ଭୁବନେଶ୍ଵର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସୃଜନ ଶକ୍ତିର ବିକାଶ ଦିଗରେ କାର୍ଯ୍ୟରତ ତାଳପଦେଶ୍ବରୀ ସାହିତ୍ୟ ଆସର ପକ୍ଷରୁ ଆଜି ସାହିତ୍ୟ ରଚନା କରୁଥିବା ବିଶ୍ବବିଦ୍ୟାଳୟର ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରାଯାଇଛି।
ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡକ୍ଟର ରମେଶ ମଲ୍ଲିକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ଅବସରରେ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଆସରର ସଭାପତି ଅମୂଲ୍ୟ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିନି ଉପଦେଷ୍ଟା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର, ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ଓତା, ପ୍ରଫେସର ଡକ୍ଟର ମଣୀନ୍ଦ୍ର କୁମାର ମେହେର ଏବଂ ପୂର୍ବତନ ସଭାପତି ଶତ୍ରୁଜିତ୍ ପ୍ରମୁଖ ଉଦବୋଧନ ଦେଇଥିଲେ। ଏହି ଅବସରରେ ଆସରର ପ୍ରଥମ ଉପଦେଷ୍ଟା ପ୍ରଫେସର ଡକ୍ଟର ବିଜୟିନୀ ମହାନ୍ତିଙ୍କ ସ୍ମୃତିଚାରଣ କରାଯାଇଥିଲା।
ନୂତନ ଛାତ୍ରଛାତ୍ରୀମାନେ ସେମାନଙ୍କ ପରିଚୟ ପ୍ରଦାନ କରିବା ପରେ ଦ୍ବିତୀୟ ବାର୍ଷିକ ଛାତ୍ରଛାତ୍ରୀମାନେ ସେମାନଙ୍କୁ ସ୍ବାଗତ କରିଥିଲେ। ପରେ ଶ୍ରୀଧର ମହାରଣାଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା। କାର୍ଯ୍ୟକ୍ରମକୁ ଋତୁପର୍ଣ୍ଣା ପତି, ମାଧବୀ ମଧୁସ୍ମିତା ପ୍ରଧାନ ଏବଂ ଅନ୍ୟମାନେ ପରିଚାଳନା କରିଥିଲେ। ଶେଷରେ ବିଶ୍ବଜିତ ସେଠି ଧନ୍ୟବାଦ ଅର୍ପଣ କରିଥିଲେ।