ବାଲେଶ୍ୱର: ରେମୁଣା କଲେଜ ରୋଡ୍‌ରେ ଅବସ୍ଥିତ ବାଲେଶ୍ୱର ଇନଷ୍ଟିଚ୍ୟୁଟ ଅଫ ହସ୍ପିଟାଲିଟି ମ୍ୟାନେଜମେଣ୍ଟ ଆଣ୍ଡ ଟୁରିଜିମ (ବିଆଇଏଚ୍‌ଏମ୍‌ଟି) ଡିଗ୍ରି କଲେଜରେ ୨୦୨୩ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଓ ଅବିଭାବକଙ୍କ ଉପସ୍ଥିତିରେ ସ୍ୱାଗତ କରାଯାଇଛି। କଲେଜର ପ୍ରଶାସନିକ ମୁଖ୍ୟ ଅମୟ କୁମାର ଦାସଙ୍କ ପୌରହିତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଆଇଏଚଏମଟିର ପରିଚାଳନା ନିର୍ଦେଶକ ଚିତ୍ତରଞ୍ଜନ ମହାନ୍ତି ଅତିଥି ପରିଚୟ ସହ ପ୍ରାରମ୍ଭିକ ଭାଷଣ ଦେଇ ଛାତ୍ରଛାତ୍ରୀମାନଙ୍କୁ "ମୋ କଲେଜ ମୋ ନଜରରେ" ସ୍ଲୋଗାନକୁ ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ କହିଥିଲେ। କଲେଜର ହିତ ସାଧନ ପାଇଁ ଓ ସମସ୍ତଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଐକିକତାକୁ ଦୃଷ୍ଟିରେ ରଖି ଏହି ସ୍ଲୋଗାନ ଗୁରୁତ୍ୱପୂର୍ଣ ବୋଲି ଶ୍ରୀ ମହାନ୍ତି ଆହ୍ୱାନ କରିଥିଲେ।

Advertisment

ଉତ୍ସବରେ ମୁଖ୍ୟ ଅତିଥିଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ସୁଶାନ୍ତ ରଞ୍ଜନ ଚଇନି ଯୋଗଦେଇ ପରିବର୍ତ୍ତନର ପ୍ରବୃତ୍ତି ହିଁ ମଣିଷକୁ ଆଗକୁ ନେଇ ଯାଇଥାଏ, ତେଣୁ ପରିବର୍ତ୍ତନକୁ ଗ୍ରହଣ କରିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ରେଡ଼ିଆନ ସ୍କୁଲ ଅଫ ଇଂଲିଶ ଏବଂ ଆଇଟିର ଅଧ୍ୟକ୍ଷ ସତ୍ୟଜିତ ମିଶ୍ର ଯୋଗଦେଇଥିଲେ। ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପର କର୍ମଚାରୀମାନେ ଓଠରେ ହସର ସୁନା ଓ ସତ ହୃଦୟ ରୂପକ ହୀରା ଅଳଙ୍କାର ପରିଧାନ କରିପାରିଲେ ତ୍ରିଭୁବନ ବିଜୟ କରିପାରିବେ ବୋଲି ଶ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁରେଶ ଦାସ ଉପସ୍ଥିତ ଥିଲେ।