଳାଯାଇଛି। ୨୦୨୦-୨୧ରେ ନଳକୂପ ଖୋଳାଯିବା ନେଇ ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇନାହାନ୍ତି। ଅର୍ଥାତ୍ ମେକାନିକାଲ୍‌ ଡିଭିଜନ୍‌ ପକ୍ଷରୁ ୨୦୨୦-୨୧ରେ ଯେଉଁ ନଳକୂପ ଖୋଳାଯାଇଛି ବୋଲି ଦର୍ଶାଯାଇଛି ତା’ର ତଥ୍ୟ ଯାଜପୁର ଜିଲ୍ଲା ଅଧୀକ୍ଷଣ ଯନ୍ତ୍ରୀଙ୍କ ପାଖରେ ନାହିଁ। ନଳକୂପ ନଖୋଳି କିପରି ୨ଲକ୍ଷ ୩୪ହଜାର ଟଙ୍କାର ବିଲ୍‌ ହୋଇଛି ସେନେଇ କାହା ପାଖରେ ବି ଉତ୍ତର ନାହିଁ। ଏହା ଭାତ ହାଣ୍ଡିରୁ ଗୋଟିଏ। ଭିଜିଲାନ୍ସ ଅଧିକାରୀ ଏ ବାଟ ଦେଇ ଯେତେ ଅଧିକ ଫାଇଲରେ ଖୋଳତାଡ଼ କରିବେ, ଆହୁରି ଚାଞ୍ଚଲ୍ୟକର ତଥ୍ୟ ଆସିବ ଏବଂ ଦୁର୍ନୀତିର ଚେର କେତେ ଗଭୀର ଯାଏ ଭେଦିଛି, ତାହା ମଧ୍ୟ ଜଣାପଡ଼ିବ।

ସମ୍ବନ୍ଧିତ ଖବର