ଭୁବନେଶ୍ବର: ତିନି ବର୍ଷରେ ବଦଳିଗଲା ୮ ହଜାରରୁ ଅଧିକ ସରକାରୀ ଉଚ୍ଚବିଦ୍ୟାଳୟ (ହାଇସ୍କୁଲ)ର ରୂପରେଖ। ୫-ଟି କାର୍ଯ୍ୟକ୍ରମ ଅଧୀନରେ ହାଇସ୍କୁଲଗୁଡ଼ିକର ନବକଳେବର କରାଗଲା। ନୂଆ ରଙ୍ଗ ଲାଗିଲା। କ୍ଲାସରୁମ୍ର ଡେସ୍କ ବେଞ୍ଚ ବଦଳିଲା। ଲାଇବ୍ରେରି, ଲାବରେଟୋରି ମଧ୍ୟ ପ୍ରତିଷ୍ଠା ହେଲା। ଡିଜିଟାଲ ହେଲା କ୍ଲାସରୁମ୍। ଲାଗୁଥିଲା ରୂପାନ୍ତରଣ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ। ମାତ୍ର ବିଜେଡି ସରକାରର ଏହି ହାଇସ୍କୁଲ ନବକଳେବରର ଗୋଟିଏ ପରେ ଗୋଟିଏ ଘୋଟାଲା ସାମ୍ନାକୁ ଆସିବାରେ ଲାଗିଛି। ବାଲେଶ୍ବରରୁ ବ୍ରହ୍ମପୁର ହେଉ ଅଥବା କେନ୍ଦ୍ରାପଡ଼ାରୁ କଳାହାଣ୍ଡି। ସବୁଆଡ଼ୁ ଏବେ ସେହି ଗୋଟିଏ ଅଭିଯୋଗ ୫-ଟି ହାଇସ୍କୁଲ ରୂପାନ୍ତରଣରେ ଦୁର୍ନୀତି ହୋଇଛି। ସରକାରୀ ବାବୁ, ରାଜନେତା ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ହୋଇଥିବା ରୂପାନ୍ତରଣରେ କୋଟି କୋଟି ଟଙ୍କା ଚଳୁ କରି ଦେଇଛନ୍ତି। ପରିଣାମ ସ୍ବରୂପ ପୁଣିଥରେ ପୂର୍ବ ଅବସ୍ଥାକୁ ଫେରିବାରେ ଲାଗିଛି ରୂପାନ୍ତରିତ ହାଇସ୍କୁଲ। କେଉଁଠି କାନ୍ଥ ଫାଟି ଆଁ କଲାଣି ତ ଆଉ କେଉଁଠି ଛାତରୁ ପାଣି ଗଳୁଥିବାର ଚିତ୍ର ସାମ୍ନାକୁ ଆସିଛି। କିଛି ସ୍ଥାନରେ ଅଧା କାମ କରି ଠିକାଦର ଛୁ ମାରିଥିବାର ଅଭିଯୋଗ ମଧ୍ୟ ଆସିଛି।
ଏବେ ନୂଆ ସରକାର ଆସିବା ପରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ଖର୍ଚ୍ଚର ଖୋଳତାଡ଼ ଆରମ୍ଭ ହୋଇଛି। କେତେକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ପ୍ରଧାନଶିକ୍ଷକମାନଙ୍କୁ ଚିଠି ଲେଖାଯାଇ କାମର ଭାଉଚର ସହ ବିନିଯୋଗ ପ୍ରମାଣପତ୍ର(ୟୁସି) ତୁରନ୍ତ ନିଜ ନିଜ ଜିଲ୍ଲାସ୍ତରୀୟ ବିନିଯୋଗ କେନ୍ଦ୍ରରେ ଦାଖଲ କରିବାକୁ କୁହାଯାଇଛି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଏହାକୁ ବିରୋଧ କରିବା ସହ ଏହି ଯୋଜନାରେ ଖର୍ଚ୍ଚ ହୋଇଥିବା ଅର୍ଥରାଶିର ୟୁସି ପ୍ରଧାନଶିକ୍ଷକ ପ୍ରଦାନ କରିବା ନିର୍ଦ୍ଦେଶ ଅଯୌକ୍ତିକ ବୋଲି ଦର୍ଶାଇଛି। ୫-ଟି କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ପ୍ରଧାନଶିକ୍ଷକଙ୍କୁ ବିଭିନ୍ନ ଦଫାରେ ୪୫ ଲକ୍ଷ ଟଙ୍କା ଲେଖାଏ ଯୋଗାଇ ଦେଇଥିଲେ। ହେଲେ ଖର୍ଚ୍ଚ କରିବାର ଅଧିକାର ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରାଯାଇ ନଥିଲା। ସେଥିମଧ୍ୟରୁ ୩୮ ଲକ୍ଷ ଟଙ୍କା ବିଡିଓଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଥିଲା। ସେହି ଅର୍ଥରେ ପ୍ରତ୍ୟେକ ବିଦ୍ୟାଳୟରେ ୨ଟି ସ୍ମାର୍ଟ ଶ୍ରେଣୀ ଗୃହ, ଇ-ଲାଇବ୍ରେରି, ବିଜ୍ଞାନ ପରୀକ୍ଷାଗାର, କ୍ରୀଡ଼ା ଉପକରଣ ଯୋଗାଣ, ବିଦ୍ୟାଳୟରେ ପରିବେଶ ସୃଷ୍ଟି ସହ ପାନୀୟ ଜଳ ଯୋଗାଣ ଆଦି ବ୍ୟବସ୍ଥା କରିବାକୁ କୁହାଯାଇଥିଲା।
ଓଷ୍ଟାର ସାଧାରଣ ସଂମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଯେ ଅର୍ଥ ପାଇବା ପରେ ବ୍ଲକ କାର୍ଯ୍ୟାଳୟ ପୁରୁଣା କାର୍ଯ୍ୟ ପଦ୍ଧତି ଆପଣେଇଥିଲା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାଦେଶ ହୋଇଥିଲା। କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପ୍ରମୁଖ କାର୍ଯ୍ୟ ତଦାରଖ ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟଗୁଡ଼ିକ ପ୍ରାୟତଃ ଗ୍ରାମର ରାଜନୈତିକ ବ୍ୟକ୍ତିଙ୍କ ମାଧ୍ୟମରେ ହୋଇଥିଲା। ଅଧିକାଂଶ ବିଦ୍ୟାଳୟ କାର୍ଯ୍ୟ ବହୁ ପରିମାଣରେ ବାକି ଥିବା ବେଳେ ଅନେକ ବିଦ୍ୟାଳୟରେ କାର୍ଯ୍ୟ ଅତି ନିମ୍ନମାନର ହୋଇଛି। ବ୍ଲକ୍କୁ ଅର୍ଥ ହସ୍ତାନ୍ତର ପରେ ବାକି ଟଙ୍କା ପ୍ରଧାନଶିକ୍ଷକ ଉପଯୋଗ କରିବାକୁ କ୍ଷମତା ଦିଆଯାଇଥିଲା। ଏବେ ବ୍ଲକ୍ କାର୍ଯ୍ୟ କରିଥିବା ଅର୍ଥର ୟୁସି, ସାମଗ୍ରୀ କ୍ରୟର ଭାଉଚର ପ୍ରଧାନଶିକ୍ଷକମାନେ କିଭଳି ଜିଲ୍ଲା ବିନିଯୋଗ କେନ୍ଦ୍ରରେ ଦାଖଲ କରିବେ? ପାଠପଢ଼ା ଛାଡ଼ି ପ୍ରଧାନଶିକ୍ଷକଙ୍କୁ ଏବେ ବ୍ଲକ୍ କାର୍ଯ୍ୟାଳୟକୁ ବାରମ୍ବାର ଯିବାକୁ ପଡ଼ୁଛି। ପାଠପଢ଼ା ପ୍ରଭାବିତ ହେଉଛି। ତେଣୁ ପ୍ରଧାନଶିକ୍ଷକଙ୍କୁ ଏଥିରୁ ବାଦ୍ ଦେବା ସହ ବ୍ଲକ୍ ଖର୍ଚ୍ଚ କରିଥିବା ଅର୍ଥର ବିନିଯୋଗ ବ୍ଲକ୍ ଦେବା ଉଚିତ୍। ଏଥିସହ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି କରାଯାଇଛି। ହାଇସ୍କୁଲ ରୂପାନ୍ତରୀକରଣରେ ଘୋଟାଲା ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ଯଦି ୫-ଟି ହାଇସ୍କୁଲ ରୂପାନ୍ତରଣ ନାଁରେ ଟଙ୍କା ହରିଲୁଟ୍ ହୋଇଥିବା ନେଇ ଅଭିଯୋଗ ଆସୁଛି। ରାଜ୍ୟ ସରକାର ମଧ୍ୟ ଏହା ଉପରେ କଡ଼ା ନଜର ରଖିଛନ୍ତି। ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।