ଅଭିନନ୍ଦନ, କିନ୍ତୁ…

ଆମ ଘରର ହାଲଚାଲ / ସୌମ୍ୟରଂଜନ ପଟ୍ଟନାୟକ

ଗତ ତିନିଦିନର ତିନିଟି ଘଟଣାକ୍ରମ ଆମକୁ ଆମ ବ୍ୟବସ୍ଥା ସମ୍ପର୍କରେ ଅଧିକ ସଚେତନ କରି ଗମ୍ଭୀରତାର ସହିତ ତର୍ଜମା କରିବାକୁ ଆହ୍ଵାନ କରୁଛି। ଉଭୟ ସରକାରୀ ଓ ବିରୋଧୀ ଦଳମାନେ ମଧ୍ୟ ନିଜ ଆଚରଣ ଓ ଉଚ୍ଚାରଣରେ ଅନୁରୂପ ଭାବେ ସଚେତନ ହେବେ ବୋଲି ଆମେ ଆଶା କରୁଛୁ। ଜାତୀୟ ସ୍ତରର ସମ୍ଭ୍ରାନ୍ତ ଇଂରାଜୀ ସାପ୍ତାହିକ ‘ଆଉଟ୍‌ଲୁକ’ ଦ୍ୱାରା ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ପାଇବା ପରେ ପୁନେସ୍ଥିତ ଏମ୍‌ଆଇଟି ଅନୁଷ୍ଠାନ ଗତ ୨୧ ତାରିଖରେ ଏକ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମରେ ଆମ ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀର ଶିରପା ପିନ୍ଧାଇଲେ। ତା’ପରଦିନ ହଜାର ହଜାର ବିଜେଡି କର୍ମୀଙ୍କର ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଓ ଜୟଗାନ ମଧ୍ୟରେ ବିମାନ ବନ୍ଦରରେ ଅବତରଣ କଲାବେଳକୁ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଖବର ସମସ୍ତ ଉତ୍ସାହ ଓ ଉଦ୍ଦୀପନାକୁ ପାଣିଚିଆ କରିଦେଲା। ମନେହେଲା, ସତେ ଯେପରି ଆଦର୍ଶ ମୁଖ୍ୟମନ୍ତ୍ରୀର ପୁରସ୍କାର ଜନିତ ଅହଙ୍କାରରେ ଅଙ୍କୁଶ ଲଗାଇବା ପାଇଁ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କଲେ। ଦୀର୍ଘ ସତର ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ନିର୍ବାଚନ ଜିତି ମାନ୍ୟବର ମୁଖ୍ୟମନ୍ତ୍ରୀ ଈର୍ଷଣୀୟ ସଫଳତାର ଅଧିକାରୀ ହୋଇଛନ୍ତି। ପ୍ରତିଥର ପୂର୍ବାପେକ୍ଷା ଅଧିକ ଜନସମର୍ଥନ ଲାଭ କରି ଯୋ ଜିତା େଓ୍ଵା ସିକନ୍ଦର ନ୍ୟାୟରେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିବା ସହିତ ବିରଳ କୃତିତ୍ୱର ମଧ୍ୟ ଅଧିକାରୀ ହୋଇଛନ୍ତି। ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ଏଥିରେ ହତାଶ ହେବା ସ୍ୱାଭାବିକ। ଦୀର୍ଘଦିନ କ୍ଷମତାରେ ରହିବା ଫଳରେ ଯେଉଁ ସରକାରୀ ବିରୋଧୀ ମନୋଭାବ ତିଆରି ହୁଏ, ତାକୁ କାଟିବା ପାଇଁ ନବୀନବାବୁଙ୍କ ବିଜେଡି ଦଳ କୌଣସି ସୁଯୋଗକୁ ହାତଛଡ଼ା କରୁନାହାନ୍ତି। ତେଣୁ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ବିରୋଧୀ ଦଳଙ୍କୁ ପାଲଟା ଆକ୍ରମଣ କରିବା ପାଇଁ ସୁଯୋଗ ଦେଇଛି। ସେମାନେ ସ୍ୱାଭାବିକ ଭାବରେ ବିକ୍ଷୋଭ ଏବଂ ବନ୍ଦ୍‌ ଡାକରା ଦେଇଛନ୍ତି। ପୁଣି ଆଜି ବିରୋଧୀ ଦଳକୁ ଠିକଣା ଜବାବ ଦେବାପାଇଁ ସୁପ୍ରିମ କୋର୍ଟ ମହାନଦୀ ବିବାଦରେ ଟ୍ରିବ୍ୟୁନାଲ ଗଠନର ନିର୍ଦ୍ଦେଶ ଦେଇ ନବୀନବାବୁଙ୍କୁ ନିଜ ସପକ୍ଷରେ ଯୁକ୍ତି କରିବା ପାଇଁ ଆଉ ଏକ ସୁଯୋଗ ଦେଇଛନ୍ତି।

ଏ ସବୁ ବ୍ୟାପାରରେ ମୂଳ କଥାଟି ହେଲା, ଆଦର୍ଶ ମୁଖ୍ୟମନ୍ତ୍ରୀ କେଉଁ ଆଦର୍ଶର ପ୍ରତିନିଧିତ୍ୱ କରୁଛନ୍ତି। ଗୋଟିଏ ସରକାରର ପ୍ରଥମ ଏବଂ ପ୍ରଧାନ କର୍ତ୍ତବ୍ୟ ହେଲା, ସାଧାରଣ ନାଗରିକଙ୍କର ଧନଜୀବନର ସୁରକ୍ଷା। ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ କରି ଦଶ ହଜାର ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଯେଉଁ ବକ୍ତବ୍ୟ ରଖିଥିଲେ ତାହା ଗତକାଲି ଆମକୁ ଯେତିକି ପ୍ରଭାବିତ କରିଥିଲା, ଆଜି ସେତିକି ବିବ୍ରତ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜନୀତି ଆଦୌ ଜଟିଳ ନୁହେଁ। ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଲେ ସବୁକିଛି ସରଳ ହୋଇଯାଏ। ମହାତ୍ମା ଗାନ୍ଧୀଙ୍କୁ ଉଦ୍ଧାର କରି ସେ ପୁଣି କହିଥିଲେ ଯେ, ସର୍ବନିମ୍ନ ସ୍ତରର ଲୋକଟିର କଥା ସବୁ ନିଷ୍ପତ୍ତିର କଷଟି ପଥର। ଓଡ଼ିଶାବାସୀଙ୍କ ପ୍ରତି କୃତଜ୍ଞତା ଜଣାଇ ସେ ବ୍ୟକ୍ତିଗତ ଭାବେ ପରିବାର ଗଢ଼ିନଥିଲେ ମଧ୍ୟ ଓଡ଼ିଶାର ସାଢ଼େ ଚାରିକୋଟି ଲୋକ ତାଙ୍କର ପରିବାର ବୋଲି ଉଲ୍ଲେଖ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଆବେଗଭରା ଭାଷାରେ ନିଜର କଥା ରଖିବା ଆମେ ଆଗରୁ କେବେ ଦେଖି ନଥିଲୁ। ସ୍ୱାଭାବିକ ଭାବରେ ନବୀନବାବୁ ଅନେକଙ୍କର ମନ ଜିଣିପାରିଥିଲେ। ତା’ପରଦିନ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଆମକୁ ମହାତ୍ମା ଗାନ୍ଧୀଙ୍କର ଅନ୍ୟ ଏକ ବକ୍ତବ୍ୟକୁ ମନେ ପକେଇଦେଉଛି। ନିଶାର୍ଦ୍ଧରେ ମହିଳାଟିଏ ରାଜରାସ୍ତାରେ ସୁରକ୍ଷିତ ଭାବେ ଘରକୁ ଫେରିବା ଗଣତନ୍ତ୍ର ଓ ସ୍ୱାଧୀନତାର ଅସଲ ପରୀକ୍ଷା। ନବୀନବାବୁଙ୍କର ଦୀର୍ଘଦିନର ରାଜନୈତିକ ସଫଳତା ସତ୍ତ୍ୱେ ନାରୀ ସୁରକ୍ଷା ପ୍ରସଙ୍ଗରେ ସେ ଆଦୌ ଭାଗ୍ୟବାନ ହୋଇପାରି ନାହାନ୍ତି। କୁନ୍ଦୁଲି, ଇତିଶ୍ରୀ ପରି ଘଟଣାଗୁଡ଼ିକ ତାଙ୍କ ସଫଳତାର ଚନ୍ଦ୍ରରେ କଳଙ୍କ ପରି ପ୍ରତୀୟମାନ ହେଉଛନ୍ତି। ମହାନଦୀ ବିବାଦରେ ବିରୋଧୀ ଦଳମାନଙ୍କ ଆହ୍ଵାନକୁ ଗ୍ରହଣ ନକରି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଷ୍ଟ୍ରନୀତିଜ୍ଞ ହେବାର ସୁଯୋଗକୁ ହାତଛଡ଼ା କରିଥିଲେ। ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ମଜବୁତ କରିବା ସହିତ ବିଜେପିକୁ ଅଡ଼ୁଆରେ ପକେଇଛି। କେନ୍ଦ୍ର ସରକାର ମୂଳରୁ ଛତିଶଗଡ଼ ପ୍ରତି ଉଦାର ମନୋଭାବ ପୋଷଣ କରୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା। ଟ୍ରିବ୍ୟୁନାଲ ଗଠନର ବିଧିବ୍ୟବସ୍ଥାକୁ ଅଣଦେଖା କରି କାଳକ୍ଷେପଣ ନୀତି ଆପଣେଇବା କଥା ଏହାକୁ ପ୍ରମାଣିତ କରୁଛି। ଏହି ତିନିଟି ଘଟଣାକ୍ରମ ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀର ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଲା ବେଳେ ଆମକୁ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଛି। ଆମ ବିଚାରରେ ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀ ସଫଳତାରେ ଉଲ୍ଲସିତ ହେବା ଯେତିକ ସ୍ୱାଭାବିକ ବିଫଳତାକୁ ସ୍ୱୀକାର କରିବାର ସାହସ ରଖିବା ତା’ଠାରୁ ଅଧିକ ଆବଶ୍ୟକ। କୁନ୍ଦୁଲି ବ୍ୟାପାରରେ ସରକାର ଏବଂ ପୁଲିସ ବିଭାଗର ଭୂମିକା ଆଦୌ ଗ୍ରହଣୀୟ ହୋଇନାହିଁ। ଦଳିତ ବାଳିକାଟି କ’ଣ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପରିବାରର ବାହାରେ? କୁନ୍ଦୁଲି ଘଟଣାର ବିଚାର ବିଭାଗୀୟ ତଦନ୍ତ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଚାଷୀଭାଇମାନେ ଶହଶହ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। କୃଷି କର୍ମଣ ପୁରସ୍କାର ପାଇଥିବା ସରକାର ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଆହା ପଦେ କହିବା ଦୂରେ ଥାଉ। କିଛିକିଛି ବିଫଳତାକୁ ସ୍ୱୀକାର କରିଗଲେ ସଫଳତା ମଳିନ ପଡ଼େନାହିଁ। ବରଂ ଅଧିକ ଉଜ୍ଜ୍ୱଳ ଦେଖାଯାଏ। ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ସୀତାଙ୍କର ଅଗ୍ନିପରୀକ୍ଷା କରିବା ପାଇଁ ବାଧ୍ୟ ହୋଇଥିଲେ। ଆଜି ଆମର ଆଦର୍ଶ ମୁଖ୍ୟମନ୍ତ୍ରୀ ଆତ୍ମହତ୍ୟାର ବାସ୍ତବତାକୁ ସ୍ୱୀକାର କରି ପ୍ରତିକାର ପାଇଁ ସଂକଳ୍ପ ନେଲେ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ କଲେ ଅଧିକ ଗ୍ରହଣୀୟ ହେବେ। ଆଦର୍ଶ ମୁଖ୍ୟମନ୍ତ୍ରୀ ଓ ମହାନଦୀର ବିଜୟ ଅଧିକ ଅଭିନନ୍ଦନୀୟ ହେବ ଯଦି କୁନ୍ଦୁଲିର ବାସ୍ତବତାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର