କଟକ: ତ୍ରିଶୂଳିଆ ନରଣପୁରସ୍ଥିତ କେଏମ୍‌ବିବି ସାଇନ୍ସ ଉଚ୍ଚମାଧ୍ୟମିକ ସ୍କୁଲ ଏବଂ କେଏମ୍‌ବିବି ପବ୍ଲିକ୍‌ ସ୍କୁଲର ଯୁକ୍ତ୨ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ସଭା ‘ଆମନ୍ତ୍ରଣ-୨୦୨୫’ ଆୟୋଜିତ ହୋଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, କେଏମ୍‌ବିବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍‌ର ଚେୟାରମ୍ୟାନ୍ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଆଇଆଇଟିର ବରିଷ୍ଠ ପ୍ରଫେସର୍‌ ଅକ୍ଷୟ କୁମାର ଓଝା ଯୋଗଦେଇ କହିଛନ୍ତି ଯେ ଶ୍ରେଣୀରେ ପ୍ରତ୍ୟେକ ଛୋଟଛୋଟ କଥା ସଂପର୍କରେ ସ୍ପଷ୍ଟ ହେବା ପାଇଁ ଛାତ୍ରଛାତ୍ରୀ ପ୍ରଶ୍ନ ପଚାରିବାର ଅଭ୍ୟାସ କରିବା ‌ଆବଶ୍ୟକ। ଭବିଷ୍ୟତ କେଉଁ ଦିଗରେ ଯିବ କାହାକୁ ଜଣାନାହିଁ। କିନ୍ତୁ ଯେଉଁ ଦିଗରେ ଗଲେ ବି ଭଲ ପ୍ରଦର୍ଶନ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଫେସର ଓଝା  ପରାମର୍ଶ ଦେଇଛନ୍ତି। 

Advertisment

ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ କେନ୍ଦ୍ର ଅଙ୍କୋଲଜି ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର କୁନାଲ ଗୌତମ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ କେବେ ଭିଡ଼ରେ ଦୌଡ଼ନାହିଁ। ସମାଜ କେବଳ ମେଡିକାଲ୍ କି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଚାହେନି। ଅନ୍ୟମାନଙ୍କର ଉପଯୋଗିତା ବି ରହଛି।  ଦୁଇ ବର୍ଷ ମନ ଲଗାଇ ପଢ଼। ସମାଜକୁ କିଛି ଦେବା ପାଇଁ ପ୍ରୟାସ କର ବୋଲି ସେ ପରାମର୍ଶ ଦେଇଛନ୍ତି।

ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମଣିଷର ସବୁଠାରୁ ବଡ଼ ପରୀକ୍ଷା ହେଲା ସେ କେତେ ପରିବର୍ତ୍ତନକୁ ମୁକାବିଲା କରିପାରୁଛି। ପରିବର୍ତ୍ତନ ଯେତେ ପ୍ରତିକୂଳ ହୋଇଥାଉ ପଛେ ଯଦି ତାକୁ ଅତିକ୍ରମ କରିବାର ସାହାସ ଯିଏ ଜୁଟାଇ ପାରୁଛି କେବଳ ସେ ହିଁ ସଫଳ ହୋଇପାରିବ। ଏକାଧିକ ବୃତ୍ତି ଓ ଏକାଧିକ ଭାଷାରେ ଯାହାର ନିୟନ୍ତ୍ରଣ ରହିବ ଏବଂ ଯାହାର ସାମର୍ଥ୍ୟ ରହିବ, ସେ ଜୀବନରେ କେବେ ବିଫଳ ହେବନାହିଁ। ସାମାଜିକ ପ୍ରତିଷ୍ଠା, ସମ୍ମାନ ଓ ରୋଜଗାର ମିଳିବାରେ ତାକୁ ସମସ୍ୟା ହେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। 

କେଏମ୍‌ବିବି ଗ୍ରୁପ ଅଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ(ପ୍ରଶାସନ) ପ୍ରଫେସର ସରୋଜ କୁମାର ପଣ୍ଡା କହିଥିଲେ ଯେ ଖାଲି ପଢ଼ିଲେ ହେବନି। ନୂଆନୂଆ କଥା ଶିଖିବା ସହିତ ବିଭିନ୍ନ ପରିସ୍ଥିତିରେ ଖାପଖୁଆଇ ଚଳିବାକୁ ପଡ଼ିବ। ଅନୁଷ୍ଠାନର ନିର୍ଦ୍ଦେଶକ(ଶିକ୍ଷା) ଡକ୍ଟର ବିଜୁନି ଚରଣ ସୁତାର ଜୀବନରେ ବଡ଼ ମଣିଷ ହେବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଥିଲେ। ଇଂରାଜୀ ବିଭାଗର ମୁଖ୍ୟ ମୋନାଲିସା ନାୟକ ଧନ୍ୟବାଦ ଦେଇଥିଲେ।