ଭୁବନେଶ୍ବର: ରାଜ୍ୟରେ ସରକାରୀ ସ୍କୁଲ୍‌ଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା ଆଦୌ ଉତ୍ସାହଜନକ ନୁହେଁ। ପ୍ରାୟ ୪୫% ସରକାରୀ ସ୍କୁଲ୍‌ରେ କମ୍ପ୍ୟୁଟର ସୁବିଧା ହିଁ ନାହିଁ। ଯେଉଁଠି କମ୍ପ୍ୟୁଟର ଅଛି ସେଥିରୁ ଅଧିକାଂଶ ଅଚଳ। ବହୁ ବିଦ୍ୟାଳୟରେ କମ୍ପ୍ୟୁଟର ଚଳାଇବାକୁ ଶିକ୍ଷକ ହିଁ ନାହାନ୍ତି। ସ୍ମାର୍ଟ ବିଦ୍ୟାଳୟ ନେଇ ସରକାର ନାରାବାଜି କରୁଥିବା ବେଳେ ଆମ ସରକାରୀ ଶିକ୍ଷା ବ୍ୟବସ୍ଥାର ଏମିତି ବିକଳ ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଦ୍‌ବେଗର ବିଷୟ ହେଲା, କମ୍ପ୍ୟୁଟର ନଥିଲେ ବି ଅନେକ ସ୍କୁଲ୍‌କୁ ଇଣ୍ଟର୍‌ନେଟ୍‌ ସୁବିଧା ଉପଲବ୍ଧ କରାଯାଇଛି। ଏହା କାହାର କି କାମରେ ଲାଗୁଛି, ତାହା ଅନୁସନ୍ଧାନ ସାପେକ୍ଷ। ରାଜ୍ୟ ସରକାରଙ୍କ ତଥ୍ୟ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ‘ୟୁଡାଇଜ୍‌+’ ରିପୋର୍ଟ ପ୍ରସ୍ତୁତ କରନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି, ଓଡ଼ିଶା‌ର ୬୧ହଜାର ୬୯୩ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୩୫ହଜାର ୬୨୮ ବିଦ୍ୟାଳୟ (୫୯.୪ %)ରେ କମ୍ପ୍ୟୁଟର ସୁବିଧା ଉପଲବ୍ଧ। ଅର୍ଥାତ୍‌ ବାକି ୨୬ ହଜାର ୬୫ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ପର୍ଯ୍ୟନ୍ତ କମ୍ପ୍ୟୁଟର ଦେଖିନାହାନ୍ତି। ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଏକ୍ଷେତ୍ରରେ ବେଶ୍‌ ଆଗୁଆ। ଅତ୍ୟାଧୁନିକ ଜ୍ଞାନକୌଶଳ ସହ ତାଳ ଦେଇ ଏହି ବର୍ଗର ୮୧.୩% ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି। ସେହି ତୁଳନାରେ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ବହୁ ପଛରେ।  ୨୦୨୪ ସୁଦ୍ଧା ୫୫.୮% ସରକାରୀ ବିଦ୍ୟାଳୟ, ୬୫.୨% ସରକାରୀ ଅନୁଦାନପ୍ରାପ୍ତ ଓ ୬୭.୮% ଅନ୍ୟାନ୍ୟ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ କମ୍ପ୍ୟୁଟର ରହିଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଥିବା ୨୩ ହଜାର ୩୧୦ ବିଦ୍ୟାଳୟରେ କମ୍ପ୍ୟୁଟର ସୁବିଧା ହିଁ ନାହିଁ। 

Advertisment

୩୪୪ ସ୍କୁଲରେ ବିଜୁଳି ସଂଯୋଗ ଅଛି, ଜଳୁନି
୧୦୪୧ଟିରେ ବାଳିକାଙ୍କ ପାଇଁ ଶୌଚାଳୟ ନାହିଁ

କମ୍ପ୍ୟୁଟର ନ ଥିଲେ ମଧ୍ୟ ୫୦ହଜାର ୫୮୨ ବିଦ୍ୟାଳୟରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ରହିଛି। ଅର୍ଥାତ୍‌ ୧୧ହଜାର ୧୧୧ ବିଦ୍ୟାଳୟକୁ ଇଣ୍ଟରନେଟ୍‌ ସଂଯୋଗ ହୋଇପାରି ନାହିଁ। ୫୯.୪ % ବିଦ୍ୟାଳୟରେ କମ୍ପ୍ୟୁଟର ରହିଥିବା ବେଳେ ୮୨% ବିଦ୍ୟାଳୟକୁ ଇଣ୍ଟରନେଟ୍‌ ସଂଯୋଗ ହୋଇଛି। ୮୧.୪%ସରକାରୀ ବିଦ୍ୟାଳୟ, ୮୩% ସରକାରୀ ଅନୁଦାନପ୍ରାପ୍ତ, ୮୬.୨% ବେସରକାରୀ ଅନୁଦାନପ୍ରାପ୍ତ ଓ ୮୧.୭% ଅନ୍ୟାନ୍ୟ ବିଦ୍ୟାଳୟରେ ଇଣ୍ଟରନେଟ୍‌ ସୁବିଧା ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି। ଗୋଟିଏ ପଟେ ୫୫.୮% ସରକାରୀ ବିଦ୍ୟାଳୟରେ କମ୍ପ୍ୟୁଟର ଥିବା ବେଳେ ୮୨% ବିଦ୍ୟାଳୟରେ ହୋଇଥିବା ଇଣ୍ଟରନେଟ୍‌ ସଂଯୋଗ କେଉଁଭଳି ହୋଇଛି? ଯଦି ୧୫ ହଜାର ସ୍କୁଲରେ କମ୍ପ୍ୟୁଟର ନାହିଁ ତାହା ହେଲେ ଇଣ୍ଟରନେଟ୍‌ କେଉଁ କାମରେ ବ୍ୟବହାର ହେଉଛି? ଇଣ୍ଟରନେଟ୍‌ ଦ୍ବାରା ପିଲାଙ୍କର କି ଲାଭ ହେଉଛି? ଶିକ୍ଷକମାନେ ମୋବାଇଲ୍‌ରେ ସଂଯୋଗ କରିଥିବା ଇ‌ଣ୍ଟରନେଟ୍‌କୁ ବିଦ୍ୟାଳୟର ବୋଲି ଦର୍ଶାଇଛନ୍ତି କି? ଏବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ କେଉଁଠୁ ଆସୁଛି? ୧୫ ହଜାର ସ୍କୁଲରେ ଇଣ୍ଟରନେଟ୍‌ ସୁବିଧା କାହା ପାଇଁ?

ବିଦ୍ୟାଳୟଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ, ଶୌଚାଳୟ ସୁବିଧା ଉପଲବ୍ଧ କରାଇବାରେ ଓଡ଼ିଶା ଶତପ୍ରତିଶତ ସଫଳ ହୋଇପାରି ନାହିଁ। ମୋଟ ବିଦ୍ୟାଳୟ ମଧ୍ୟରୁ ୫୯ହଜାର ୫୧୧ ବିଦ୍ୟାଳୟରେ ବିଦ୍ୟୁତ୍‌ ସଂଯୋଗ ହୋଇଛି। ସେଥିମଧ୍ୟରୁ ୫୯ହଜାର ୭୬ଟି ବିଦ୍ୟାଳୟରେ ବିଜୁଳି ଜଳୁଛି ଏବଂ ୪୩୫ଟି ବିଦ୍ୟାଳୟକୁ ସଂଯୋଗ ହୋଇଥିଲେ ମଧ୍ୟ ବିଜୁଳି ଜଳୁ ନାହିଁ। ‌କେବଳ ସରକାରୀ ବିଦ୍ୟାଳୟର ୩୪୪ ବିଦ୍ୟାଳୟରେ ବିଦ୍ୟୁତ୍‌ ସଂଯୋଗ ହୋଇଥିଲେ ମଧ୍ୟ ବିଜୁଳି ଜଳୁ ନାହିଁ। ସରକାରୀ ଅନୁଦାନପ୍ରାପ୍ତ ୬୮ଟି, ବେସରକାରୀ ଅଣଅନୁଦାନପ୍ରାପ୍ତ ୧୭ ଓ ଅନ୍ୟାନ୍ୟ ବର୍ଗର ୬ଟି ବିଦ୍ୟାଳୟକୁ ବିଦ୍ୟୁତ୍‌ ବୋର୍ଡ, ସୁଇଜ୍‌ ଲାଗିଛି। ହେଲେ ଲାଇଟ୍‌ ଜଳୁନି କି ଫ୍ୟାନ୍‌ ବୁଲୁ ନାହିଁ। ଗୋଟିଏ ଧାଡ଼ିରେ କହିବାକୁ ଗଲେ, ଓଡ଼ିଶାର ୯୬.୫% ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି। ଯେତେବେଳେ କି ଛତିଶଗଡ଼, ଦିଲ୍ଲୀ, ଡାମନ୍‌ ଓ ଡ୍ୟୁ, ଗୋଆ, ଲାକ୍ଷାଦୀପ, ପଣ୍ଡିଚେରୀର ସମସ୍ତ ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୯୯.୮%, ପଶ୍ଚିମବଙ୍ଗରେ ୯୮%, ଝାଡ଼ଖଣ୍ଡରେ ୯୫.୨% ବିଦ୍ୟାଳୟରେ ବିଜୁଳି ପହଞ୍ଚିଛି।

ପାନୀୟ ଜଳ ସୁବିଧା ଉପଲବ୍ଧରେ ଟିକିଏ ଭଲ ସ୍ଥିତିରେ ରହିଛି ଓଡ଼ିଶା। ମାତ୍ର ୮ଟି ବିଦ୍ୟାଳୟରେ ପାନୀୟ ଜଳ ଉପଲବ୍ଧ ହୋଇପାରି ନାହିଁ। ତେବେ ୨୯୧ଟି ଏଭଳି ବିଦ୍ୟାଳୟ ରହିଛି ଯେଉଁଠାରେ ପାନୀୟ ଜଳ ସୁବିଧା ରହିଥିଲେ ମଧ୍ୟ ପିଲାମାନେ ପାଣି ପାଇପାରୁ ନାହାନ୍ତି। ହାରାହାରି ହିସାବକୁ ନେଲେ ଶତ ପ୍ରତିଶତ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା ହୋଇଛି ଏବଂ ୯୯.୫% ବିଦ୍ୟାଳୟରେ କାର୍ଯ୍ୟକ୍ଷମ ରହିଛି। ଶୌଚାଳୟ ଅବସ୍ଥା ଦେଖିଲେ ବାଳକ କିମ୍ବା କୋ-ଏଜୁକେସନ ଥିବା ୬୦ ହଜାର ୮୨୮ ବିଦ୍ୟାଳୟ ମଧ୍ୟରୁ ୫୯ହଜାର ୧୨୦ ବିଦ୍ୟଳୟରେ କାର୍ଯ୍ୟକ୍ଷମ ରହିଛି। ସେହିପରି ବାଳିକା ଓ କୋ-ଏଜୁକେସନ ପାଇଁ ଥିବା ୬୧ହଜାର ୬୨୩ ବିଦ୍ୟାଳୟ ମଧ୍ୟରୁ ୬୧ହଜାର ୧୨ଟି ବିଦ୍ୟାଳୟରେ ଶୌଚ‌ାଳୟ ରହିଛି। ଅର୍ଥାତ୍‌ ୬୧୧ଟି ବିଦ୍ୟାଳୟରେ ବାଳିକାଙ୍କ ପାଇଁ ଶୌଚାଳୟ ସୁବିଧା‌ ଉପଲବ୍ଧ ହୋଇପାରି ନାହିଁ। ୪୩୦ଟି ବିଦ୍ୟାଳୟରେ ବାଳିକାଙ୍କ ପାଇଁ ଥିବା ଶୌଚାଳୟ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ଜଣାପଡ଼ିଛି। ଅର୍ଥାତ୍‌ ୧୦୪୧ଟି ବିଦ୍ୟାଳୟରେ ବାଳିକାଙ୍କ ପାଇଁ ଶୌଚାଳୟ ନାହିଁ।